ପୁରୀ,୧୦ା୧ :ବିପୁଳ ପରିମାଣର ବିଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ମଙ୍ଗଳାହାଟ ଅଞ୍ଚଳରୁ ଅବକାରୀ ବିଭାଗ ଜବତ କରିଛି । ଚଢାଉବେଳେ ଓଆର୧୩ଏଚ୍ ୯୦୯୩ ନମ୍ବର ବିଶିଷ୍ଟ ଅଟୋରୁ ୫୪.୮୧୦ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି ଚୋରାମାଦକ ଦ୍ରବ୍ୟ କାରବାରରେ ସମ୍ପୃକ୍ତ ସଦରଥାନା ଅନ୍ତର୍ଗତ ମଙ୍ଗଳାହାଟର କୁଶା ବରାଳ(୪୨)କୁ ଗିରଫ କରାଯାଇଛି । ଅଟୋରେ ବିଦେଶୀମଦ ଚାଲାଣ କରାଯାଉଥିବା ସୂଚନା ପାଇ ପୁରୀ ଅବକାରୀଥାନା ଭାରାପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନେତୃତ୍ୱରେ ଏଏସ୍ଆଇ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ କନଷ୍ଟେବଳ ଅଭିଜିତ ପ୍ରଧାନ ପ୍ରମୁଖ ମଙ୍ଗଳାହାଟଠାରେ ଛକି ରହିଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ମଦ ନେଇଯାଉଥିବା ଅଟୋକୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ବିଭିନ୍ନ ବ୍ରାଣ୍ଡର ୫୪.୮୧୦ଲିଟର ବିଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା । ପରେ ସେମାନେ ଅଟୋ ସହିତ ମଦକୁ ଜବତ କରି ସମ୍ପୃକ୍ତ ଡ୍ରାଇଭର କୁଶାକୁ ଗିରଫ କରିଥିଲେ । ଅଭିଯୁକ୍ତ ବିରୁଦ୍ଧରେ ପୁରୀ ଅବକାରୀଥାନାରେ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।