ଭୁବନେଶ୍ୱର, ୨୫ ସେପ୍ଟେମ୍ବର – ଓଡ଼ିଶାରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶୁକ୍ରବାର ଏକ ପ୍ରେସବାର୍ତା ରେ କହିଛନ୍ତି । ସାରା ଭାରତବର୍ଷରେ ଯଦି କେଉଁ ଅଂଚଳରେ ଶସ୍ତାରେ ବିଦ୍ୟୁତ ମିଳିବା କଥା ତାହା ମଧ୍ୟରୁ ଓଡିଶା ଅନ୍ୟତମ । କାରଣ ଏଠାରେ ଜଳବିଦ୍ୟୁତ ଉତ୍ପାଦନ ହୁଏ ଏବଂ କୋଇଲା ବିଦ୍ୟୁତ ବି ଉତ୍ପାଦନ ହୁଏ ଏହା ବ୍ୟତୀତ ସୂର୍ଯ୍ୟକିରଣରୁ ବିଦ୍ୟୁତ ଉତ୍ପାଦନ କରିବାର ଯଥେଷ୍ଟ ସୁଯୋଗ ମଧ୍ୟ ଓଡ଼ିଶାରେ ଅଛି ।କିନ୍ତୁ ସରକାରଙ୍କ ଅପାରଗତା ପାଇଁ ଆମକୁ ଏଠି ବହୁ ମୂଲ୍ୟ ଦେବାକୁ ପଡୁଛି ବୋଲି ପିସିସି ସଭାପତି କହିଛନ୍ତି । ସେ କହିଛନ୍ତି ବର୍ତମାନ ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର ୩୫ ଭାଗ ବୈଷୟିକ ଦୃଷ୍ଟିକୋଣରୁ ଏବଂ ବ୍ୟବସାୟୀ ଦୃଷ୍ଟି କୋଣରୁ କ୍ଷତି ହେଉଛି । ବିଦ୍ୟୁତ ମୂଲ୍ୟ ଅଭିବୃଦ୍ଧିର ଠିକ କାରଣ ଗୁଡିକ ସମାଧାନ ନ କଲା ପର୍ଯ୍ୟନ୍ତ ଏହିପରି ବିଦ୍ୟୁତ ମୂଲ୍ୟ ବଢି ବଢି ଯିବ ।୧୯୯୯ ବାତ୍ୟା ପୂର୍ବରୁ ବିଶ୍ୱ ବ୍ୟାଙ୍କ ସହିତ ଚୁକ୍ତିନାମା କରି ବିଦ୍ୟୁତ ସଂସ୍କାର କରିବାର କାର୍ଯ୍ୟକ୍ରମ କଂଗ୍ରେସ ସରକାର ଗ୍ରହଣ କରିଥିଲେ ।କିନ୍ତୁ ୨୦୦୦ ମସିହା ପରେ ସେ ସଂସ୍କାର କାର୍ଯ୍ୟକୁ ବନ୍ଦ କରିଦେଲେ ସରକାର ।ଯାହା ଫଳରେ ବିନା କାରଣରେ ବିଦ୍ୟୁତ ଦର ବଢି ବଢି ଚାଲୁଛି । ମହାମାରୀ କରୋନା ରେ ଜନସାଧାରଣ ଜୀବନ ବଂଚାଇବାକୁ ଜୀବିକା ସହ ସଂଘର୍ଷ କରୁଥିବା ବେଳେ ବିଦ୍ୟତ ଦର ବଢା ଯାଇଛି ଯାହାକି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
