ପୁରୀ :ଆସନ୍ତାକାଲି ନୟାଗଡ଼ ଜିଲ୍ଲାର ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କ ନିକଟରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥଯାତ୍ରା ପାଇଁ କାଠ ଚିହ୍ନଟ ଅନୁକୂଳ ହେବ । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଳ, ମହାପ୍ରସାଦ, ଖଣ୍ଡୁଆ ଓ ଶ୍ରୀଫଳ ନେଇ ଶ୍ରୀମନ୍ଦିର ପ୍ରଶାସନର ଏକ କାଠ ଚିହ୍ନଟକାରୀ ଦଳ ବଡରାଉଳ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଅପରାହ୍ନ ୨ଟାରେ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମୀନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ନୟାଗଡ଼ ଜିଲ୍ଲାର ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିନିଧି ଦଳ ସେଠାରେ ପହଞ୍ଚିବା ପରେ ଆସନ୍ତାକାଲି ପୂଜାର୍ଚ୍ଚନା ପରେ ଜଙ୍ଗଲକୁ କାଠ ଚିହ୍ନଟ ପାଇଁ ଯିବେ । କାଠ ଚିହ୍ନଟ ପରେ କଟା ପ୍ରକି୍ରୟା ଆରମ୍ଭ ହେବ । ପର୍ଯ୍ୟାୟ କ୍ରମେ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବ । ପରମ୍ପରା ଅନୁଯାୟୀ ଆସନ୍ତା ଶ୍ରୀପଞ୍ଚମୀ ତିଥିରେ ରଥଖଳାରେ ରଥକାଠ ଅନୁକୂଳ ହେବ । ରଥକାଠ ଅନୁକୂଳ ଲାଗି ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠ ଆବଶ୍ୟକ । ତେଣୁ ସରସ୍ୱତୀ ପୂଜା ପୂର୍ବରୁ ଧଉରା କାଠ ଥିବା ଦୁଇ ଟ୍ରକ୍ କାଠ ପୁରୀରେ ପହଞ୍ଚିବ । ସୂଚନାଯୋଗ୍ୟଯେ ଶ୍ରୀଜିଉମାନଙ୍କ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ତେବେ ଗତବର୍ଷ ୮୦ଖଣ୍ଡ ବଳକା କାଠ ଗଚ୍ଛିତ ଥିବାରୁ ଚଳିତବର୍ଷ ପାଇଁ ଆବଶ୍ୟକ ୭୮୫ଖଣ୍ଡ କାଠ ଯୋଗାଇ ଦେବା ଲାଗି ବନବିଭାଗକୁ ଜଣାଇ ଦିଆଯାଇଛି ।