ନୂଆପଡ଼ା -୨୭/୪ (ସୁରେନ୍ଦ୍ର ତିୱାରୀ) “ରକ୍ତ ଦାନ ଜୀବନ ଦାନ” ଏହି ବାକ୍ୟ କୁ ନିଜ ଜୀବନ ରେ ଚରିତାର୍ଥ କରି ଦେଖାଇ ଛନ୍ତି କିଶୋର , ସେ ଜଣେ ପେଶା ରେ ଶିକ୍ଷକ । କାହାକୁ ରକ୍ତ ଦରକାର ଖବର ପାଇବା ମାତ୍ରେ ପ୍ରୟାସ କରନ୍ତି ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଓ ନିଜର ବିଦ୍ୟାଳୟର କାର୍ଯ୍ୟ ସାରି ଧାଇଁ ଆସନ୍ତି ଜିଲ୍ଲା ସଦର ମହକୁମା ଓଡିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ। ପରିଚିତ କି ଅପରିଚିତ ସମସ୍ତେ ତାଙ୍କ ପାଇଁ ସମାନ। ନିଜେ ରକ୍ତଦାନ କରନ୍ତି ନ ହେଲେ ଅନ୍ୟମାନଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ପ୍ରେରିତ କରିଥାନ୍ତି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଗଲେ ଅନୁରୋଧ କରିଥାନ୍ତି କାର୍ଯ୍ୟରତ ଶିକ୍ଷା ବିଭାଗ, ଅନ୍ୟାନ୍ୟ ସରକାରୀ , ବେସରକାରୀ ଅନୁଷ୍ଠାନ, ସଂଗଠନ, ଯୁବଗୋଷ୍ଠୀ ମାନଙ୍କୁ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତଦାନ ପାଇଁ। ୫୦ ବର୍ଷ ବୟସ ୯୫ ଥର ସ୍ବେଚ୍ଛାକୃତ ରକ୍ତଦାନ କରିସାରିଛନ୍ତି ଶିକ୍ଷକ ତଥା ସମାଜସେବୀ କିଶୋର କୁମାର ପରିଡା। ସେ କେବଳ ରକ୍ତଦାନରେ ସୀମିତ ନ ରହି ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା, ରକ୍ତଦାନ ଶିବିର ଆୟୋଜନ କରିବା, ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାରେ ନିଜକୁ ନିୟୋଜିତ କରି ଆଗକୁ ଆଗେଇ ଚାଲିଛନ୍ତି। ରକ୍ତଦାନ ପାଇଁ ଯୋଗ୍ୟ ବ୍ୟକ୍ତି ବିଶେଷ, ଯୁବକ, ଯୁବତୀ , ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇ ସ୍ବେଚ୍ଛାକୃତ ରକ୍ତଦାନ କରାଇବାରେ ସଫଳ ହୋଇ ଅନ୍ୟ ପାଇଁ ପ୍ରେରଣା ସ୍ରୋତ ପାଲଟିଛନ୍ତି ଶ୍ରୀ ପରିଡା। ଅନେକ ଗରିବ ଅସହାୟ, ଦୂର ଦୂରାନ୍ତରୁ ଆସିଥିବା ରକ୍ତହୀନତାର ଶିକାର ରୋଗୀମାନଙ୍କ ପାଇଁ ରକ୍ତଦାନ କରି ଏବଂ ଲୋକମାନଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇ ,ରକ୍ତର ବ୍ୟବସ୍ଥାକରି ଶିକ୍ଷାଦାତା ରୁ ପାଲଟିଛନ୍ତି ଜୀବନଦାତା । ଏପରିକି କରୋନା କୋବିଡ ମହାମାରୀକୁ ମଧ୍ୟ ଭ୍ରୁକ୍ଷେପ ନ କରି ନିଜେ ନିୟମିତ ସ୍ବେଚ୍ଛାକୃତ ରକ୍ତଦାନ କରି, ରକ୍ତଦାନ ଶିବିର ଆୟୋଜନ କରି ରକ୍ତର ଆବଶ୍ୟକତା ପୁରା କରିବା ପାଇଁ ଚେଷ୍ଟା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ରକ୍ତଦାନ କରି କେତେ ଯେ ଲୋକଙ୍କ ମୁହଁରେ ହସ ଫୁଟେଇବା ପାଇଁ ନିରନ୍ତର ପ୍ରୟାସ ଯାରିରଖିଛନ୍ତି। ନିୟମିତ ରକ୍ତଦାତା ଶିକ୍ଷକ ଶ୍ରୀ ପରିଡାଙ୍କ ରକ୍ତଦାନ ପରି ମହାନ ଜନହିତକର କାର୍ଯ୍ୟରେ ନିରନ୍ତର, ନିଶ୍ୱାର୍ଥପର ପ୍ରାୟସ ଯୋଗୁଁ ଜିଲ୍ଲା ପ୍ରଶାସନ, ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ଅନେକ ଥର ଉଚ୍ଚ ପ୍ରଶଂସିତ ହୋଇ ସମ୍ମାନୀତ ଓ ସମ୍ୱର୍ଦ୍ଧିତ ହୋଇ ମାନ ପତ୍ର ପାଇଛନ୍ତି । ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କିଶୋର କୁମାର ପରିଡ଼ା । ନିପଟ ମଫସଲ ମାଗୁରପାଣି ଗ୍ରାମରେ ଜନ୍ମଲାଭ କରିଥିବା କିଶୋର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ମାଗୁରପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଭାବରେ ନିଯୁକ୍ତି ପାଇ ନିଜର କର୍ମମୟ ଜୀବନ ପ୍ରାରମ୍ଭ କରିଥିଲେ। ନୂଆପଡ଼ାରେ ଛାତ୍ର ଜୀବନ ପ୍ରାରମ୍ଭରୁ ଜାତୀୟ ସେବା ଯୋଜନାରେ ଜଣେ ସକ୍ରିୟ ଜାତୀୟ ସେବା ସ୍ଵେଚ୍ଛାସେବୀ ଭାବରେ ଗୁରୁଜନ ମାନଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ନିଜକୁ ସେବାକାର୍ଯ୍ୟରେ ନିୟୋଜିତ କରିଥିଲେ। କଲେଜରେ ପଢ଼ୁଥିବା ସମୟରେ ପ୍ରିୟ ବନ୍ଧୁ ସନ୍ତୋଷ ସୂପକାର ଙ୍କ ସୁଚନା କ୍ରମେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରଥମେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ସ୍ୱର୍ଗତଃ. ବାଙ୍କ ବିହାରୀ ନେଗୀ,ଡା.ଲଳିତ ମୋହନ ବିଶିଙ୍କ ମାର୍ଗଦର୍ଶନ ଓ ନୂଆପଡ଼ାର ଅଗ୍ରଣୀ ୟୁଥମାସ କ୍ଲବର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ କ୍ରୀଡାବିତ, ସମାଜସେବୀ ସରୋଜ କୁମାର ସାହୁ (ଭୈରବ), ପ୍ରକାଶ ସାହୁ, ବିଭୁଦତ୍ତ ମିଶ୍ର ଙ୍କ ପ୍ରେରଣାରେ ରକ୍ତଦାନ ପରି ମହାନ କାର୍ଯ୍ୟକୁ ନିଜ ଜୀବନର ମୂଳଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ତରଫରୁ ନିୟମିତ ରକ୍ତଦାତା ଓ ରକ୍ତଦାତା ପ୍ରବର୍ତ୍ତକ ଭାବରେ ,ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରକୃତି ବନ୍ଧୁ ପୁରସ୍କାର , ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ନିମନ୍ତେ ଜିଲ୍ଲା ଶିକ୍ଷକ ପୁରସ୍କାର, ସମାଜସେବା କ୍ଷେତ୍ରରେ ଉଲ୍ଲଖନୀୟ ସ୍ଵେଚ୍ଛାକୃତ ଅବଦାନ ନିମନ୍ତେ ରାଜ୍ୟ ଯୁବ ପୁରସ୍କାର,ରାଜ୍ୟ ଯୁବ କଲ୍ୟାଣ ପରିଷଦ, ଓଡ଼ିଶା ତରଫରୁ ଗ୍ରହଣ କରିସାରିଛନ୍ତି। ସେ ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଜଣେ ନିଷ୍ଠାବାନ, ପରୋପକାରୀ ରକ୍ତଦାତା ଓ ରକ୍ତଦାତା ପ୍ରବର୍ତ୍ତକ ଭାବରେ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷାଦାତା ଙ୍କ ଶିକ୍ଷାଦାନ ସହିତ ପରିବର୍ତ୍ତିତ ରୂପ ରେ ସ୍ବେଚ୍ଛାକୃତ ରକ୍ତଦାନ କରି କରାଇବା ପାଇଁ ଅଞ୍ଚଳ ରେ ସୁନାମ ଅର୍ଜନ କରିବା ସହିତ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ।