ପୁରୀ: ଅଣବସର ଆଜି ହେଉଛି ପଞ୍ଚମ ଦିବସ। ଅଣବସର ଘରେ ଚାଲିଛି ଜ୍ବରରେ ପୀଡ଼ିତ ବିଗ୍ରହମାନଙ୍କର ଗୁପ ସେବା ନୀତି କାନ୍ତି । ବିଭିନ୍ନ ନୀତି କାନ୍ତି ପରେ ବିଗ୍ରହ ମାନଙ୍କୁ ଆଜି ଚକଟା ଓ ପଣା ଭୋଗ ଲାଗି ହୋଇଛି। ସେହିପରି ଜ୍ବରରେ ପୀଡ଼ିତ ହୋଇ ଥିବା ବିଗ୍ରହ ମାନଙ୍କୁ ଆଜି ଫୁଲୁରି ତେଲ ଲାଗି ହୋଇଛି। ଫୁଲୁରି ତେଲ ଲାଗି ପରେ ଶ୍ରୀବିଗ୍ରହ ମାନେ ଏବେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛନ୍ତି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ଯୋଗାଇ ଦିଆ ଯାଇଛି।
ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗଡ୍ଡୁ ଜଳ ଲାଗି ପରେ ବିଗ୍ରହ ମାନେ ଅସୁସ୍ଥ ହୋଇ ଅଣବସରରେ ଚିକିତ୍ସା ହେଉଛନ୍ତି । ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଅଲୌକିକ ମତରେ ଜ୍ୱର ଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯାଉଛି ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍ ହୋଇଛି ଫୁଲୁରୀ ତେଲ। ଏହି ଫୁଲୁରୀ ତେଲ ହେଉଛି ଆୟୁର୍ବେଦ ଦିବ୍ୟ ଔଷଧୀ।
ଫୁଲରୁ ଫୁଲୁରୀ ତେଲ ପ୍ରସ୍ତୁତ ହୋଇ ଥାଏ। ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ଫୁଲ ମଲ୍ଲୀ, କିଆ, କେତକି ସହ କିଛି ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ।
ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି। ଗତ ବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ହାଣ୍ଡିରେ ଘଣାପେଡ଼ା ରାଶି ତେଲରେ ଉପରୋକ୍ତ ଔଷଧୀୟ ଫୁଲ ଓ ଚେରମୂଳୀ ମିଶାଇ ଏହାକୁ ପ୍ରସ୍ତୁତ କରା ଯାଇଥିଲା। ଓଡ଼ିଆ ମଠ ପକ୍ଷରୁ ଅଣବସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ। ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତାପତି ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।
