ନୟାଗଡ଼ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦୀର୍ଘ ବର୍ଷ ପରେ ନିର୍ବାଚନୀ ହିସାଂରେ ଜଣେ ନାଗରୀକଙ୍କର ମୃତୁ୍ୟ; ବହୁ ତୃଟି ବିଚୁ୍ୟତି ଓ ଅନିୟମିତତା ମଧ୍ୟରେ ମତଦାନ ଶେଷ
ନୟାଗଡ଼ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲା ହିଂସାକାଣ୍ଡ ଘଟି ଜଣେ ନାଗରୀକଙ୍କ ମୃତୁ୍ୟ ହେବା ଓ ନାନା ସମସ୍ୟା, ଅନିୟମିତତା ମଧ୍ୟରେ ମତଦାନ ଶେଷ ହୋଇଛି । ଜିଲ୍ଲାରେ ବହୁ ବର୍ଷ ବ୍ୟବଧାନରେ ଏପରି ନିର୍ବାଚନ ପ୍ରକ୍ରିୟାରେ ଚିନ୍ତାଜନକ ଘଟଣା ଅନେକ ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି । ଏହା ଜିଲ୍ଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ତିମ ପର୍ଯ୍ୟାୟ ରେ ୮୩.୧୨ ପ୍ରତିଶତ ମତଦାନ ହୋଇ ଥିବା ସୂଚନା ମିଳିଛି ।
କୌଣସି ନିର୍ବାଚନ ସମୟରେ ମୁଖ୍ୟତଃ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ଉପରେ ନିର୍ବାଚନ ଆୟୋଗ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ହେଲେ ଏସମସ୍ତ ନିର୍ବାଚନୀ ମୌଳିତା ନୟାଗଡ଼ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟଗ୍ରହଣ ରେ ବାଧାପ୍ରାପ୍ତ ହୋଇଥିବା ଅନେକ ବୁଦ୍ଧିଜୀବୀ ଓ ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ସବୋପରି ନିର୍ବାଚନୀ ହିସାଂଜନିତ ବୋମା ମାଡ଼ରେ ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମର ଜଣେ ନାଗରୀକଙ୍କ ମୃତୁ୍ୟ ଘଟଣା ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ତଥା ମୁକ୍ତ, ଅବାଧ ତଥା ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଛିଡ଼ା କରିଥିବା ନୟାଗଡ଼ ସହରର ପ୍ରାକ୍ତନ ନଗରପାଳ ସୁବୋଧ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି । ବରିଷ୍ଠ ଆଇଜୀବୀ ମନୋରଂଜନ ମହାପାତ୍ର ମତ ରଖିବାକୁ ଯାଇ କହିଛନ୍ତି ଯେ, ଜିଲ୍ଲାରେ ଚଳିତ ନିର୍ବାଚନକୁ ଦୃଷ୍ଟି ଦେଲେ ଯେଉଁ ସବୁ ତୃଟି, ଅନିୟମିତତା ଓ ଅଶାନ୍ତ ପରିସ୍ଥିତି ଉପୁଜିଛି ତାହା ନିର୍ବାଚନ ପରିଚାନାଗତ ଅନଭିଜ୍ଞତା କାରଣ ବୋଲି କୁହାଯାଇପାରିବ ।
ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ମତଗ୍ରହଣ ହୋଇ ଥିବାବେଳେ ବିଭିନ୍ନ ପର୍ଯ୍ୟାୟ ମତଦାନ ବେଳେ ଗଣମାଧ୍ୟମ କର୍ମୀଙ୍କୁ ଆକ୍ରମଣ, ପ୍ରତିଦ୍ୱନ୍ଦ୍ୱୀ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଭଳି ପରିସ୍ଥିତି ଆଦି ଭୋଟରଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ୪ତର୍ଥ ପର୍ଯ୍ୟାୟରେ ଭୋଟ ବର୍ଜ୍ଜନ, ବୁଥ୍ ରେ ବାଲାଟ ପେପର ବିଳମ୍ବରେ ପହଞ୍ଚିବାକୁ ନେଇ ଅସନ୍ତୋଷ ସାଙ୍ଗକୁ ଅନ୍ତିମ ପର୍ଯ୍ୟାୟ ମତ ଦାନର ଦିନକ ପୂର୍ବରୁ ନିର୍ବାଚନ ହିସାଂ କାଣ୍ଡରେ ବୋଦସା ଗାଁରେ ଜଣେ ନାଗରୀକଙ୍କ ମୃତୁ୍ୟ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ନିର୍ବାଚନ ସମୟରେ କୌଣସି ପ୍ରକାର ହିସାଂ ଓ ବିଶୃଙ୍ଖଳାକୁ ସୁଯୋଗ ଦିଆଯିବ ନାହି କହୁଥିବା ଅଧିକାରୀ ଏବେ ଏ ସସମସ୍ତ ଘଟଣାରୁ ନିଶ୍ଚିତ କିଛି ଶିକ୍ଷା ଗ୍ରହଣ କରିବେ । ହେଲେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନାକୁ ନେଇ ଜିଲ୍ଲାର ବିଭିନ୍ନ ବର୍ଗର ନାଗରୀକଙ୍କ ମନରେ ଉଠିଥିବା ପ୍ରଶ୍ନର କି ଉତ୍ତର ରଖିବେ ତାହା ଦେଖିବାର କଥା ।