Odisha news

ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦୈନିକ ୩୦ ଟ୍ରେନ ଲୋଡା: ନିରଞ୍ଜନ

0

ଭୁବନେଶ୍ୱର, ୨୧ / ଓଡ଼ିଶାର ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ସେମାନେ କାର୍ଯ୍ୟ କରୁଥିବା ସହରଗୁଡିକରେ ଅଟକି ରହିଛନ୍ତି ଏବଂ ସେମାନଙ୍କ ନିକଟରେ ଜୀବନ ନିର୍ବାହ କରିବା କିମ୍ବା ଘରକୁ ଫେରିବାର କୌଣସି ସାଧନ ନାହିଁ । ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ଲକ୍‍ଡାଉନ ଯୋଗୁଁ ସେମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବସଷ୍ଟପ୍‍ ଏବଂ ରେଳଷ୍ଟେସନ ଭଳି ବିଭିନ୍ନ ଟ୍ରାନ୍‍ଜିଟ ସ୍ଥଳରେ ସେମାନେ ହୁଏତ ଅଟକି ରହିଛନ୍ତି ଅଥବା ଚାଲିଚାଲି ଘରକୁ ଫେରିବାର ଉଦ୍ୟମ କରୁଥିବାର ହଜାର ହଜାର ଚିତ୍ର ଆମ ଦୃଷ୍ଟିକୁ ଆସୁଛି ଏବଂ ଏହା ସମଗ୍ର ଦେଶର ବିବେକକୁ ଦୋହଲାଇ ଦେଇଛି । ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସମ୍ପ୍ରତି ଦିନକୁ ଯେଉଁଭଳି ୫ରୁ ୭ଟି ଟ୍ରେନ ନିୟୋଜିତ କରାଯାଉଛି ତଦ୍ଦ୍ୱାରା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅନ୍ୟୁନ ଛଅମାସ ଲାଗିଯିବ । ତେଣୁ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦୈନିକ ଅନ୍ୟୁନ ୩୦ଟି ଟ୍ରେନ ଓଡ଼ିଶାରୁ ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
ସେଥିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଦୃଷ୍ଟିଦେବାକୁ ପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ପୁନର୍ବାର ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ମାନନୀୟ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରେଳମନ୍ତ୍ରୀ ରାଜ୍ୟଗୁଡିକୁ ପତ୍ରଲେଖି ସେମାନଙ୍କ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେତେ ସଂଖ୍ୟକ ଟ୍ରେନର ଆବଶ୍ୟକତା ରହିଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ମାସ ୧୭ତାରିଖରେ ତାଙ୍କର ଶେଷଘୋଷଣା କାଳରେ ଏକଥା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ମାତ୍ର ତିନିଘଣ୍ଟା ପୂର୍ବ ନୋଟିସ୍‍ରେ ଭାରତୀୟ ରେଳବାଇ ଦେଶର ଯେକୌଣସି ସ୍ଥାନରୁ ଯେକୌଣସି ସମ୍ରରେ ୧୫୦୦ ଟ୍ରେନ ଉପଲବ୍ଧ କରାଇବାକୁ ପୂର୍ଣ୍ଣ ସମର୍ଥ । ଏହାକୁ ଦୃଷ୍ଟିରେ ରଖି ପ୍ରବାସରେ ଅଟକି ରହିଥିବା ଶ୍ରମିକମାନଙ୍କର ଅବସ୍ଥାରେ ଶୋଚନୀୟ ଅବନତି ଘଟୁଥିବା ବିଷୟକୁ ବିଚାରକରି ପରିସ୍ଥିତିର ମୁକାବିଲା କରିବାକୁ ଆମକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ହେବ । ବିହାର ସରକାର ଭାରତୀୟ ରେଳବାଇ ସହିତ ମିଶି ଦୈନିକ ୫୦ଟି ଶ୍ରମିକ ଟ୍ରେନ ଚଳାଚଳ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ସରକାର ମଧ୍ୟ ଭାରତୀୟ ରେଳବାଇ ସହଯୋଗରେ ଦୈନିକ ୧୦୦ ଶ୍ରମିକ ଟ୍ରେନ ଚଳାଇବାକୁ ଯୋଜନା କରୁଛନ୍ତି । ଏହା ଓଡ଼ିଶା କାହିଁକି କରିନପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply