Odisha news

ଯୁଗସ୍ରଷ୍ଟା କବିବର ରାଧାନାଥ ରାୟ : ସେପ୍ଟେମ୍ବର ୨୮ ତାରିଖ କବିବର ରାଧାନାଥ ରାୟଙ୍କ ୧୭୨ତମ ଜୟନ୍ତୀ ଉପଲକ୍ଷେ ………

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ଓ ଓଡ଼ିଆ ଭାଷାକୁ ଶ୍ରେଷ୍ଠସ୍ଥାନ ଦେବାପାଇଁ ଯେଉଁ କେତେଜଣ ଯୋଗଜନ୍ମା ସାରସ୍ୱତ ସାଧକ ଆପ୍ରାଣ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଥିଲେ ଅନ୍ୟତମ । ତାଙ୍କର କୃତି ଓ କୀର୍ତ୍ତି ଏ ଜାତିର ଜାତୀୟ ଚେତନାକୁ ରୁଦ୍ଧିମନ୍ତ କରିଛି । ଯଥାର୍ଥରେ ସେ ଥିଲେ ଯୁଗସ୍ରଷ୍ଟା – ଆଧୁବିକ ସାହିତ୍ୟର ମଉଡ଼ମଣି । ତାଙ୍କର କାଳଜୟୀ ସୃଷ୍ଟିରେ ପ୍ରକୃତିର ସୌନ୍ଦର୍ଯ୍ୟ ବେଶ୍ କମନୀୟ ହୋଇଉଠିଛି । କବିବରଙ୍କ ଭାଷାରେ ସୌନ୍ଦର୍ଯ୍ୟର କେବେ କ୍ଷୟ ହୁଏ ନାହିଁ । ଏହାକୁ ଯେତେ ଦେଖିଲେ ବି ନୂଆ ଦେଖିଲା ପରି ଲାଗେ । ଯାହାର ଜ୍ୱଳନ୍ତ ଉଦାହରଣ ‘ଚିଲିକା’ କାବ୍ୟରେ ଦେଖିବାକୁ ମିଳେ । ଯଥା – ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ /ଯେତେ ଦେଖିଲେହେଁ ନୂଆ ଦିଶୁଥାଇ ।’
ଏହି ଯଶସ୍ୱୀ ସାଧକ ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁନ୍ଦର ନାରାୟଣ ରାୟ ଓ ମାତାଙ୍କ ନାମ ତାରିଣୀ ଦେବୀ । ବାଲ୍ୟକାଳରୁ ପ୍ରତିକୂଳ ପରିସ୍ଥିତି ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ଗ୍ରାମ ·ଟଶାଳୀରୁ ଶିକ୍ଷା ଆରମ୍ଭ ପରେ ସେ ୧୯୫୮ ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତାଙ୍କର ମେଧାଶକ୍ତି ଅତୁଳନୀୟ ଥିଲା ।

ଫଳସ୍ୱରୂପ ୧୮୬୪ ମସିହାରେ ସେ କଲିକତା ବିଶ୍ୱ ବିଦ୍ୟାଳୟରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୮୬୪ ମସିହାରେ ମାତ୍ର ତିରିଶ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ଭାବେ ଯୋଗଦେଇ ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ । ଏହି ଶିକ୍ଷକତା ସମୟରେ ସେ ଛାତ୍ର ଭାବରେ ପାଆନ୍ତି ମଧୁସୂଦନ ରାଓଙ୍କୁ ଓ ବନ୍ଧୁ ତଥା ସହକର୍ମୀ ଭାବରେ ପାଆନ୍ତି ଫକୀର ମୋହନ ଓ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କୁ । ପରେ ନିଜର କାର୍ଯ୍ୟକୁଶଳତା ଯୋଗୁଁ ୧୮୭୨ ମସିହାରେ ସେ ଡେପୁଟି ଇନ୍ସପେକ୍ଟର, ୧୮୭୭ରେ ଜୟଣ୍ଟ ଇନ୍ସପେକ୍ଟର ଏବଂ ପରିଶେଷରେ ୧୮୯୨ରେ ଇନ୍ସପେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରି ଓଡ଼ିଶା ଡ଼ିଭିଜନର ପୂର୍ଣ୍ଣ ଦାୟିତ୍ୱରେ ଥିଲେ । ଏସବୁ ଥିଲା ତାଙ୍କ ଜୀବନର ଗୋଟିଏ ଗୋଟିଏ ଅଗ୍ନିପରୀକ୍ଷା ।

ସବୁ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସାରସ୍ୱତ ଜଗତରେ ହଜିଯାଇଥିଲେ ରାଧାନାଥ । ରାଧାନାଥ ଚିହ୍ନିଥିଲେ ମାଆକୁ – ମାଟିକୁ ଓ ମାତୃଭାଷାକୁ । ଇଂରେଜମାନଙ୍କ ରାଜତ୍ୱ ସମୟରେ ଓଡ଼ିଶାର ଦୁର୍ଦ୍ଦଶା ତାଙ୍କ କବିପ୍ରାଣକୁ ବ୍ୟଥିତ କରିଥିଲା । ସେତେବେଳେ ଭାଷା ଆନେ୍ଦାଳନ ଜୋର ଧରିଥାଏ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅଣ୍ଟାଭିଡି ବାହାରିଥିଲେ ଗଙ୍ଗା-ଯମୁନା-ସରସ୍ୱତୀର ତ୍ରିବେଣୀ ସଙ୍ଗମ ରୂପେ ପରିଚିତ ବ୍ୟାସକବି ଫକୀର ମୋହନ, ସ୍ୱଭାବ କବି ଗଙ୍ଗାଧର ଓ କବିବର ରାଧାନାଥ । ଆଉ ତାଙ୍କ ସହ ସାମିଲ ହୋଇଥିଲେ ଭକ୍ତକବି ମଧୁସୂଦନ ରାଓ । ଦୁଃଖିନୀ

ଓଡ଼ିଶାର ଦୁଃଖରେ ମ୍ରିୟମାଣ ହୋଇ ସେ ଲେଖିଥିଲେ –
“ଦେବୀ ବୀଣାପାଣି କେଉଁ ପାପ ଫଳେ
କରୁଣା ତୋହର ଊଣା ଏ ଉକ୍ରଳେ ।” ଏହି କବିତା ରଚନା କଲାବେଳେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଉଥିଲା । ଭାରତମାତାକୁ ବନ୍ଦନା କରିବାକୁ ଯାଇ ସେ ଲେଖିଛନ୍ତି – “ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟମ୍ …..” ଏହି ଗୀତ ଆଜି ସମଗ୍ର ଦେଶରେ ଏକ ଅନନ୍ୟ ଦେଶାତ୍ମବୋଧ ସଂଗୀତ ରୂପେ ପରିଗଣିତ । ତାଙ୍କ ରଚିତ ପ୍ରତ୍ୟେକ କବିତାରେ ଭରି ରହିଥିଲା ପ୍ରକୃତି ପ୍ରେମ, ଦେଶପ୍ରେମର କଥା ଓ ମାତୃଭାଷାର ଗୌରବ ଗାଥା । ଆଜିର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେଉଛି ସେଇ ବରପୁତ୍ରମାନଙ୍କ ପ୍ରାରମ୍ଭିକ ଉଦ୍ୟମର ଫଳଶ୍ରୁତି ।

ଆଧୁନିକ ଓଡ଼ିଆ ସାହିତ୍ୟର ଆଦ୍ୟ ସ୍ରଷ୍ଟା ଥିଲେ ରାଧାନାଥ । ସାହିତ୍ୟର ସମସ୍ତ ବିଭବ ତାଙ୍କ କାବ୍ୟ ସାହିତ୍ୟରେ ଦେଖାଯାଏ । କବିବରଙ୍କ କାବ୍ୟ ସାହିତ୍ୟରେ ଜାତୀୟ ଚେତନା, ପ୍ରକୃତି ଚିତ୍ରଣ, ପୌରାଣିକ ଓ ଐତିହାସିକ ଗାଥା, ସଂସ୍କୃତି ଓ ଐତିହର ଚିତ୍ର ବହୁଳ ଭାବରେ ପରିଦୃଷ୍ଟ ହୋଇଥାଏ । ତାଙ୍କ ରଚିତ ‘କେଦାର ଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚିଲିକା’, ‘ମହାଯାତ୍ରା’ ଓ ‘ଦରବାର’ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରନô । ଏହି କବିତା କୁଞ୍ଜରେ ପାରମ୍ପରିକ ସୌଧ ଉପରେ ଆଧୁନିକତାର ସ୍ପର୍ଶ ଦେଇଛନ୍ତି ସେ । ପ୍ରତିପାଦନ କରିଛନ୍ତି ନିଜ ପ୍ରତିଭାର ନିଆରା ଶୈଳୀକୁ । ବାସ୍ତବରେ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ରୂପରେ ସଜାଇ ଛାଡିଯାଇଛନ୍ତି ନିଜର ଅଲିଭା ସ୍ୱାକ୍ଷର ସେ । ‘ଚିଲିକା’ କାବ୍ୟରେ ରାଧାନାଥଙ୍କ ବର୍ଣ୍ଣନା ଶୈଳୀ ବହୁ ଉଚ୍ଚÿକୋଟୀର ଯାହାର ପଦ୍ୟାବଳୀ ଏବେବି ସବୁ ପାଠକଙ୍କ ହୃଦୟକୁ ସ୍ପର୍ଶ କରେ । ସେହିପରି ‘ମହାଯାତ୍ରା’ କାବ୍ୟ ରାଧାନାଥ ପ୍ରତିଭାର ଜୟଯାତ୍ରା ଥିଲା କହିଲେ ଭୁଲ୍ ହେବନାହିଁ । ଏଥିସହିତ ପ୍ରବନ୍ଧ ସାହିତ୍ୟର ଜନକ ଥିଲେ କବିବର ରାଧାନାଥ । ‘ବିବେକୀ’, ଇତାଲୀୟ ଯୁବା ଓ ଭ୍ରମଣକାରୀ ପତ୍ର ଭଳି ଗଦ୍ୟ ରଚନା କରିଯାଇଛନ୍ତି ସେ । ବଙ୍ଗଳାଭାଷାରେ ମଧ୍ୟ ତାଙ୍କର କେତେଖଣ୍ଡ କାବ୍ୟ ବଙ୍ଗ ପ୍ରଦେଶରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା ।

