Odisha news

୭୪ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଅଭିନନ୍ଦନ

0

ନୂଆଦିଲ୍ଲୀ : ୭୪ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟିଭିରେ ଉଦବୋଧନ ଦେଇଛନ୍ତି। କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି। କରୋନା ଲଢ଼େଇର ସମ୍ମୁଖ ଭାଗରେ ରହି ନିରନ୍ତର ଲଢ଼େଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଦେଶ ଋଣୀ। ‌ତେବେ ଦୁର୍ଭାଗ୍ୟର ବିଷୟ ମହାମାରୀରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଚାଲିଯାଇଛି। କିନ୍ତୁ ସେମାନେ ହେଉଛନ୍ତି ଆମ ଜାତିର ଯୋଦ୍ଧା।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଚୀନକୁ କଡ଼ା ସମାଲୋଚନା କରିଛନ୍ତି। ବିଶ୍ବ ଏବେ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବାବେଳେ ଆମର ପଡ଼ୋଶୀ ତାର ବିସ୍ତାରବାଦୀ କାର୍ଯ୍ୟ ଚତୁରତାର ସହ କରିଛି। ତେବେ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମ ବୀର ଯବାନମାନେ ସହିଦ ହୋଇଛନ୍ତି। ଗଲୱାନ ଘାଟିରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମର ସେନା, ପୁଲିସ ଓ ଅର୍ଦ୍ଧ ସାମରିକ ବଳ ଯେଉଁମାନେ ଆମର ଦେଶକୁ ସୁରକ୍ଷା ଯୋଗାଉଛନ୍ତି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନିଶ୍ଚିତ କରିଛନ୍ତି ସେମାନଙ୍କ ପାଇଁ ଆମେ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।

ମହାତ୍ମା ଗାନ୍ଧୀ ଆମର ସ୍ବାଧୀନତା ଆନ୍ଦୋଳନକୁ ବାଟ ଦେଖା‌ଇଥିବାରୁ ଆମେ ଭାଗ୍ୟବାନ। ତାଙ୍କଠାରେ ଜଣେ ସନ୍ଥ ଓ ରାଜନେତାଙ୍କ ବ୍ୟକ୍ତିତ୍ବର ପରିସ୍ପୁଟ ହୋଇଥିଲା। ଏହା କେବଳ ଭାରତରେ ହୋଇପାରେ ବୋଲି ରାଷ୍ଟ୍ରପତି କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଆମ ଦେଶକୁ ଦିଶା ନିର୍ଦ୍ଦେଶ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

କରୋନା ମହାମାରୀ ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ଅନ୍ୟଦେଶକୁ ବି ସାହାଯ୍ୟ ଯୋଗାଇଛି। ସଂକଟ ସମୟରେ ଭାରତ ବିଶ୍ବ ସହିତ ଛିଡ଼ା ହୋଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟତା ପାଇଁ ହୋଇଥିବା ନିର୍ବାଚନରେ ଆମ ଦେଶ ବିଜୟୀ ହୋଇଥିବାରୁ ଭାରତ ପ୍ରତି ବିଶ୍ବର ରହିଥିବା ସଦିଚ୍ଛାର ପ୍ରମାଣ ମିଳିଛି। ରାମ ଜନ୍ମଭୂମି ବିବାଦର ସମାଧାନ ନ୍ୟାୟିକ ପ୍ରକ୍ରିୟାରେ ହୋଇଛି। ସବୁପକ୍ଷ ଏବଂ ଲୋକ ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନର ସହ ଗ୍ରହଣ କରି ଭାରତ ଶାନ୍ତି, ଅଂହିସା, ପ୍ରେମ ଓ ସଂହତିର ପ୍ରତୀକ ବୋଲି ପ୍ରମାଣ ଦେଇଛନ୍ତି।

କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ଘୋଷଣା କରିଛନ୍ତି। ଏହି ନୀତି କାର୍ଯ୍ୟକାରୀ ହେବାଦ୍ବାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବ। ଭବିଷ୍ୟତର ସମସ୍ୟାଗୁଡ଼ିକୁ ଏହା ସୁଯୋଗରେ ପରିଣତ କରିବ। ‘ନୂଆ ଭାରତ’ ପାଇଁ ଏହା ପଥ ପ୍ରସ୍ତୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ମନୁଷ୍ୟ ପ୍ରକୃତିର ନିୟନ୍ତା ବୋଲି ରହିଥିବା ଭ୍ରମଧାରଣାକୁ ଅଦୃଶ୍ୟ ଭୂତାଣୁ ଭୁଲ ପ୍ରମାଣିତ କରିଛି। କରୋନା ମହାମାରୀବେଳେ ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଛି। ଏଥିରୁ ଅନ୍ୟକୁ ସବୁସମୟରେ ସାହାଯ୍ୟ କରିବାକୁ ଆମ ଦେଶ ପ୍ରସ୍ତୁତ ଥିବାର ନିଦର୍ଶନ ବିଶ୍ବକୁ ମିଳିଛି। ଭାରତ ସମଗ୍ର ବିଶ୍ବକୁ ଏକ ପରିବାରଭାବେ ବିଚାର କରୁଥିବା ବିଷୟକୁ ସମଗ୍ର ବିଶ୍ବ ସ୍ବୀକୃତି ଦେଇଛି।

IEC 2 years
Leave A Reply