ପୁରୀ,୧୫/୫- ଆଜି ଭଉଁରୀ ତିଥିରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ତିନିରଥର ଚକ ଅଖ ଡେରା ନୀତି । ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇବା ପରେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା । ଆଜିର ଏହି ଚକଡେରା ନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ସବୁ ଆଶା ଓ ଆଶଙ୍କା ଦୂର ହୋଇଛି । ଅକ୍ଷୟତୃତୀୟାର ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ । ତେବେ ବିଳମ୍ବ ହେଉ ପଛେ ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ତେବେ ଆଜି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିନ ଏହି ଅନ୍ତିମ ଦିନକୁ ଭଉଁରୀଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସଂପନ୍ନ କରାଯାଇଥାଏ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ବିଶ୍ୱକର୍ମା ଓ ଭୋଇ ସେବାୟତମାନେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରିଛନ୍ତି । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୁପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇଥିଲେ । ପରେ ଭୋଇ ସେବକମାନେ ତିନିରଥର ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞାମାଳ ମହାରଣାମାନଙ୍କୁ ଦେଇ ବିଧି ସଂପନ୍ନ କରିଥିଲେ । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଭଉଁରୀ ତିଥିରେ ଚକଅଖ ଡେରା ନୀତି ସଂପାଦନା କରିବା ମହାରଣା ଓ ଭୋଇ ସେବକମାନଙ୍କ ପାଇଁ ଥିଲା ଏକ ବଡ ଚାଲେଞ୍ଜ । ତେବେ ଆଜି ଚକ ଅଖ ଡେରା ନୀତି ନିର୍ଦ୍ଧିଷ୍ଟ ସମୟରେ ସଂପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି । ଆଗାମୀ ୫ ତାରିଖ ଦିନ ସ୍ନାନପୂର୍ଣ୍ଣମୀ ତିଥିରେ ତିନିରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି । ତେଣୁ ସ୍ନାନପୂର୍ଣ୍ଣିମା ତିଥିରେ ଚାରି ନାହାକା ଡେରା ଉପରେ ସମସ୍ତଙ୍କର ନଜର ରହିଛି ।