ନିୟତି ଆମର ଭାଗ୍ୟବିଧାତା । ପରମାତ୍ମା ପରମେଶ୍ୱରଙ୍କ ଇଛାରେ ହିଁ ସବୁ ସୃଷ୍ଟି । ସେ ଆମ ପାଇଁ ସବୁକିଛି । ଭାଗବାନଙ୍କ ଯାହା ଇଛା ଥାଏ, ତାହାହିଁ ପୂରଣ ହୁଏ । ମଣିଷ ଯାହା ଭାବେ ତାହା ହୁଏ ନାହିଁ । ଏହି କଥାକୁ ଅତି ସୁନ୍ଦର ଭାବରେ ସେ “ନନ୍ଦିକେଶ୍ୱରୀ” କାବ୍ୟରେ ଲେଖିଛନ୍ତି – “ଶକ୍ତି ନାହିଁ ବସô କାହାରି ଜଗତେ /ନିୟତିକୁ ନେବ ନିଜ ଇଚ୍ଛାମତେ । ପ୍ରକୃତିର ଜଣେ ସାର୍ଥକ ରୂପକାର ଥିଲେ କବିବର ରାଧାନାଥ । ତାଙ୍କ ଲେଖନୀରେ ଭରି ରହିଥିଲା ମାଟି, ପାଣି, ପବନ ଓ ପାହାଡର ଅପରୂପ ବର୍ଣ୍ଣନା ।

ତାଙ୍କ ଜୀବନରେ ଭରି ରହିଥିଲା ବ୍ୟଥା, ବେଦନା ସବୁକଛି । କିନ୍ତୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ତାଙ୍କ ହାତରେ ଧରାଇଥିଲା ଲେଖନୀ, ମନରେ ଦେଇଥିଲା ସାହସ ଓ ମୁହଁରେ ଦେଇଥିଲା ଭାଷା । ସୌନ୍ଦର୍ଯ୍ୟ ପିପାସୁ ରାଧାନାଥଙ୍କୁ ସମୁଦ୍ରର ନୀଳ ଜଳରାଶି, ସନ୍ତରଣକ୍ଷମ ବିହଙ୍ଗ, ମଧୁର ସଙ୍ଗୀତ ମୂର୍ଚ୍ଛନା, ଉଦୟ-ଅସ୍ତକାଳୀନ ସୂର୍ଯ୍ୟଙ୍କ ଆଭା ଅତିମାତ୍ରାରେ ବିମୋହିତ କରିଥିଲା । ସେଥିପାଇଁ ଚିଲିକା ଠାରୁ ଆରମ୍ଭ କରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସବୁ କବିତାରେ ସେ ପ୍ରକୃତିର ବର୍ଣ୍ଣନା କରିଥିଲେ ଅତି ନିଖୁଣ ଭାବରେ । ତେଣୁ ତାଙ୍କୁ “ପ୍ରକୃତି କବି” ବୋଲି ମଧ୍ୟ କୁହାଯାଏ । ତାଙ୍କ ବିରଳ ସାରସ୍ୱତ ପ୍ରତିଭାକୁ ସ୍ୱୀକୃତି ଜଣାଇ ୧୮୯୬ ମସିହାରେ ଇଂରେଜ ସରକାର ତାଙ୍କୁ “ରାୟ ବାହାଦୂର” ଉପାଧି ପ୍ରଦାନ କରିଥିଲୋ ସେହିପରି ତାଙ୍କ କୃତିତ୍ୱକୁ ସମ୍ମାନ ଜଣାଇ ବାମଣ୍ଡା ରାଜା ତାଙ୍କୁ “କବିବର” ଉପାଧିରେ ସମ୍ମାନିତ କରିଥିଲେ ।

ଉକ୍ରଳମାତାର ଏହି ପ୍ରତିଭାଦୀପ୍ତ ମଣିଷ ଆଜି ଆମ ଗହଣରେ ନାହାନ୍ତି । ୧୯୦୮ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ତାଙ୍କ ସାରସ୍ୱତ ସାଧନା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

Leave A Reply