ପ୍ୟାରିସ : ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ୍)ର ଗ୍ରେ ତାଲିକାରେ ପୁଣି ରହିଛି। ଜାତିସଂଘ ଦ୍ବାରା ତାଲିକାଭୁକ୍ତ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ଏହାର ମାଟିରୁ ପାଣ୍ଠି ଯୋଗାଣକୁ ରୋକିବାରେ ବିଫଳ ହୋଇଥିବାରୁ ଏହି ଦେଶର ତାଲିକାକୁ ଅପରିବର୍ତ୍ତିତ ରଖାଯାଇଛି।
କୌଣସି ଗୋଟିଏ ଦେଶ ନୁହେଁ, ସର୍ବସମ୍ମତି କ୍ରମେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଏଫଏଟିଏଫର ସଭାପତି ଡ ମାରକସ ପ୍ଲେୟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଏଫଏଟିଏଫର ଏହି ନିଷ୍ପତ୍ତି ପଛରେ କୌଣସି ସମ୍ଭାବ୍ୟ ରାଜନୈତିକ ଉଦ୍ଦେଶ୍ୟ ନିହିତ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏଫଏଟିଏଫ୍ ଏକ ବୈଷୟିକ ସଂସ୍ଥା ଏବଂ ଆମେ ଆମର ନିଷ୍ପତ୍ତି ସହମତି ଭିତ୍ତିରେ ନେଉ। ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଫ୍ଏଟିଏଫ୍ ଠାରୁ ଏଭଳି ଆଶଙ୍କା କରିଥିଲେ। ପାକିସ୍ତାନ ସହିତ ତୁର୍କୀ ମଧ୍ୟ ଏହି ଗ୍ରେ ଲିଷ୍ଟରେ ରହିଛି। କାରଣ ଏହି ଦେଶମଧ୍ୟ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣକୁ ରୋକିବାରେ ବିଫଳ ହୋଇଛି। ପାକିସ୍ତାନ ଓ ତୁର୍କୀ ସମେତ ଦୁଇ ଡଜନରୁ ଅଧିକ ଦେଶ ଏହି ତାଲିକାରେ ରହିଛନ୍ତି।
ପାକିସ୍ତାନ କଳା ତାଲିକାଭୁକ୍ତ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ପାକିସ୍ତାନର ଅନ୍ୟ ଦୁଇ ଦୃଢ଼ ସମର୍ଥକ ଦେଶ ଚୀନ ଏବଂ ମଙ୍ଗୋଲିଆ କେବଳ ଏଫଏଟିଏଫ ତାଲିକା ବାହାରେ ଅଛନ୍ତି। ପାକିସ୍ତାନ ଯଦି ଅନ୍ୟ କୌଣସି ତୃତୀୟ ଦେଶର ସମର୍ଥନ ନପାଏ ତାହେଲେ କଳା ତାଲିକାଭୁକ୍ତ ହେବାକୁ ଏଡାଇବା ଏହି ଦେଶପାଇଁ କଷ୍ଟକର ହୋଇପଡ଼ିବ। ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଏଫଏଟିଏଫ ବୈଠକରେ ଏଭଳି ସ୍ଥିତି ପାକିସ୍ତାନ ପାଇଁ ସୃଷ୍ଟି ହୋଇପାରେ। ପାକିସ୍ତାନକୁ ଯଦି କଳାତାଲିକାଭୁକ୍ତ କରାଯାଏ ତାହେଲେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏହି ଦେଶର ସ୍ଥିତି ଆହୁରି ଖରାପ ହୋଇଯିବ। କଳାତାଲିକାଭୁକ୍ତ ହେଲେ ପାକିସ୍ତାନ ବିଦେଶରୁ ଯେଉଁ ସହାୟତା ପାଉଛି ତାହା ବନ୍ଦ ହୋଇଯିବ।

Comments are closed.