ନୂଆପଡ଼ା ୧୪/୪ (ସୁରେନ୍ଦ୍ର ତିୱାରୀ) ରାଜ୍ୟ ସରକାର ଙ୍କ ଦ୍ୱାରା ଅଣକାଷ୍ଠ ଲଘୁ ବନଜାତ ଦ୍ରବ୍ୟ ପଞ୍ଚାୟତ ଅଞ୍ଚଳ ର ପ୍ରାଥମିକ ସଂଗ୍ରହକାରୀ ଙ୍କ ଠାରୁ କ୍ରୟ କରିବାପାଇଁ ବ୍ୟବସାୟୀ ମାନେ ବାଧ୍ୟତାମୂଳକ ଭାବେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ରେ ପଞ୍ଜିକରଣ ପାଇଁ ଵିଧି ବ୍ୟବସ୍ଥା ରହିଛି। ପ୍ରତ୍ୟେକ ବନଜାତ ଦ୍ରବ୍ୟ ର କ୍ରୟ ବିକ୍ରୟ ପାଇଁ ପୃଥକ ଭାବେ ଶହେ ଟଙ୍କା ପଞ୍ଜିକରଣ ଶୁଳ୍କ ମଧ୍ୟ ଦିଆ ଯିବା ଆବଶ୍ୟକ। କିନ୍ତୁ ବିଭିନ୍ନ ଅଂଚଳରୁ ବ୍ୟବସାୟୀ ଆସି ଗ୍ରାମପଞ୍ଚାୟତ ଅଂଚଳ ରେ ମହୁଲ, ଚାର, ଲିମ୍ବ ମଞ୍ଜି , ଆମ୍ବ ଟାକୁଆ, ଟୋଲ ଭଳି ଅଣକାଷ୍ଠ ଲଘୁ ବନଜାତ ଦ୍ରବ୍ୟ ର ବେଧଡ଼କ କିଣାବିକା କରୁଥିଲେହେଁ ଅବକାରୀ ଓ ଜଙ୍ଗଲ ବିଭାଗ ର ସମନ୍ୱୟ ଅଭାବରୁ ଆଇନ ଉଲଂଘନକାରି ବେପାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲକ୍ଷ୍ୟ କରାଯାଉଛି। ଅପରପକ୍ଷେ ଗ୍ରାମପଞ୍ଚାୟତ ର କୌଣସି ଏନ୍ଫୋର୍ସମେଣ୍ଟ କ୍ଷମତା ନ ଥିବା କାରଣରୁ ସେମାନଙ୍କ ନାକତଳେ ବେଆଇନ କାରବାର ଚାଲୁଥିବାସତ୍ୱେ ସେମାନେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିବା ପଞ୍ଚାୟତ ପ୍ରତିନିଧି ପ୍ରକାଶ କରନ୍ତି। ଫଳରେ ପଞ୍ଜିକରଣ ଶୁଳ୍କ ସଂଗ୍ରହ କରାଯାଇନପାରି ପଂଚାୟତ ରାଜସ୍ବ ହରାଉଛି। ଏଣୁ ବ୍ୟବସାୟୀ ଙ୍କୁ ମହୁଲ ଗଛିତ ରଖିବା ପାଇଁ ଅବକାରୀ ବିଭାଗ ଦ୍ୱାରା ଅନୁମତି ପ୍ରଦାନ ବେଳେ ସେମାନେ ଅଧିକୃତ ଓ ପଞ୍ଜିକୃତ ବ୍ୟବସାୟୀ କି ନୁହଁ ତାହା ତନଖି କରାଯାଇ ଲାଇସେନ୍ସ ଦେବାସହ ଜଙ୍ଗଳଜାତ ଦ୍ରବ୍ୟ ର କ୍ରୟ ବିକ୍ରୟ ପାଇଁ ବ୍ୟବସାୟୀ ଙ୍କୁ ଟ୍ରାଞ୍ଜିଟ ପରମିଟ ଦେବାବେଳେ କେବଳ ପଞ୍ଜିକୃତ ବ୍ୟବସାୟୀ ଙ୍କୁ ଦିଆଗଲେ ଗ୍ରାମପଂଚାୟତ ଦ୍ୱାରା ପଞ୍ଜିକରଣ ଶୁଳ୍କ ଅନାୟାସ ରେ ସଂଗ୍ରହ କରାଯାଇ ନିଜସ୍ୱ ଆୟ ବୃଦ୍ଧି କରିପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।