ଭୁବନେଶ୍ୱର: କେନ୍ଦ୍ର ସରକାର ଲକ୍ଡାଉନ୍-୪ ପରେ ଅନ୍ଲକ୍-୧ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କରୋନା ମୁକାବିଲା ଲାଗି ରାଜ୍ୟ ସରକାର କଟକଣା କଠୋର କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜୁନ୍ ମାସରେ ରାଜ୍ୟରେ ପ୍ରବାସୀଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମଣ ବି ବଢ଼ିପାରେ। ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନେକ କଟକଣା ଜାରି ରହିବ।
ଏହାପରେ ପୁଲିସ ଡିଜି ଅଭୟଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ପୁଲିସ ଜନ ସଚେତନତା ସୃଷ୍ଟି କରୁଥିଲା, ମାତ୍ର ଏଣିକି କାର୍ଯ୍ୟାନୁଷ୍ଠାନକୁ କଡ଼ା କରିବ। ଯେଉଁମାନେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ୍କୁ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ନମା ନିଲେ ଜରିମାନା ଆଦାୟ ହେବ, ମାମଲା ହେବ ଏବଂ ଦରକାର ପଡ଼ିଲେ ଗିରଫଦାରି ବି ହେବ। ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍ଡାଉନ୍ ସମୟରେ ସାଧାରଣ ଲୋକଙ୍କ ଗମନାଗମନ ପୂରା ବନ୍ଦ ରହିବ। କେବଳ ଔଷକ୍ଷ ଦୋକାନ ଓ ଜରୁରୀ ସେବା ଜାରି ରହିବ। ଏହାକୁ ଯେଉଁମାନେ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ।
ଅନ୍ୟପକ୍ଷରେ ଡିଜି ଅଭୟ କହିଛନ୍ତି ଯେ, ଯେଉଁମାନେ ଅନ୍ଲକ୍-୧ ଆସିବାରୁ କୋହଳ ମନୋଭାବ ପୋଷଣ କରିଛନ୍ତି ସେମାନେ ସାବଧାନ ହେବା ଉଚିତ କି ନିୟମ କୋହଳ ହୋଇନାହିଁ। ଏଥିସହ ସେ ସୂଚନା ଦେଇଥିଲେ ଯେ ନାଇଟ କର୍ଫ୍ୟୁ ରାଜ୍ୟରେ ଯେପରି ଥିଲା ସେପରି ରହିବ। ଅର୍ଥାତ୍ ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି କହିବା ସହ ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ଜଣ ଏବଂ ବିବାହରେ ସର୍ବାଧିକ ୫୦ଜଣ ଉପସ୍ଥିତ ରହିପାରିବେ। ଏଥିପାଇଁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ।