ଡ଼ ପ୍ରତିଭା ମହାରଥୀ : କରୋନା ଭୂତାଣୁର ଆକ୍ରମଣରେ ଆଜି ସାରା ବିଶ୍ୱ ଆତଙ୍କିତ । ଘରେ, ବାହାରେ ସବୁଠାରେ ପରିବେଶ ଅଶାନ୍ତ । ବେଳକୁବେଳ ମନକୁ ଭୟ, ନିରାଶା, ଅବସାଦ ଭାରାକ୍ରାନ୍ତ କରିପକାଉଛି । ଜୀବନ ଓ ଜୀବିକା ଉଭୟର ସଂଜ୍ଞା ଯେପରି ବଦଳି ବଦଳି ଯାଉଛି । କାହାରି ପରାମର୍ଶ, ପ୍ରବୋଧନା ପ୍ରତି ସମସ୍ତଙ୍କର ଏବେ ଏକ ବୀତସ୍ପୃହ ଭାବାବେଗ ସୁସ୍ପଷ୍ଟ । କିନ୍ତୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରାୟ ଅଧିକାଂଶ “ଅଚୁ୍ୟତ ମାଳିକା’ ପ୍ରତି ଆକର୍ଷିତ ହୋଇପଡ଼ିବା ସମସ୍ତେ ଲକ୍ଷ୍ୟ କରିପାରୁଥିବେ । ଏହାର ଅର୍ଥ ଆମ ଅଜ୍ଞାତସାରରେ ଆମ ସମସ୍ତଙ୍କର ସେହି ପରମାତ୍ମିକ ଶକ୍ତି ପ୍ରତି ଏକ ପ୍ରଚଣ୍ଡ ବିଶ୍ୱାସ ସୃଷ୍ଟି ହେବାରେ ଲାଗିଛି । ସୃଷ୍ଟି ଏବେ ଧ୍ୱଂସ ମୁହାଁ, ଏହା ସ୍ୱୀକାର କରିବାକୁ ନାସ୍ତିକଟିଏ ମଧ୍ୟ କୁଣ୍ଠାବୋଧ କରୁନି । ଏ ସଂକ୍ରାନ୍ତରେ ପଢ଼ିଥିବା ଗପଟିଏ ଏଠାରେ ଉଲ୍ଲେଖ କରୁଛି ।
ଗୋଟିଏ ଗ୍ରାମରେ ସଦାନନ୍ଦ ନାମକ ଜଣେ ବ୍ୟକ୍ତି ବାପା, ମାଆ, ପତ୍ନୀ, ପୁଅ, ଝିଅଙ୍କ ସହ ଏକତ୍ର ବସବାସ କରିଆସୁଥିଲେ । କିନ୍ତୁ ସେ ଘରେ ସକାଳୁ ବିଳମ୍ବିତ ରାତ୍ରି ଯାଏଁ ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ । ସନାତନ ଦିନେ ବିବ୍ରତ ହୋଇ ସେହି ଗ୍ରାମ ନିକଟରେ ରହୁଥିବା ଜଣେ ସାଧୁଙ୍କ ପାଖକୁ ଯାଇ ନିଜ ଘରର ଏହି ସମସ୍ୟା ବିଷୟରେ କହିଲେ । ସାଧୁ ତାଙ୍କ ଘରକୁ ଯାଇ ଏହି ସମସ୍ୟାର