Odisha news

କରୋନା ଆତଙ୍କ ବେଳାଭୂମୀ ଶୂନଶାନ, ମନ୍ଦିରରେ ନାହଁ ଦର୍ଶନାର୍ଥୀଙ୍କ ଭିଡ

0

ପୁରୀ:ସହରକୁ ଗ୍ରାସ କରିଛି କରୋନା ଆତଙ୍କ । ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କଟକଣା ପରେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳୀ ପୁରୀ ସହରର ହୋଟେଲ, ଲଜିଂ ହଲିଡ଼େ ହୋମ୍ ଏବେ ଫାଙ୍କା ଫାଙ୍କା । ସିଂହଦ୍ୱାର ଗହଳି ଶୂନ୍ୟ । ସ୍ୱର୍ଣ୍ଣାଭ ବେଳାଭୂମୀ ଶୂନଶାନ । ସହରର ସବୁ ବଡ ବଡ ସପିଂ ମଲ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ । ରାସ୍ତାଘାଟ ଅପେକ୍ଷାକୃତ ନିର୍ଜନ । ସବୁଆଡ଼େ ଖାଁ ଖାଁଁ ପରିବେଶ । ସରକାର କରୋନାକୁ ବିପର୍ଯ୍ୟୟ ଘୋଷଣା କରି ବିଭିନ୍ନ ଆଡଭାଇଜରି ଜାରି କରିବା ପରେ କମିଯାଇଛି ଯାତ୍ରୀ ଓ ପର୍ଯ୍ୟଟକଙ୍କ ଆଗମନ । ଲୋକମାନଙ୍କୁ ଘାରିଛି ଅଜଣା ଆତଙ୍କ । କରୋନା ଭୂତାଣୁ ସଂକ୍ରମଣର କୌଣସି ନିଦାନ ଅଦ୍ୟାବଧି ଆବିଷ୍କୃତ ହୋଇନଥିବା ସମ୍ପର୍କରେ ସବୁଠି ଚର୍ଚ୍ଚା । ଶୁକ୍ରବାର ଠାରୁ ସହରର ସବୁ ସରକାରୀ ସ୍କୁଲକୁ ଛୁଟି କରିଦିଆଯାଇଥିଲା । ସମସ୍ତ ଘରୋଇ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଦେବାକୁ ଶନିବାର ନିଦେ୍ର୍ଦଶ ଦିଆଯାଇଥିଲା ।

ତଦନୁଯାୟୀ ସବୁ ସ୍କୁଲ ବନ୍ଦ । ତେବେ ଆଜି କେତେକ ବିଦ୍ୟାଳୟରେ ପରୀକ୍ଷା ହୋଇଥିଲା । ବହୁ ଲୋକ ଏକତ୍ରିତ ହେଲେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶାନୁଯାୟୀ ଏବେ ଗ୍ରାହକଙ୍କ ଭିଡ ଲାଗି ରହୁଥିବା ବିଗ ବଜାର, ଏମ୍ ବଜାର, ବଜାର କୋଲକାତା, ବିଶାଲ ମେଗାମାର୍ଟ, ରିଲିଆନ୍ସ ପ୍ରେସ୍ ଆଦି ସପିଂ ମଲଗୁଡିକ ବନ୍ଦ ରହିଛି । ତେଣୁ ରାସ୍ତାରେ ଅପେକ୍ଷାକୃତ ଜନସମାଗମ ହ୍ରାସ ପାଇଛି । ଅତି ଜରୁରୀ ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିବାରୁ ଅନେକ ଲୋକ ଘର ଭିତରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । ହୋଟେଲ ଓ ଲଜିଂରେ ରହୁଥିବା ବହିରାଗତ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ବିଶେଷ ଆବଶ୍ୟକତା ନଥିଲେ ବାହାରକୁ ନବାହାରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜନଗହଳି ସ୍ଥାନମାନଙ୍କୁ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ସମୁଦ୍ର କୂଳକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଥିବା ବେଳେ ବେଳାଭୂମି ଖାଲି କରିଦେବା ପାଇଁ ଉଠା ଦୋକାନୀମାନଙ୍କୁ ଦିଆଯାଇଛି ନିଦେ୍ର୍ଦଶ । ତେଣୁ ବଡଦାଣ୍ଡ ଓ ସହରର ଅନ୍ୟ ମୁଖ୍ୟ ରାସ୍ତାମାନଙ୍କରେ ଲୋକଙ୍କ ଗହଳି ପ୍ରାୟତଃ ନାହିଁ । ପ୍ରତ୍ୟହ ପୁରୀ ସହରକୁ ୬୦ରୁ ୭୦ ହଜାର ଯାତ୍ରୀ ଏବଂ ପର୍ଯ୍ୟଟକ ଆସିଥାନ୍ତି । କରୋନା ଭୟରେ ସେମାନଙ୍କ ଆଗମନ ହ୍ରାସ ପାଇଛି ।

ସିଂହଦ୍ୱାରରେ ଦର୍ଶନାର୍ଥୀଙ୍କର ସେଭଳି ଗହଳି ନାହିଁ । ମନ୍ଦିରକୁ ଯିବା ପାଇଁ ପ୍ରଶାସନ ଜାରି କରିଥିବା କଟକଣା ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି । ଭକ୍ତମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରିବା ପରେ ମନ୍ଦିରକୁ ଯାଉଥିବା ଦେଖାଯାଉଛି । ଅଧିକାଂଶ ବ୍ୟକ୍ତି ମାସ୍କ ବ୍ୟବହାର କରୁଛନ୍ତି । ସିଂହଦ୍ୱାରରେ ଭକ୍ତମାନଙ୍କ ପାଇଁ ହାତ ଧୋଇବାର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀମାନଙ୍କୁ ପ୍ରଶାସନ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯାଉଛି । ମାସ୍କ ବ୍ୟବହାର କରିବା ଓ ଧାଡିରେ ମନ୍ଦିରକୁ ଯିବା ବେଳେ ତଥା ମନ୍ଦିର ଭିତରେ ପରସ୍ପର ଠାରୁ ଏକରୁ ଦେଢ଼ ମିଟର ପର୍ଯ୍ୟନ୍ତ ବ୍ୟବଧାନ ରଖିବା ପାଇଁ ସ୍ୱେଚ୍ଛାସେବୀମାନେ ପରାମର୍ଶ ଦେଉଛନ୍ତି । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ସ୍ପର୍ଶ କରିବାରେ କଟକଣା ଜାରି କରାଯାଇଛି । ଅରୁଣ ସ୍ତମ୍ଭକୁ ଯେପରି କେହି ଛୁଇଁ ନପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଗରୁଡ ସ୍ତମ୍ଭ ଓ ଦେବାଦେବୀଙ୍କ ବିଗ୍ରହକୁ ସ୍ପର୍ଶ ନକରିବା ପାଇଁ ମନ୍ଦିର ଭିତରେ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଯାତ୍ରୀ ଓ ପର୍ଯ୍ୟଟକମାନେ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । ତେବେ ପ୍ରଳୟଙ୍କରୀ ମହାବାତ୍ୟା ଫନି ଯୋଗୁଁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ପୁରୀର ପର୍ଯ୍ୟଟନ ଶିଳ୍ପ ଏବେ କରୋନା ଆତଙ୍କ ଯୋଗୁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

Leave A Reply