ବେଲଗୁଣ୍ଠା, 25/03, ଆଜି ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନାରେ ଏକ ଅଘଟଣ ଘଟି ଥାନା ଅଧିକାରୀଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି I ଗତ ଡିସେମ୍ବର୍ 19 ତାରିଖରେ ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ ଦେବ୍ କୁମାର ଗମାଙ୍ଗ I ସେ ଏହା ପୂର୍ବରୁ ଗଞ୍ଜାମ ପୋଲିସ୍ ହେଡ୍ କ୍ୱାର୍ଟର୍ ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ I ତତ୍କାଳୀନ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ଭଞ୍ଜନଗର ଥାନାକୁ ବଦଳି ହେବା ପରେ ଗଞ୍ଜାମ ଏସପି ଦେବ୍ କୁମାର ଗମାଙ୍ଗଙ୍କୁ ଗାଙ୍ଗପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରିଥିଲେ I ସେ ଖୁବ୍ କମ୍ ଦିନ ମଧ୍ୟରେ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I ସେ ଜଣେ ଭଲ ଥାନା ଅଧିକାରୀ ଭାବେ ଲୋକଙ୍କର ନିକଟତର ହୋଇପାରିଥିଲେ I ଗତକାଲି ସେ ବେଲଗୁଣ୍ଠା ପୌର ନିର୍ବାଚନରେ ଦାୟିତ୍ୱ ତୁଲାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ I
ପ୍ରତିଦିନ ଭଳି ଆଜି ସକାଳ 10 ଟାରେ ସେ ଥାନାରେ କାର୍ଯ୍ୟରେ ଯୋଗ ଦେଇ ଅପରାହ୍ଣ ଏକ ଘଣ୍ଟା ସମୟରେ ସେ ଥାନା ପଛପଟେ ଥିବା ନିଜ କ୍ୱାର୍ଟରରେ ଥିଲେ I ମିଳିଥିବା ସୂଚନା ପ୍ରକାରେ ଏହି ସମୟରେ ସେ କ୍ୱାର୍ଟର୍ ରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବର୍ତ୍ତମାନର ଭଞ୍ଜନଗର ଥାନା ଅଧିକାରୀ ତଥା ତତ୍କାଳୀନ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଏବଂ ଦୁଇଜଣ କନଷ୍ଟେବଲ୍ ଙ୍କ ସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଥିଲେ I ଏହି ସମୟରେ ତାଙ୍କ କ୍ୱାର୍ଟର୍ ରୁ ଗୁଳି ଫୁଟିବା ଶବ୍ଦ ଆସିଥିଲା I ଗୁଳି ଶବ୍ଦ ଶୁଣି ଥାନାର ଅନ୍ୟ କର୍ମଚାରୀ ମାନେ ସେଠାକୁ ଦୌଡ଼ି ଯାଇଥିଲେ I ସେତେବେଳେ ଥାନା ଅଧିକାରୀ ଶ୍ରୀ ଗମାଙ୍ଗ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେ କୋଠରୀରେ ପ୍ରଚୁର ରକ୍ତ ଭାସୁଥିବା ଦେଖିବାକୁ ପାଇଥିଲେ I ସେମାନେ ତାଙ୍କୁ ସାଙ୍ଗେ ସାଙ୍ଗେ ଏକ ଗାଡ଼ିରେ ଆସ୍କା ମେଡ଼ିକାଲ୍ କୁ ନେଇଯାଇଥିଲେ I କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ତେବେ କେଉଁ ପରିସ୍ଥିତିରେ କିପରି ଶ୍ରୀ ଗମାଙ୍ଗ ଗୁଳିର ଶିକାର ହେଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧ ଅସ୍ପଷ୍ଟ ରହିଛି I