ସମାଧାନ କରିବା କଥା କହିଲେ । ସଦାନନ୍ଦ ଫେରି ଆସିଲେ । କିଛିଦିନ ପରେ ହଠାତ୍ ଦିନେ ପ୍ରତୁ୍ୟଷରୁ ସାଧୁ ତାଙ୍କ ଘରେ ପହଞ୍ଚô ଗଲେ । ଦେଖିଲେ ଦାଣ୍ଡ ବାରଣ୍ଡାରେ ଏକ ଖଟିଆରେ ଶତାୟୁ ବୃଦ୍ଧ ଜଣେ ଶୋଇଛନ୍ତି । ହଠାତ୍ ସାଧୁଙ୍କୁ ଦେଖି ଉଠିପଡ଼ିଲେ । ସାଧୁ ତାଙ୍କୁ ପ୍ରଶ୍ନ କଲେ “ଆପଣ କିଏ’? ବୃଦ୍ଧ ବ୍ୟକ୍ତି ଜଣକ ଚଟାପଟ୍ ଉତ୍ତର ଦେଲେ ମୁଁ ଏ ଘରର ମାଲିକ, ଏ ଘର ମୋର, ମୁଁ ଏହାକୁ ତିଆରି କରିଛି ମୋରି ହାତରେ । ସାଧୁ ଘର ଭିତରକୁ ପଶୁ ପଶୁ ସଦାନନ୍ଦ ଦେଖିଦେଲେ ଓ ତାଙ୍କୁ ପାଛୋଟି ନେବା ସମୟରେ କହୁଥିଲେ, “ଆଜ୍ଞା ଦାଣ୍ଡ ପିଣ୍ଡାରେ ଯିଏ ଶୋଇଛନ୍ତି ସିଏ ମୋ ବୃଦ୍ଧ ପିତା । ମୁଁ ତାଙ୍କ ଏକମାତ୍ର ପୁଅ ଆଉ ଏ ଘରର ଉତ୍ତରାଧିକାରୀ ଅର୍ଥାତ୍ ମାଲିକ” । ସାଧୁକୁ ଘର ଅଗଣାରେ ଆସନରେ ଉପବିଷ୍ଟ କରାଇ ଘର ଭିତରକୁ ଗଲେ ଅନ୍ୟ ସମସ୍ତଙ୍କୁ ଡାକି ଆଣିବାକୁ ।
ଏହି ସମୟରେ ପ୍ରାତଃ ଭ୍ରମଣରୁ ଫେରୁଥିବା ଯୁବକଟି ଆସି ସାଧୁଙ୍କୁ ପ୍ରଣାମ କରନ୍ତେ, ସାଧୁ ପ୍ରଶ୍ନିଳ ଦୃଷ୍ଟିରେ ଅନେଇ ରହିଲେ ତାଙ୍କୁ । ଯୁବକଟି କହିଲେ, “ଆଜ୍ଞା ମୁଁ ସଦାନନ୍ଦ ବାବୁଙ୍କ ଏକମାତ୍ର ପୁତ୍ର ଅର୍ଥାତ୍ ଏ ଘର, ଜମିବାଡ଼ି ସକଳ ସମ୍ପତ୍ତିର ମାଲିକ” । ଏହି ସମୟରେ ସଦାନନ୍ଦଙ୍କ ସହ ତାଙ୍କ ମାଆ, ତାଙ୍କ ପତ୍ନୀ, କନ୍ୟା ଓ ପୁତ୍ରବଧୂ ସମସ୍ତେ ଆସି ସାଧୁଙ୍କୁ ପ୍ରଣାମ କଲେ । ସାଧୁ ଅଗଣାରେ ଥିବା ଠାକୁର ଘର ଆଡ଼କୁ ଅନେଇ ଦେଇ ପଚାରିଲେ, ଏହା ବୋଧେ ଆପଣଙ୍କ ଠାକୁର ଘର?
