ଭାରତ ସ୍ୱାଧିନ ହେଲା ପରଠାରୁ ଦେଶର ସମ୍ବଳ ଓ ଦକ୍ଷତାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ଜରିଆରେ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି । ସ୍ୱାଧିନ ସମୟରେ ଦେଶର ଅର୍ଥନୀତି ସଂପୁର୍ଣ୍ଣ ସିମିତ ଥିଲା, ଦେଶରେ ଦାରିଦ୍ର୍ୟ ଏକ ମହାମାରୀ ଭଳି କାୟା ବିସ୍ତାର କରି ରହିଥିଲା । ଅଧିକାଂଶ ଜନତା ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ, ସମ୍ପୁର୍ଣ୍ଣ ରୂପେ ପ୍ରକୃତିକୁ ନିର୍ଭର କରି ଚାଷ କରୁଥିବା ଚାଷୀମାନେ ପ୍ରାକୃତିକ ବିପର୍ଯୟ ଦ୍ୱାରା କବଳିତ ହୋଇ ଅଭାବ ଅନାଟନରେ କାଳାତିପାତ କରୁଥିଲେ । ଚାଷ ଭିନ୍ନ ଅନ୍ୟ ପନ୍ଥା ନ ଥିବା ହେତୁ ସେହି ଚାଷ ଉପରେ ନିର୍ଭର କରି ଅଧିକାଂଶ ଜନତା ଚଳୁଥିବା ହେତୁ ଦେଶରେ ବହୁ ମାତ୍ରାରେ ଖାଦ୍ୟାଭାବ ମଧ୍ୟ ଦେଖା ଦେଇଥିଲା । ସ୍ୱାଧିନ ଭାରତର ସରକାର ବିଭିନ୍ନ ଜନ ହିତକର ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କ ଅଭିବୃଦ୍ଧିରେ ସହାୟକ ହେଲେ, ଫଳରେ ଦେଶରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନାର ପରିକଳ୍ପନା କରାଯାଇ ଲୋକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଗଲା ।
କୃଷିର ଉନ୍ନତି ପାଇଁ ଇଂରେଜ ଶାସନ ସମୟରୁ ଚେଷ୍ଟା କରାଯାଇଥିଲା, ସେ ସମୟରେ ଭାରତବର୍ଷରେ ଇଂରେଜ ସରକାର ଅଧିକ ଶଷ୍ୟ ଉତ୍ପାଦନ ନାମରେ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରି ଅଧିକ ଅମଳ ପାଇଁ ଚେଷ୍ଟା କରିଥିଲେ । ହେଲେ ଆମ ଦେଶରେ ଜଳସେଚନ ଓ ଆଧୁନିକ ପ୍ରଣାଳିର ଚାଷ ପାଇଁ ଚାଷୀ ପାଖରେ ସେଭଳି କୌଣସି ବାବସ୍ଥା ନ ଥିବା ହେତୁ କ୍ରମେ ସେ ବିଭାଗର ଗୁରୁତ୍ୱ ହ୍ରାସ ପାଇଥିଲା । ଦେଶ ସ୍ୱାଧିନ ପରେ ବହୁ ଜଳ ସେଚନ ପ୍ରକଳ୍ପର ଆରମ୍ଭ ହେଲା, ଜୈବ ସାର ସାଙ୍ଗକୁ ରାସାୟନିକ ସାର ବୟବହାର ପାଇଁ ଚାଷୀକୁ ପ୍ରବର୍ତାଇବା ସହ ଚାଷର ଆବଶ୍ୟକତାକୁ ପୁରଣ କରିବା ପାଇଁ ରାସାୟନିକ ସାର କାରଖାନା ମଧ୍ୟ ସ୍ଥାପନ କରି ବହୁଳ ଭାବରେ ସୁଲଭ ଦରରେ ଚାଷୀକୁ ସାର ଯୋଗାଇ ପାରିଲେ । ଚାଷୀ ବିଭିନ୍ନ ଯୋଜନାକୁ ଠିକ ଭାବେ ଜାଣି ଚାଷରେ ଠିକ ଭାବରେ ଉପଯୋଗ କରିବା ପାଇଁ ଶିକ୍ଷା ଏକ ବଡ ଭୂମିକା ନେଲା । ଫଳରେ ଶିକ୍ଷାକୁ ସାର୍ବଜନୀନ କରି ସମସ୍ତଙ୍କୁ ଶିକ୍ଷିତ କରିବା ପାଇଁ ସରକାର ପଦକ୍ଷେପ ନେଲେ ।