ଯଦି ସେ ଆତ୍ମହତ୍ୟା କରିଥିବେ ତେବେ ତାଙ୍କ ନିକଟରେ ଥିବା ଅନ୍ୟ ପୋଲିସ୍ କର୍ମଚାରୀ ମାନେ ତାଙ୍କୁ କିପରି ଅଟକାଇ ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ତେଣୁ ଏଦିଗରେ ଉଚିତ୍ ତଦନ୍ତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି I ଏନେଇ ଗଞ୍ଜାମ ଏସ୍.ପି ବ୍ରୀଜେଶ ରାୟଙ୍କ ପ୍ରତିକ୍ରିୟା ନେବାରେ ସେ ସ୍ୱର୍ଗତ ଗମାଙ୍ଗ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ଥିବା କଥା ପ୍ରକାଶ କରିବା ସହ ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ ହିଁ ଆଇଆଇସିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି I ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବେ ବୋଲି ସୂଚନା ମିଳିଥିଲେ ମଧ୍ୟ ଘଟଣା ଘଟିବାର 5 ଘଣ୍ଟା ବିତିଯାଇଥିଲେ ମଧ୍ୟ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଆସିନଥିବା ଜଣାପଡିଛି I ଆଇଆଇସି ଗମାଙ୍ଗଙ୍କ ସ୍ତ୍ରୀ କିରଣ ମହାନ୍ତି ମଧ୍ୟ ନବରଙ୍ଗପୁର ଜିଲ୍ଳା ହେଡ଼ କ୍ୱାର୍ଟର୍ ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ I ତାଙ୍କ ପରିବାର ମଧ୍ୟ ନବରଙ୍ଗପୁରରେ ରହି ଆସୁଛନ୍ତି I ତାଙ୍କର ଅଢେଇ ବର୍ଷର ଦୁଇଟି ଜାଁଆଳା ପୁଅ ଅଛନ୍ତି I ପ୍ରାୟ1 20 ଦିନ ତଳେ ତାଙ୍କ 65 ବର୍ଷ ବୟସ୍କ ମାଆଙ୍କ ସ୍ଵାସ୍ଥ୍ୟ୍ ଖରାପ ଥିବା ଖବର ପାଇ ସେ ବସ୍ ରେ ନବରଙ୍ଗପୁରର ଯାଇ ମାଆଙ୍କୁ ନିଜ ନିକଟକୁ ଗାଙ୍ଗପୁର ନେଇ ଆସିଥିଲେ I
ସ୍ୱର୍ଗତ ଗମାଙ୍ଗଙ୍କ ମାଆ ସେ ଗୁଳିର ଶିକାର ହୋଇଥିବା କଥା ଜାଣିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ପୁଅର ମୃତ୍ୟୁ ଖବର ଜାଣି ନଥିବା ସୂଚନା ମିଳିଛି I ସ୍ଵର୍ଗତ ଗମାଙ୍ଗଙ୍କ ମାଆ ଙ୍କୁ ବର୍ତ୍ତମାନ ଅନ୍ୟ ପୋଲିସ୍ ଅଧିକାରୀଙ୍କ ବାସ ଭବନରେ ରଖାଯାଇଛି I ସ୍ଵର୍ଗତ ଗମାଙ୍ଗ ରାୟଗଡ଼ା ଜିଲ୍ଳା ରାଇଘରରୁ ଏସ୍ଆଇ ଭାବେ ଚାକିରି ଜୀବନ ଆରମ୍ଭ କରିଥିବାବେଳେ କୋରାପୁଟ୍ ଜିଲ୍ଳା ପଟାଙ୍ଗୀ ଏବଂ ଲକ୍ଷ୍ମୀପୁରରେ ଅଇଆଇସି ଭାବେ ସଫଳତାର ସହ କାର୍ଯ୍ୟ କରିଥିବା ବେଳେ ପରେ ଛତ୍ରପୁର ହେଡ୍ କ୍ୱାର୍ଟର୍ ରେ ଇନ୍ସପେକ୍ଟର ଭାବେ ଯୋଗ ଦେଇଥିଲେ ଏବଂ ଡିସେମ୍ୱର 19 ତାରିଖରେ ଗାଙ୍ଗପୁର ଥାନାରେ ଆଇଆଇସି ଭାବେ ଯୋଗ ଦେଇଥିଲେ I ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଙ୍ଗପୁର ଥାନା ଅଞ୍ଚଳ ସମେତ ସାରା ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳି ଯିବା ସହ ବିଭିନ୍ନ ସ୍ଥାନରେ ତାଙ୍କର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ହୋଇଥିଲା I ସ୍ଵର୍ଗତ ଗମାଙ୍ଗ ଜଣେ ଜନପ୍ରିୟ ପୋଲିସ୍ ଅଧିକାରୀ ଭାବେ ଅଞ୍ଚଳରେ ପରିଚିତ ଥିବାରୁ ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ପୋଲିସ୍ ପ୍ରଶାସନ,ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I