ପୁରୀ:ଅବାଧ ଟ୍ରଲର ଚଳାଚଳକୁ ନିୟନ୍ତ୍ରଣ କରିବାରେ ବନବିଭାଗ ବିଫଳ ହୋଇଛି । ନାମକୁ ମାତ୍ର କଟକଣା ଜାରି କରିଛି ବନବିଭାଗ । କିନ୍ତୁ କେତେକ ଅସାଧୁ ବନବିଭାଗ କର୍ମଚାରୀ ବେଆଇନ୍ ଟ୍ରଲର ଚଳାଚଳକୁ ପ୍ରୋତ୍ସାହନ ଦେଉଛନ୍ତି । ଫଳରେ ପ୍ରଜନନ ଋତୁରେ ସମୁଦ୍ର ମଧ୍ୟରେ ଟ୍ରଲର ମାଡ଼ରେ ମୃତୁ୍ୟ ବରଣ କରୁଥିବା ଶହ ଶହ ମଲା କଇଁଛଙ୍କ ମୃତଦେହ ପୁରୀ ସିପସୁରବାଲି, ବାଲି ହରଚଣ୍ଡୀ, ସିପକୁଦା, ବେଲେଶ୍ୱର, ରାମଚଣ୍ଡୀ, ଚନ୍ଦ୍ରଭାଗା, ନୂଆନଈ, କେଳୁଣି ମୁହାଣ ଓ ଜାହାନିଆ ବେଳାଭୂମିରେ ଲାଗୁଛି । ବୁଲା କୁକୁର ମଲା କଇଁଛଙ୍କ ଶବ ଝୁଣୁଛନ୍ତି । ସମୁଦ୍ରରେ ବହୁ ସଂଖ୍ୟକ ମଲା କଇଁଛ ଭାସୁଥିବା ଦେଖାଯାଉଛି । ପ୍ରଜନନ ଋତୁରେ ଅଲିଭ ରିଡ଼ଲେଙ୍କ ନିରାପଦ ଅଣ୍ଡାଦାନ ପାଇଁ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ନଭେମ୍ବର ପହିଲାରୁ ମେ ୩୧ପର୍ଯ୍ୟନ୍ତ ମାଛ ଧରା,ସମୁଦ୍ରରେ ମୋଟର ବୋଟ ଚଳାଚଳ ଓ ଟ୍ରଲରରେ ମାଛ ଧରିବା ଉପରେ ବନ ବିଭାଗ କଟକଣା ଜାରି କରିଛି । କଟକଣା ଜାରି ସତ୍ତ୍ୱେ ପ୍ରଜନନ ଋତୁରେ ଅବାଧ ଟ୍ରଲର ଚଳାଚଳ ଯୋଗୁଁ କଇଁଛମାନଙ୍କ ଅକାଳ ମୃତୁ୍ୟ ଘଟୁଛି । ଅସ୍ତରଙ୍ଗରେ ସମୁଦ୍ରକୂଳ ଠାରୁ ୨୦କି.ମି. ଓ ପୁରୀ ସମେତ ଜିଲ୍ଲାର ଅନ୍ୟସ୍ଥାନରେ ସମୁଦ୍ରକୂଳ ଠାରୁ ୫କି.ମି. ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ସୁରକ୍ଷିତ ପ୍ରଜନନ ଓ ଅଣ୍ଡାଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସମୁଦ୍ର କୂଳ ଠାରୁ ୫ଶହ ମିଟର ମଧ୍ୟରେ ଟ୍ରଲର ଚଳାଚଳ କରୁଥିଲେ ମଧ୍ୟ ତାହା ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ।
ନୋ ଫିସିଂ ଜୋନ୍ରେ ବେଆଇନ୍ ଭାବେ ବହୁ ଟ୍ରଲର ଚଳାଚଳ କରୁଛି । ଟ୍ରଲରଗୁଡ଼ିକର ପଙ୍ଖା ଓ ଜାଲ ମାଡରେ ପ୍ରତ୍ୟହ ହଜାର ହଜାର କଇଁଛ ମୃତୁ୍ୟବରଣ କରୁଛନ୍ତି । ଟ୍ରଲର ମାଡରେ କଇଁଛ ବଂଶ ନିପାତ ହେବାରେ ଲାଗିଛି । ପ୍ରତ୍ୟହ ଶହ ଶହ ମଲା କଇଁଛଙ୍କ ମୃତଦେହ ଲାଗୁଥିବାରୁ ବେଳାଭୂମିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତଟରକ୍ଷୀ ବାହିନୀ ଓ ପୁଲିସର ମିଳିତ ପାଟ୍ରୋଲିଂ ପାଇଁ ସରକାରଙ୍କ ନିଦେ୍ର୍ଦଶ ଥିଲେ ତହା କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ଟ୍ରଲରଗୁଡିକ ଅବାଧରେ କୂଳକୁ ଆସି ମାଛ ଧରୁଛନ୍ତି । ସୂଚନାଯୋଗ୍ୟ ଯେ ଧାମରା ନଦୀ ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ବିସ୍ତୃତ ଗହୀର ମଥା ଅଞ୍ଚଳ, ଗଞ୍ଜାମ ଜିଲ୍ଲାର ଋଷିକଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମି ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ଚିଲିକା ନଦୀ ମୁହାଣ ପର୍ଯ୍ୟନ୍ତ ବିସ୍ତୃତ ବେଳାଭୂମିରେ କଇଁଛମାନେ ମୁଖ୍ୟତଃ ଅଣ୍ଡା ଦେଇଥାନ୍ତି । ରାତିରେ କଇଁଛମାନେ ଦେଉଥିବା ଅଣ୍ଡାରୁ ମଧ୍ୟରାତ୍ରରେ ଛୁଆ ବାହାରନ୍ତି । ସକାଳ ହେବା ପୂର୍ବରୁ ନବଜାତ କଇଁଛ ଛୁଆମାନେ ସମୁଦ୍ରକୁ ଚାଲି ଯାଇଥାନ୍ତି । ଶିକାରୀ ପକ୍ଷୀ ଓ ଅନ୍ୟ ମାଂସାଶୀ ପଶୁମାନଙ୍କର ଶିକାର ନହେବା ଲାଗି କଇଁଛମାନେ ଅଣ୍ଡାକୁ ବାଲିରେ ପୋତି ଚାଲିଯାଇଥାନ୍ତି । ତେବେ କୁକୁର ଓ ଶିକାରୀ ପକ୍ଷୀ ଅନେକ ଅଣ୍ଡା ଖାଇ ଦେଇଥାନ୍ତି । କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ସେହି ବିପଦ ଅନେକାଂଶରେ ଦୂର ହୋଇଥିବାବେଳେ ଟ୍ରଲର ମାଡରେ କଇଁଛ ମଡକ ପରିବେଶ ଓ ପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି ।