ନୂଆପଡା- ୯/୫(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା କୋଟାମାଲ ଠାରୁ ସମାଡପଦର ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାସ୍ତା ନିର୍ମାଣ ଚାଲୁଥିବା ବେଳେ ରାସ୍ତାର ପିଚୁ ଉଠିଯାଇ ଧୂଳି ଉଡୁଛି ଓ ପାହାଡ଼ ଉପରେ ହେଉଥିବା କଂକ୍ରିଟ ରାସ୍ତା ଚାଲୁ ରହିଛି ହେଲେ କଂକ୍ରିଟ ଫାଟିବା ଆରମ୍ଭ ହେଲାଣି । ଫଳରେ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରି ସମ୍ପୃକ୍ତ ଠିକା ସଂସ୍ଥା ବ୍ୟାପକ ଦୁର୍ନୀତିକୁ ପ୍ରମାଣିତ କରୁଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ୬ କିମି ୧୦୦ ମିଟର ବିଶିଷ୍ଟ କୋଟାମାଲ ଠାରୁ ସମାଡପଦର ରାସ୍ତା ନିର୍ମାଣ ପାଇଁ ୧୩ ଫେବୃଆରୀ ୨୦୨୪ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶେଷ ଅବଧି ୧୨ ନଭେମ୍ବର ୨୦୨୪ ହେଲେ କାର୍ଯ୍ୟ ଶେଷ ହେବାର ଅବଧିସରି ପାଞ୍ଚ ମାସରୁ ଅଧିକ ଦିନ ବିତିଗଲେ ମଧ୍ୟ କାର୍ଯ୍ୟ ଶେଷ ହୋଇନାହିଁ। ଏହି ରାସ୍ତା ନିର୍ମାଣ ପାଇଁ ଅଟକଳ ୫,୩୩,୦୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ସେହି ଟଙ୍କା ପାଣିରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ଠିକାଦାର ଆଶୁତୋଷ ସାହୁ, ପ୍ରଥମ ଶ୍ରେଣୀ ଠିକାଦାର ପୋଷ୍ଟ ପାଇକମାଲ ଜିଲ୍ଲା ବରଗଡ ବୋଲି ସୂଚନା ଫଳକରୁ ଜଣା ପଡ଼ିଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଖଡ଼ିଆଳ। ଏହି ରାସ୍ତା ନିର୍ମାଣରେ ନିମ୍ନମାନର ଧଳା ମେଟାଲ ବ୍ୟବହାର କରାଯାଇଥିବା ବେଳେ ଇଷ୍ଟିମେଟ ଅନୁଯାୟୀ ପିଚୁ ନପକାଇ ଅତି ପତଳା ଭାବରେ କମ ପିଚୁ ଦେଇ କାମ ହୋଇଛି। ଫଳରେ ରାସ୍ତାରେ ପିଚୁ କାର୍ଯ୍ୟ ଶେଷ ହୋଇ ଏକ ମାସ ମଧ୍ୟରେ ରାସ୍ତାର ପିଚୁ ଉଠି ଯାଉଛି ଓ ରାସ୍ତାର ସମସ୍ତ ସ୍ଥାନରେ ପିଚୁ ଲାଗିଥିବା ଗୋଡି ବାଳି ବିଛେଇ ହୋଇ ପଡିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ ୱେଲ ଓ ପୋଲ କାର୍ଯ୍ୟ ଅତି ନିମ୍ନମାନର ହୋଇଛି। ସେଥିରେ ନିମ୍ନ ମାନର ଧଳା ମେଟାଲ ବ୍ୟବହାର ହୋଇଛି। ପାହାଡ ଉପରେ କଂକ୍ରିଟ ରାସ୍ତା କାର୍ଯ୍ୟ ଚାଲୁ ରହିଛି ହେଲେ ସେହି କଂକ୍ରିଟ ରାସ୍ତାର ଅନେକ ସ୍ଥାନରେ ଫାଟି ଯାଇଛି। ଫଳରେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦାଇତ୍ୱରେ ଥିବା ଯନ୍ତ୍ରୀ କାର୍ଯ୍ୟସ୍ଥଳ ପରିଦର୍ଶନ କରୁନଥିବାରୁ ସମ୍ପୃକ୍ତ ଠିକାଦାର ନିଜ ଇଚ୍ଛାରେ ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଶ୍ରମିକ ଭରସା ରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାସ୍ତା ପିଚୁ କାମ। ଅନ୍ୟ ପକ୍ଷରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ମୁରୁମ ଆଣି ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେଉଛି। ଏନେଇ ଦାଇତ୍ୱରେ ଥିବା ଯନ୍ତ୍ରୀ ବିଶ୍ୱନାଥ ଏକ୍କାଙ୍କୁ ପଚାରିବାରୁ ରାସ୍ତା କାର୍ଯ୍ୟ ଠିକ ହେଉଛି ସଂରକ୍ଷିତ ଜଙ୍ଗଲରୁ କାଠ ଚୋରି ହେଉଛି। ସେହି ଚୋରା କାଠକୁ ହଳ ସାହାଯ୍ୟରେ ପିଚୁ ରାସ୍ତାରେ ଘୋଷାରି ଘୋଷାରି ଆଣୁ ଥିବାରୁ ରାସ୍ତାର ପିଚୁ ଉଠି ଯାଉଛି ବୋଲି ସଫେଇ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ବର୍ଷ ବର୍ଷ ଧରି ପାହାଡ଼ ଉପରେ ପଥରରେ ବହୁ କଷ୍ଟରେ ଚାଲୁଥିବା ଲୋକଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ହେଉଛି। ହେଲେ ବିଭାଗୀ ଅଧିକାରୀ ମାନଙ୍କ ଲାଭଖୋର ମନୋଭାବ ଯୋଗୁଁ ନିମ୍ନମାନର ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।