ନୂଆପଡ଼ା -୨୨/୩ (ସୁରେନ୍ଦ୍ର ତିୱାରୀ) ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ତାପମାତ୍ର ୪୦ ଡିଗ୍ରୀ ମୁହାଁ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫେବୃଆରୀ ମାସ ଶେଷ ସପ୍ତାହ ରୁ ତାପମାତ୍ରା ଅଚାନକ ବୃଦ୍ଧି ପାଇ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମାର୍ଚ୍ଚ ମାସ ରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସଦର, ଖରିଆର ରୋଡ଼, କୋମନା ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ସହର ତତଲା ତାଓ୍ବାରେ ପରିଣତ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଖରା ଜନସାଧାରଣଙ୍କୁ କଲବଲ କରିବା ଆରମ୍ଭ କରିଥିବାରୁ ଆଗକୁ ଅବସ୍ଥା ଅସମ୍ଭାଳ ହେବାର ଆଶଙ୍କା ଦେଖା ଦେଇଛି ।
ନୂଆପଡ଼ା ଜିଲ୍ଲାରେ ବ୍ୟାପକ ଜଙ୍ଗଲହାନି ସହ ବେଆଇନ ଇଟାଭାଟି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ମାଟିରେ ତିଆରି ଇଟାଭାଟି କୁଟୀରଶିଳ୍ପରେ ପରିଣତ ହୋଇଛି । ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ଆଦି ପାଞ୍ଚ ଗୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମାଳମାଳ ଇଟାଭାଟି ଗଢ଼ି ଉଠିଛି । ମାଟି ତିଆରି ଇଟା ବ୍ୟବହାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଜାରି କରାଯାଇଥିଲେ ହେଁ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ ହେଉଛି । ମାଟି ଇଟାଭାଟିକୁ ବେଆଇନ ଘୋଷଣା ସହ ସରକାର ପାଉଁଶ ଇଟାକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ପାଉଁଶ ଇଟା ବଦଳରେ ବେଆଇନ ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଛି । ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵହାନୀ ହେଉଛି । ଅନ୍ୟପକ୍ଷେ ଇଟାଭାଟି ମାଲିକ ଚଢ଼ା ଦରରେ ମାଟିଇଟା ବିକ୍ରି କରି ଲାଭବାନ ହେଉଛନ୍ତି । ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଳମାଳ ବେଆଇନ ଇଟାଭାଟି ମୁଣ୍ଡ ଟେକିଛି । ରାଜ୍ୟ ତଥା ଜିଲ୍ଲା ତଥା ଜିଲ୍ଲା ବାହାର ଶ୍ରମିକଙ୍କୁ ଅଣାଯାଇ ଇଟା ତିଆରିରେ ନିୟୋଜିତ କରାଯାଉଛି । ମାଟିରେ ଇଟା ତିଆରି ପରେ ଜଙ୍ଗଲ କାଟି ଗଛର କାଠ ଲଗାଇ ଇଟା ପୋଡ଼ାଯାଉଛି । ନିୟମିତ ଶହ ଶହ ଟ୍ରାକ୍ଟର ଇଟା ପରିବହନରେ ନିୟୋଜିତ କରାଯାଇଛି । ମାଟି ଇଟାର ଚାହିଦା ଥିବାରୁ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରରେ ଚାଲିଥିବା କୋଠାବାଡ଼ି ନିର୍ମାଣ ପାଇଁ ଆବଶ୍ୟକ ଇଟାର ଅଧିକାଂଶ ଇଟା ମାଟି ଇଟାଭାଟି ରୁ ଆସୁଥିବା ଆଲୋଚନା ହେଉଛି । ମାସେ କି ୨ ମାସ ନୁହଁ, ବର୍ଷ ତମାମ୍ ଏଠାରେ ବେଆଇନ୍ ଇଟା ତିଆରି ଚାଳିଛି । ଦିନ ରାତି ଇଟା ତିଆରି ସହ ପାହାଡ଼ ଭଳି ଇଟା ଗଦା କରାଯାଉଛି । ଏହା ତହସିଲ କାର୍ଯ୍ୟାଳୟ ଓ ଖଣି ବିଭାଗ ର ନଜର ଆଢୁଆଳରେ ରହିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କେତେକ ଅସାଧୁ କର୍ମଚାରୀ ଓ ଇଟାଭାଟି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବେଆଇନ ଇଟାଭାଟି ଉପରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଏନେଇ ନୂଆପଡ଼ା ଜିଲ୍ଲାପାଳ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି ହେଉଛି ।