ସମସ୍ତେ ଏକ ସ୍ୱରରେ ହଁ କହିଲେ । ସାଧୁ ପଚାରିଲେ, ଏଇ ଠାକୁର କେବେଠାରୁ ଏ ଘରେ ପୂଜା ପାଇ ଆସୁଛନ୍ତି? ସଦାନନ୍ଦ କହିଲେ ମୋ ବାପା, ଜେଜେବାପା, ଗୋସେଇଁ ଜେଜେବାପାଙ୍କ ଅମଳରୁ ଏ ଘରେ ଏଇ ଠାକୁର ପୂଜା ପାଇ ଆସୁଛନ୍ତି । ସାଧୁ ହସି ହସି ପଚାରିଲେ ତାଙ୍କର କିଛି ପରିବର୍ତ୍ତନ ହୋଇଛି କି? ସମସ୍ତେ ଏକ ସ୍ୱରରେ କହିଲେ, ନାହିଁ ଆଜ୍ଞା, ଯୁଗ ଯୁଗ ହେଲା ଠାକୁର ଏହିପରି ଅଛନ୍ତି, ସମ୍ପୂର୍ଣ୍ଣ ଅପରିବର୍ତ୍ତିତ ।
ବର୍ତ୍ତମାନ ସାଧୁ ସାରା ପରିବାରକୁ ଏକତ୍ର ବସାଇ ସଦାନନ୍ଦଙ୍କୁ ଲକ୍ଷ୍ୟକରି କହିଲେ, “ଶହେ ମାଲିକର ଏଇ ଘରେ ଶାନ୍ତି କେଉଁଠୁ ଆସିବ? ବୁଢ଼ାବାପା କହୁଛନ୍ତି ସିଏ ମାଲିକ, ଆପଣ କହୁଛନ୍ତି ଆପଣ ମାଲିକ । ଆପଣଙ୍କ ପୁତ୍ର କହୁଛନ୍ତି ସିଏ ମାଲିକ ।
କିଛି ବର୍ଷ ପୂର୍ବରୁ ସେହିପରି ଆପଣଙ୍କ ବୃଦ୍ଧ ପିତାଙ୍କ ବାପା ଓ ତାଙ୍କ ।ପା ମଧ୍ୟ ଏହି ମାଲିକାନା ନିଭାଇ ଆସୁଥିଲେ । ତେବେ ସେମାନେ ଏବେ ନାହାନ୍ତି, ବୁଢ଼ାବାପା ମଧ୍ୟ କାଲି ନଥିବେ । କିଛି ବର୍ଷ ଅନ୍ତେ ଆପଣମାନେ ମଧ୍ୟ ଆଗପଛ ହୋଇ ଏହି ପରିବାରରୁ ବିଦାୟ ନେଇଥିବେ । ତେବେ ପ୍ରଶ୍ନ ଉଠୁଛି ଏହି ମାଲିକମାନେ ସମୟ ସ୍ରୋତରେ ପରିବର୍ତ୍ତିତ ହୋଇ ଯାଉଥିବା ବେଳେ ଜଣେ କେବଳ ଏ ଘରେ ଅପରିବର୍ତ୍ତିତ ହୋଇ ବସିଛି । ସିଏ ଆଉ କେହି ନୁହେଁ ଯୁଗ ଯୁଗ ହେଲା ସବୁ ଘଟଣାର ମୂକସାକ୍ଷୀ ହୋଇ ପୂଜା ପାଉଥିବା ଏଇ ଘରର ଠାକୁର ।
ଆପଣମାନେ ଆଜିଠାରୁ ଏ ଘରର ସବୁ ସଚଳାଚଳ ସମ୍ପତ୍ତିକୁ ଏହି ମାଲିକଙ୍କଠାରେ ସମର୍ପଣ କରି ଦେଇ କୁହନ୍ତୁ ଏଇ ଘରର ମାଲିକ ଏହି ଈଶ୍ୱର ଅଟନ୍ତି, ଦେଖିବେ ସବୁ କଳି, ଝଗଡ଼ା, ଅଶାନ୍ତିର ନିଅାଁ ଆପେ ଆପେ ଲିଭିଯିବ” । ସତକୁ ସତ ସେହି ଦିନଠାରୁ ସେହି ଘରେ ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ସୁଖ, ଶାନ୍ତି ଆନନ୍ଦ ବିରାଜମାନ କଲା ।ତେଣୁ ଆସନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଭୟଭୀତ ନ ହୋଇ ସମସ୍ତ ଅସମ୍ଭବକୁ ସମ୍ଭବ କରିପାରୁଥିବା ସେହି ପରମାତ୍ମାଙ୍କୁ ସମସ୍ତେ ଆକୁଳ ପ୍ରାର୍ଥନା କରିବା । ଏ ଘୋର ସଙ୍କଟରୁ ସେ ହିଁ ସମସ୍ତଙ୍କୁ ଉଦ୍ଧାର କରିବେ ।