କିନ୍ତୁ ଏ ସମସ୍ତ ବାଦ, ଦେଶରେ ଜଳସେଚନ ପ୍ରତ୍ୟେକ ଚାଷୀକୁ ଯୋଗାଇ ହେଲା ନାହିଁ, ସମସ୍ତଙ୍କୁ କର୍ମ ସଂସ୍ଥାନ ମଧ୍ୟ ଯୋଗାଇବା ସମ୍ଭବ ହେଉ ନ ଥାଏ । ଲୋକ ପ୍ରକୃତିର କୃର ପରିହାସରେ ଅନାହାର ଦୁର୍ଭିକ୍ଷ ଭଳି କଷ୍ଟରେ ବଂଚିବାର ସଂଗ୍ରାମ କଲା । କ୍ରମେ ସରକାର ଦେଶରେ ବହୁଳ ଭାବରେ କଳକାରଖାନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଜରିଆରେ ଲୋକଙ୍କୁ ଆତ୍ମ ନିର୍ଭର କରିବାର ରାସ୍ତା ଦେଖାଇଲା । ଆଜି ଯେଉଁ ପ୍ରଗତିଶୀଳ ଭାରତ ଆମେ ଉପଭୋଗ କରୁଛନ୍ତି, ତା ସେହି ପରିଶ୍ରମର ଅଂଶବିଶେଷ । ଲୋକ ଶିକ୍ଷିତ ହେଲେ, କଳକାରଖାନାରେ ଓ ବିଭିନ୍ନ ସଂସ୍ଥାରେ କମ କରି ଭଲ ରୋଜଗାର କଲେ । ଚାଷର ଯେଉଁ ଭଳି ଭାବେ ବିକାଶ ହେବା କଥା, ତା ହୋଇ ପାରିଲା ନାହିଁ, ଜଳ ସେଚନର ଯେଭଳି ବିକାଶ ହେବା କଥା ତା ଆଦୌ କରାଗଲା ନାହିଁ, ଲୋକଙ୍କୁ ବିକାଶର ନୂଆ ନୂଆ ଦିଶା ଦେଖାଇବା ପରିବର୍ତେ, ରାଜନୈତିକ ଫାଇଦା ପାଇବା ପାଇଁ ଚାଷକୁ ଗୌଣ କରିଦେଇ ସେମାନଙ୍କୁ ମାଗଣା ଚାଉଳ, ଡାଲି, ଜୋତା, ଛତା ଆଦି ଯୋଗାଇ ଦିଆଗଲା ।
ଛୁଆଟିଏ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାକୁ କିଛି କିଛି ମାଗଣା ପାଇବା ପାଇଁ ବ୍ୟବସ୍ଥା କରାଗଲା । ଯେତେବେଳେ ଚାଷୀ ମାଗଣା ପାଇବାର ସ୍ୱାଦ ଚାଖିଲା ଓ ମରୁଡି, ଅନାହାରରୁ ନିଜକୁ ବଂଚାଇ ପାରିଲା, ସେ ସରକାରଙ୍କ ନାମ ଗାନ କରିବାକୁ ଲାଗିଲା, ଚାଷକୁ ଆଉ ଗୁରୁତ୍ୱ ଦେଲା ନାହିଁ । ବର୍ତମାନ ଯେଉଁମାନେ ଚାଷ କରିବାକୁ ମନ ବଳାଉଛନ୍ତି, ସେମାନଙ୍କୁ ଚାଷ କରିବା ପାଇଁ ଶ୍ରମିକ ମିଳୁ ନାହାଁନ୍ତି । ସରକାରଙ୍କ ଅପରିଣାମଦର୍ଶୀ କାର୍ଯ୍ୟକ୍ରମ ଦେଶର ଚାଷୀମନଙ୍କ ପେଟକୁ ନାତ ମାରୁଛି । ଚାଷୀ ତାର ଉତ୍ପାଦ ଦ୍ରବ୍ୟକୁ ସଠିକ ଭାବେ ବଜାର କରି ପାରୁନାହିଁ କି ଉଚିତ ପ୍ରାପ୍ୟ ମଧ୍ୟ ପାଇ ପାରୁ ନାହିଁ । ଆଜି ଜଗତିକରଣ ଦେଶକୁ ବିକାଶର ଏକ ସୋପାନରେ ପହଂଚାଇ ଦେଇଥିବା ବେଳେ ଚାଷୀ ଆଜିବି ମଧ୍ୟସ୍ଥିମାନଙ୍କ କବଳରେ କବଳିତ । ଦେଶର ସରକାର ଚାଷୀମାନଙ୍କ କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଚାଷର ଉନ୍ନତି ନ ହେବା ଯାଏ, ଉତ୍ପାଦନର ବୃଦ୍ଧି ନ ହେବା ଯାଏ, ଦେଶର ଅର୍ଥନୀତିର ବିକାଶ ହେବ ନାହିଁ, କି ସାଧାରଣ ଜନତାର ବିକାଶ ହେବ ନାହିଁ ।
