Odisha news

ପୁରୀ ରେଳ ଷ୍ଟେସନର ପୁନର୍ବିକାଶ ଅନୁଧ୍ୟାନ କଲେ କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ

0

ପୁରୀ : ମାନ୍ୟବର କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ସୋମାନ୍ନା ଆଜି ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି | ସେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଛନ୍ତି ଯେ 2025 ରେଳ ବଜେଟରେ ଓଡ଼ିଶାକୁ ₹10,599 କୋଟି ମିଳିଛି – ଯାହା 2009-14 ତୁଳନାରେ 12.5 ଗୁଣ ବୃଦ୍ଧି |  ବର୍ତ୍ତମାନ, ରାଜ୍ୟର 59 ଷ୍ଟେସନକୁ ₹2,379 କୋଟି ଟଙ୍କା ବ୍ୟୟରେ ପୁନର୍ବିକାଶ କରାଯାଉଛି ଏବଂ ପ୍ରାୟ ₹80,000 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି |

ଶ୍ରୀ ସୋମାନ୍ନା ଆଲୋକପାତ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ, ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଅଭୂତପୂର୍ବ ଅଭିବୃଦ୍ଧି ପାଇଛି ଯେଉଁଥିରେ ନୂତନ ରେଳ ଲାଇନ ନିର୍ମାଣ, ଟ୍ରାକ୍ ଦୋହରୀକରଣ ଏବଂ ଯାତ୍ରୀ ସୁବିଧା ବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି – ଯାହା ପୂର୍ବ ବର୍ଷଗୁଡ଼ିକର ଅଗ୍ରଗତିକୁ ବହୁ ପଛରେ ପକାଇଛି |  “ବନ୍ଦେ ଭାରତ ଏକ୍ସପ୍ରେସ” ଭଳି ଆଧୁନିକ ଟ୍ରେନର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ପ୍ରମୁଖ ଅଂଶକୁ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି ଏବଂ ଆଞ୍ଚଳିକ ସଂଯୋଗୀକରଣ ଏବଂ ବିକାଶକୁ ଆହୁରି ବୃଦ୍ଧି କରୁଛି |

ରେଳ ରାଷ୍ଟ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ରୂପାନ୍ତରିତ ପୁରୀ ଷ୍ଟେସନ ରେ ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ଷ୍ଟଲ ଉପଲବ୍ଧ କରାଯାଇ ସ୍ଥାନୀୟ ପ୍ରଡକ୍ଟ କୁ ପ୍ରୋତ୍ସାହନ ଦିଆଯିବା ସହ ଏଥିରେ ଉନ୍ନତ ପ୍ରବେଶ, ଆଧୁନିକ ପ୍ରତୀକ୍ଷା ହଲ୍, ଲିଫ୍ଟ/ଏସ୍କେଲେଟର, ଏକଜିକ୍ୟୁଟିଭ୍ ଲାଉଞ୍ଜ, ସ୍ଥାନୀୟ ବୈଶିଷ୍ଟ୍ୟ ଏବଂ କିଓସ୍କ ସମେତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ |

ଶ୍ରୀ ସୋମନ୍ନାଙ୍କ ସହିତ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ବି.ଏସ୍. ରାଜକୁମାର, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ/ନିର୍ମାଣ ଶ୍ରୀ ଏ.ଜି. ଶ୍ରୀନିବାସଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ |

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତୀୟ ରେଳପଥକୁ ରୂପାନ୍ତରଣ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏହି ପୁନର୍ବିକାଶର ଲକ୍ଷ୍ୟ ରଖାଯାଇଛି |

Leave A Reply