ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ ହାଥରସ୍ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ଗସ୍ତ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଗସ୍ତ ପୂର୍ବରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ କୌଣସି ଶକ୍ତି ତାଙ୍କୁ ସେଠାକୁ ଯିବାରୁ ଅଟକାଇ ପାରିବ ନାହିଁ।
ଶନିବାର ସକାଳେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ଦୁନିଆର କୌଣସି ଶକ୍ତି ମୋତେ ହାଥରସ ଯାଇ ପୀଡିତାଙ୍କ ପରିବାରକୁ ଭେଟିବାରୁ ରୋକି ପାରିବେ ନାହିଁ।
ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି,‘ଉତ୍ତର ପ୍ରଦେଶ ସରକାର ହଥରସ୍ ପୀଡିତା ଏବଂ ତାଙ୍କ ପରିବାର ପ୍ରତି ଦେଖାଇଥିବା ଆଚରଣକୁ ମୁଁ ବରଦାସ୍ତ କରିପାରିବି ନାହିଁ। କୌଣସି ସଚ୍ଚା ଭାରତୀୟ ମଧ୍ୟ ଏହାକୁ ସହ୍ୟ କରିବା ଉଚିତ୍ ନୁହେଁ।’
ଆଜି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସର କିଛି ସାଂସଦ ଏବଂ ସମର୍ଥକଙ୍କ ଏକ ଦଳ ହଥରସ ଗସ୍ତ କରିବେ। ଅନ୍ୟ ପକ୍ଷରେ ସ୍ଥାନୀୟ ପ୍ରଶାସନ ଧାରା ୧୪୪ ଲାଗୁ କରି ଏହି ଅଞ୍ଚଳକୁ ଗଣମାଧ୍ୟମ ଓ ରାଜନେତାଙ୍କ ପ୍ରବେଶକୁ ବାରଣ କରିଛି।
ଏହି ଗସ୍ତ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଉତ୍ତର ପ୍ରଦେଶ ସରକାର ନୈତିକ ଭାବରେ ଦୁର୍ନୀତିଗ୍ରସ୍ତ। ପୀଡିତା ଉପଯୁକ୍ତ ଚିକିତ୍ସା ପାଇନାହାନ୍ତି, ସେମାନେ ତାଙ୍କ ଅଭିଯୋଗ ଠିକ୍ ସମୟରେ ଲେଖି ନାହାନ୍ତି, ସେମାନେ ତାଙ୍କ ଶବକୁ ଜବରଦସ୍ତ ପୋଡି ଦେଇଛନ୍ତି, ପରିବାର ବନ୍ଦୀ ଅବସ୍ଥାରେ ଅଛନ୍ତି, ସେମାନଙ୍କ ଉପରେ ଚାପ ପକାଯାଉଛି। ବର୍ତ୍ତମାନ ସେମାନଙ୍କୁ ଧମକ ଦିଆଯାଉଛି ଯେ ନାର୍କୋ ପରୀକ୍ଷା ହେବ। ଏହି ଆଚରଣ ଦେଶ ପାଇଁ ଗ୍ରହଣୀୟ ନୁହେଁ। ପୀଡିତାଙ୍କ ପରିବାରକୁ ଗାଳିଗୁଲଜ କରିବା ବନ୍ଦ କର।’
