Odisha news

ବାଲଟ ବକ୍ସରେ ସିଲ ହେଲା ୫୪୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ

0
(ହିଞ୍ଜିଳିକାଟୁ-୧୬/ଫେବୃୟାରୀ/୨୦୨୨) ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଞ୍ଚଳରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। କିଛି ସ୍ଥାନରେ ସାଧାରଣ ଉତ୍ତେଜନା ଦେଖାଦେଇଥିବା ବେଳେ ଅପେକ୍ଷାକୃତ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣା ପଡ଼ିଛି। ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ୩ ସହକାରୀ ଆରକ୍ଷୀ ଅଧିକ୍ଷକ, ୩ ଜଣ ଥାନାଧିକାରୀ ଏବଂ ୨୫ ଜଣ ଓଡ଼ିଶା ପୋଲିସର କର୍ମଚାରୀ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିଥିଲେ। ସେହିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରୀ ରଖିବା ପାଇଁ ୮ ପ୍ଲାର୍ଟୁନ ସୁରକ୍ଷା ବଳ ନିୟୋଜିତ ଥିଲେ ବୋଲି ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାଶ ଜଣାଇଛନ୍ତି। ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟଙ୍କୁ ମିଶାଇ ୫୪୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ମତଦାତା ମାନେ ବାଲଟ ବକ୍ସରେ ସିଲ କରିଛନ୍ତି।
ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ବୁଥରେ ମୋଟ ୯୮୨୨୪ ଜଣ ମତଦାତାଙ୍କ ମଧ୍ୟରୁ ୬୩୦୩୬ ଜଣ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସମୁଦାୟ ମତଦାତାଙ୍କ ଭିତରେ ୩୧ ହଜାର ୯୩ ଜଣ ପୁରୁଷ ଏବଂ ୩୧ ହଜାର ୯୪୩ ଜଣ ମହିଳା ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୂର୍ବ ନିର୍ବାଚନର ବ୍ୟତିକ୍ରମ ହୋଇ ଚଳିତ ଥର ସମ୍ପୃକ୍ତ ବୁଥ ମାନଙ୍କରେ ଭୋଟ ଗଣତି ପରିବର୍ତ୍ତେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମୂହିକ ଭାବରେ ଭୋଟ ଗଣତି କରାଯିବ। ଆସନ୍ତା ୨୬ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସମସ୍ତ ମତଦାନ କେନ୍ଦ୍ରରେ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ମତ ଦାନ ପ୍ରକ୍ରିୟା ସମାପ୍ତ ହୋଇଥିବା ନେଇ ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା କହିଛନ୍ତି।
Leave A Reply