ନୂଆପଡ଼ା -୩୧/୫(ସୁରେନ୍ଦ୍ର ତିୱାରୀ) : ଓଡିଶା ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ଯ ସହିତ ନୂଆପଡ଼ା ଜିଲ୍ଲା ରେ ମଧ୍ୟ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ l ଜୁନ୍ ୧୨ରୁ ୧୮ ତାରିଖ ପର୍ଯ୍ଯନ୍ତ ଏହି ମେଳା ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓରମାସ୍ ଆନୁକୁଲ୍ୟରେ ବିକାଶ ମେଳା ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବା ସହିତ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଉତ୍ସବ ପାଳିତ ହେବ l ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗ ସେମାନଙ୍କ ଉପଲବ୍ଧି ଏବଂଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ କରିବେ l ଜୁନ୍ ୫ ତାରିଖରୁ ଜିଲ୍ଲାର ସବୁ ବ୍ଲକରେ ଏଥିପାଇଁ ପ୍ରଚାର ରଥ ବୁଲିବ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ବିଭାଗ ଆନ୍ତରିକ ପ୍ରୟାସ କରି ଜିଲ୍ଲାରେ ବିକାଶ ମେଳା କୁ ଶତ ପ୍ରତିଶତ ସଫଳ କରିବା ସହିତ ଲୋକ ମାନଙ୍କ ପାଖରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ବାର୍ତ୍ତା ପହଞ୍ଚାଇବେ l ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ l ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଭାସୀ ମାଧ୍ୟମରେ ହେବ l କୃତି ପ୍ରତିଯୋଗୀମାନଙ୍କୁ ମେଳାରେ ସମ୍ମାନିତ କରାଯିବ l ଏହି ସମୟରେ ରଜ ପର୍ବ ପଡୁଥିବାରୁ ରଜ ପିଠା, ପୋଡ଼ ପିଠା, ପାନ ପ୍ରଦର୍ଶନ ସହିତ ରଜଦୋଳି ର ମଧ୍ୟ ବ୍ୟବସ୍ଥା କରାଯିବ l ବିକାଶ ମେଳାରେ ଗୋଟିଏ ଆର୍ଟ ଗ୍ୟାଲେରୀର ବ୍ୟବସ୍ଥା କରାଯାଇଛି l ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଗୁରୁପ୍ରସାଦ ଜେନା ଙ୍କ ସହିତ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ନୂଆପଡ଼ା ଜିଲ୍ଲା ବାସୀଙ୍କୁ ଏକ ସୁନ୍ଦର ନୂତନ ଅନୁଭୂତି ଆଣିଦେବ l