Odisha news

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ : ରେକର୍ଡ 160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ

0

ପୂର୍ବତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷରେ ମାତ୍ର 160 ଦିନରେ 100 ନିୟୁତ ଟନ୍ରୁ ଅଧିକ ପଣ୍ୟ ଅପସାରଣ କରି ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି |  ଚଳିତ ଆର୍ଥିକ ବର୍ଷର 7 ସେପ୍ଟେମ୍ବର 2024 ସୁଦ୍ଧା ପୂର୍ବତଟ ରେଳପଥ ସଫଳତାର ସହିତ 100.44 ନିୟୁତ ଟନ୍ ପଣ୍ୟ ଅପସାରଣ କରି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ 6.5% ଅଭିବୃଦ୍ଧି ପଞ୍ଜିକରଣ କରିପାରିଛି | ଏହି ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧି ପଣ୍ୟ ଅପସାରଣ ତୁଳନାରେ 6.15 ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି |

ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ:

• ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ 60.38 ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଥିଲା,

• ୱାଲଟିୟର ରେଳ ମଣ୍ଡଳରେ 22.68 ନିୟୁତ ଟନ୍, ଏବଂ

• ସମ୍ବଲପୁର ରେଳ ମଣ୍ଡଳରେ 17.38 ନିୟୁତ ଟନ୍ |

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହି ରେଳପଥ ପାରାଦୀପ, ବିଶାଖାପାଟନମ୍ (ଭାଇଜାଗ୍), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ | ପୂର୍ବତଟ ରେଳପଥ ଦ୍ୱାରା ପରିବହନ ହେଉଥିବା ପ୍ରମୁଖ ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା, ଲୁହାପଥର, ଆଲୁମିନିୟମ୍, ମାଙ୍ଗାନିଜ୍ ଏବଂ ବକ୍ସାଇଟ୍ |

160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ କରିବାର ଏହି ସଫଳତା ରେଳବାଇର ଉନ୍ନତ ଦକ୍ଷତା ଏବଂ ଶିଳ୍ପ ଚାହିଦା ପୂରଣ ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଅଛି | ତୁଳନାତ୍ମକ ଭାବରେ, ଏହି ମାଇଲଖୁଣ୍ଟ ହାସଲ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୂର୍ବ ଆର୍ଥିକ ବର୍ଷରେ (2023-24) 171 ଦିନ ସମୟ ବିନିଯୋଗ କରିଥିବାବେଳେ 2022-23 ଆର୍ଥିକ ବର୍ଷରେ 191 ଦିନ ସମୟ ବିନିଯୋଗ କରିଥିଲା |

ପଣ୍ୟ ପରିବହନରେ କ୍ରମାଗତ ଉନ୍ନତି ଭାରତର ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ପୂର୍ବତଟ ରେଳପଥର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଶୀଘ୍ର ଏବଂ ନିରବଚ୍ଛିନ୍ନ ପରିବହନକୁ ନିଶ୍ଚିତ କରି ଦେଶର ଅର୍ଥନୀତିରେ ଅବଦାନ ଦେଇଆସୁଅଛି |

Leave A Reply