ନୂଆଦିଲ୍ଲୀରେ “ଦ ପବ୍ଲିକ୍ ପ୍ରେସିଡେଣ୍ଟ୍” ପୁସ୍ତକ ଉନ୍ମୋଚିତ , ମହାମହିମ ରାଷ୍ଟ୍ରପତିଙ୍କ ଜୀବନ ଥିଲା ସଂଘର୍ଷମୟ – ଧର୍ମେନ୍ଦ୍ର ପ୍ରଧାନ
• ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଟୋକୋଲରୁ ଉର୍ଦ୍ଧ୍ୱରେ ରହି ତଥା ସବୁ ପ୍ରତିବଦ୍ଧକକୁ ଦୂର କରି ଲୋକଙ୍କୁ ଭେଟନ୍ତି
• ଆଦର୍ଶ ତ୍ରିପାଠୀଙ୍କ ପରି ଯୁବ ଲେଖକ କମ ବୟସରୁ ଏଭଳି ପୁସ୍ତକ ଲେଖିବା ପ୍ରଶଂସନୀୟ
• ରାଷ୍ଟ୍ରପତିଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ
• ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱଭାବ ବହୁତ ଉଚ୍ଚକୋଟୀର, ଆମ ଓଡ଼ିଶାକୁ ସେ ନୂଆ ପରିଚୟ ଦେଇଛନ୍ତି
• ନବଗଠିତ ଜାତୀୟ ପୁସ୍ତକ ପ୍ରୋତ୍ସାହନ ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୪ – ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଟୋକୋଲରୁ ଉର୍ଦ୍ଧ୍ୱରେ ରହି ତଥା ସବୁ ପ୍ରତିବଦ୍ଧକକୁ ଦୂର କରି ଲୋକଙ୍କୁ ଭେଟନ୍ତି । ପ୍ରଜାତନ୍ତ୍ରରେ ସେ ହେଉଛନ୍ତି ଲୋକଙ୍କ ନେତା । ସେ ହେଉଛନ୍ତି ପିପୁଲ ଲିଡର୍, ଯାହା ସେ ନିଜକୁ ପ୍ରମାଣିତ କରିସାରିଛନ୍ତି ବୋଲି ବୁଧବାର ନୂଆଦିଲ୍ଲୀରେ ଆଦର୍ଶ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଇଂରାଜି ପୁସ୍ତକ “ଦ ପବ୍ଲିକ୍ ପ୍ରେସିଡେଣ୍ଟ୍” ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ଜଣେ ଯୁବ ଲେଖକ କମ ବୟସରୁ ଏଭଳି ପୁସ୍ତକ ଲେଖିବା ପ୍ରଶଂସନୀୟ । ୨୦୩୬ରେ ଓଡ଼ିଶା ଭାଷା ଆଧାରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଆଦର୍ଶଙ୍କ ଭଳି ଯୁବ ଲେଖକମାନେ ହିଁ ଆଜିଠୁ ଏହାର ମୂଳଦୁଆ ପକାଇଲେ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗୋଟିଏ ସଭ୍ୟତା ସବୁବେଳେ ପରିଚୟର ଅନ୍ୱେଷଣରେ ଥାଏ । ସର୍ବଦା ଆମର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛି ଓଡ଼ିଆ ଲୋକଙ୍କ ପରିଚୟ । ଅପରପକ୍ଷରେ ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ ହୋଇ ସମଗ୍ର ଓଡ଼ିଶା ପାଇଁ ଦେଶରେ ଏକ ନୂଆ ପରିଚୟ ତିଆରି କରିଛନ୍ତି । ରାଷ୍ଟ୍ରପତିଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିବା ସହ ସେ କହିଛନ୍ତି ଯେ ଗୋଟିଏ ସମୟରେ ଜନଜାତି ସମାଜର ଲୋକଙ୍କୁ ଜାତି ସାର୍ଟିଫିକେଟ୍ ଆଣି ଭୁବନେଶ୍ୱରରେ ପଢିବା କଷ୍ଟସାଧ୍ୟ ଥିଲା । ମାତ୍ର ସେଭଳି ଏକ ସମୟରେ ଶ୍ରୀମତୀ ମୁର୍ମୁ ଜାତି ସାର୍ଟିଫିକେଟ୍ ଆଣି ନିଜ ଗାଁର ଗୁରୁଜନଙ୍କ ପାଖକୁ ଯାଇ ଭୁବନେଶ୍ୱରକୁ ଯାଇ ପଢିବାକୁ ଇଚ୍ଛା କରିଥିଲେ । ପରେ ସେ ୨୦୦୦ ମସିହାରେ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇଥିଲେ । ତାଙ୍କର ଏକ ମଣିଷ ପଣିଆ ଥିଲା । ତାଙ୍କର ସ୍ୱଭାବ ଥିଲା ଉଚ୍ଚକୋଟୀର ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ନବଗଠିତ ଜାତୀୟ ପୁସ୍ତକ ପ୍ରୋତ୍ସାହନ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠ ସଂସ୍କୃତିକୁ ଆପଣାଇବା ଏବଂ ସୁଦୃଢ଼ କରିବା, ପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀର ଗୁଣବତ୍ତା ବୃଦ୍ଧି କରିବା ଏବଂ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପୁସ୍ତକର ଉପଲବ୍ଧତା, ସୁଗମତା ଏବଂ ସୁଲଭତାରେ ଉନ୍ନତି ଆଣିବା ପାଇଁ ପରିଷଦର ଉଚ୍ଚ ଚିନ୍ତାଧାରା ଏବଂ ମୂଲ୍ୟବାନ ପରାମର୍ଶଗୁଡ଼ିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ଜାତୀୟ ପୁସ୍ତକ ପ୍ରୋତ୍ସାହନ ନୀତି ଦେଶର ପୁସ୍ତକ ଏବଂ ପାଠାଗାର ଆନ୍ଦୋଳନକୁ ପୁନର୍ଜୀବିତ କରିବା ଲକ୍ଷ୍ୟ ରଖିଛି । ପାଠ ସଂସ୍କୃତିକୁ ବିକଶିତ କରିବା ଏବଂ ପୁସ୍ତକ ପ୍ରତି ଆଗ୍ରହକୁ ପୁନର୍ଜୀବିତ କରିବା ପାଇଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଏବଂ ସମନ୍ୱିତ କରିବା ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ଆଦର୍ଶ ତ୍ରିପାଠୀ, ସାଇ ଇଣ୍ଟରନ୍ୟାସନାଲ ଏଜ୍ୟୁକେସନ ଗ୍ରୁପର ଅଧ୍ୟକ୍ଷା ଡଃ ଶିଳ୍ପୀ ସାହୁ, ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।