ଚାଷୀର ମୁଣ୍ଡପିଛା ଆୟର ହିସାବ ସ୍ୱତନ୍ତ୍ର ଭାବରେ ହିସାବ ନ କରି ଦେଶର ସରକାରୀ ଚାକିରିଆ, କଳକାରଖାନାରେ କାମ କରୁଥିବା ଲୋକଙ୍କ ସହ ହିସାବ କରାଯାଉଛି, ଦେଶ ପୁଂଜିପତିର ରୋଜଗାର ଚାଷୀ ରୋଜଗାର ସହ ମିଶାଇ ବାହାବା ନେଉଛି, ଦେଶ ଆଗେଇଛି । ବାସ୍ତବ ଚିତ୍ର କଣ? ଚାଷୀ ଆଜି ନିଜ ଚାଷ ଜମିକୁ ପଡିଆ ପକାଇ କୌଣସି କଳ କାରଖାନାରେ ଶ୍ରମିକ ଭାବେ କାମ କରୁଛି ତ ନହେଲେ ବାହାରକୁ ଯାଇ ଦାଦନ ଖଟୁଛି । ଚାଷରୁ ଏକ ନିର୍ଦ୍ଦିଷ୍ଟ ରୋଜଗାର ପାଇ ପାରୁ ନଥିବା ବେଳେ କେଉଁଠି ଶ୍ରମିକ ଭାବେ କାମ କଲେ ବେଳବୁଡକୁ ନିର୍ଦ୍ଦିଷ୍ଟ ବାବେ କିଛି ଟଙ୍କା ପାଇପାରୁଛି, ନିଜ ଗୁଜୁରାଣ ମେଂଟାଇବା ସହ ପୁଅ, ଝିଅ ଓ ସ୍ତ୍ରୀର ଆବଶ୍ୟକ ପୁରଣ କରିପାରୁଛି ।
ଆଲୋଚନା ମଧ୍ୟରେ ଏକ ମୁଖ୍ୟ ପ୍ରସଙ୍ଗ ହେଲା ଦରବୃଦ୍ଧି । ଆଜି ପ୍ରତ୍ୟେକ ଲୋକଙ୍କୁ ବାଧୁଛି ଦର ବୃଦ୍ଧି, କି ଧନି କି ଗରୀବ, କି କଂଗ୍ରେସ କି ବିଜେପି । କିଏ କହି ପାରୁଛି, ଆଉ କିଏ ଘର କୋଣେ ବସି କାନ୍ଦୁଛି, ଫରକ ଏତିକି । ଦରବୃଦ୍ଧି ହେଲେ ଦେଶର ବିକାଶ ହେବ ବୋଲି ଯେଉଁ ଅର୍ଥବିଶାରଦମାନେ ଭାବୁଛନ୍ତି, ତା’ କେବଳ କାହାକୁ ତୋଷାମଦ କରୁଥିବା ପରି ଜଣାଯାଏ । ଦେଶ ସ୍ୱାଧିନ କାଳରୁ ବା ତାର ଢେର ବହୁ ଆଗରୁ କେତେକ ସାମଗ୍ରୀକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବରେ ନେଇ ସେସବୁର ଦରକୁ କଦାପି ବଢିବାକୁ ଦେଇ ନ ଥାନ୍ତି । ଫଳରେ ତାହା ଦେଶର ଅନ୍ୟ ଉତ୍ପାଦ ସାମଗ୍ରୀ ଉପରେ ପ୍ରଭାବ ପକାଇ ନ ଥାଏ । କିନ୍ତୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦର ପ୍ରଭାବିତ ହେଲା ଭଳି କୌଣସି ପଦକ୍ଷେପ ନେବାକୁ କୌଣସି ସରକାର ସାହସ କରନ୍ତି ନାହିଁ ।
ଏହା ଦ୍ୱାରା ସାଧାରଣ ଜନତା ଉପରେ ତାର ପ୍ରତ୍ୟକ୍ଷ ପ୍ରଭାବ ପଡିଥାଏ । ବର୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ହିଁ ପ୍ରତ୍ୟେକ କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି, ଚାଷଠାରୁ ଗମନାଗମନ ସହ ପରିବହନ ବିନା କୌଣସି କାର୍ଯ୍ୟ ସମାହିତ ହୋଇପାରିବ ନାହିଁ । ଚାଷୀ ପାଇଁ ଟ୍ରକ୍ଟରର ଆବଶ୍ୟକତା ଯେମିତି ରହିଛି, ସେହିଭଳି ତେଲ ବିନା ଚାଷ କରିପାରିବ ନାହିଁ । କିନ୍ତୁ ତୈଳ ଦର ଯେଭଳି ଭାବରେ ବଢିଛି ସରକାର ସେହି ହାରରେ ଚାଷୀମାନଙ୍କର ଉତ୍ପାଦ ସାମଗ୍ରୀର ଦର ବଢାଇ ନାହାନ୍ତି । ଯଦି ଚାଷୀ ଉତ୍ପାଦ ସାମଗ୍ରୀର ଦର ନିର୍ଦ୍ଦାରଣ କରିବ, ତେବେ ସେହି ଦର ନିଶ୍ଚିତ ପକ୍ଷେ ଗ୍ରହଣୀୟ ହେବ ନାହିଁ ।
ଚାଷୀ ଯେତେବେଳେ ତାର ଉଚିତ ମୂଲ୍ୟ ନ ପାଇବ, ତେବେ ଚାଷ କାହିଁକି କରିବ? ଏ ସମସ୍ତ କଥାକୁ ସାମଗ୍ରିକ ଭାବରେ ଆଲୋଚନା କରିବାକୁ ହେଲେ ସରକାର ଦରକୁ ଯେ କୌଣସି ପ୍ରକାରେ ସ୍ଥିରତା ରଖିବା ଆବଶ୍ୟକ । ନଚେତ ଦେଶର ସମସ୍ତ ସାମଗ୍ରୀର ଦର ବୃଦ୍ଧି ହେବ । କିଛି ଲୋକଙ୍କର ମତ ଯେ ଦେଶକୁ ବିକାଶ ଦିଗରେ ନେବାକୁ ହେଲେ ସରକାରଙ୍କର ଅର୍ଥର ଆବଶ୍ୟକ ରହିଛି, ସେ ଅର୍ଥ ସରକାର ଆଣିବେ କେଉଁଠୁ ? ଏହା କୌଣସି ପ୍ରକାରେ ଉଚିତ ଉତର ହୋଇ ନ ପାରେ । ଦେଶର ବିକାଶର ଧାରାକୁ ଚଳାଇବାକୁ ହେଲେ ସରକାର କୌଣସି ନା କୌଣସି ନୂତନ ପନ୍ଥା ବାହାର କରିବା ଆବଶ୍ୟକ । ଦେଶରେ ଥିବା ରାଷ୍ଟ୍ରାୟତ ଉଦେ୍ଦାଗଗୁଡିକୁ ଘରୋଇକରଣ ନାଆଁରେ ଯେଭଳି ଭାବରେ ଶାଗମାଛ ଦରରେ ପୁଂଜିପତି ହାତକୁ ଟେକି ଦିଆଯାଉଛି, ତା’ ଦ୍ୱାରା ଦେଶର ବିକାଶ ହେବା ପରିବର୍ତେ ଦେଶରେ ବେକାରୀ ଓ ଶୋଷଣ ବହୁମାତ୍ରାରେ ବଢିବ । ସରକାର ଯେତେବେଳେ ମଙ୍ଗଳକାରୀ ଶାସନ ଦିଏ ସେତେବେଳେ ଲୋକ ଆନନ୍ଦରେ କାଳାତିପାତ କରିବା ସହ ଜନାଦୃତ ହୋଇଥାଏ ।
ସରକାର ଯେଭଳି ଭାବରେ ତୈଳ ଉପରେ ଉତ୍ପାଦ ଶୁଳ୍କ ନେଉଛନ୍ତି, ତା ଜନମଙ୍ଗଳ ପରିବର୍ତେ ଜନବିରୋଧ ହୋଇଛି । ରାଜ୍ୟ ସରକାର ଭାଟ ଅଧିକ ନେଉଥିବା ମଧ୍ୟ ଆଲୋଚନା ହେଉଛି, ହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରକୁ ତାଗିଦ କରିବା ପୂର୍ବରୁ ଉତ୍ପାଦ ଶୁଳ୍କ ଯଦି ୟୁପିଏ ସରକାର ସମୟର ନିଅନ୍ତେ, ତେବେ ରାଜ୍ୟ ସରକାରର ଅନୁରୂପ ଭାବରେ ଭାଟ କମ କରିବାକୁ ବାଧ୍ୟ ହୁଅନ୍ତେ । ପେଟ୍ରୋଲ ଓ ଡିଜେଲ ଦରର ସ୍ଥିରତା ଆସିଲେ, ଅନ୍ୟ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରରେ ମଧ୍ୟ ସ୍ଥିର ହୁଅନ୍ତା । ଏଣୁ ଏ କଥା ଓଚ୍ଛ, ଦେଶର ବିକାଶ ଭଲ ଭାବରେ ହୋଇପାରନ୍ତା, ଯଦି ଦରରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିରତା ରଖନ୍ତେ ।
ଗୋପାଳ ଚନ୍ଦ୍ର ନାଥ, ସାମ୍ବାଦିକ, ଅନୁଗୋଳ ।
Comments are closed.