ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁସାରେ ସୋମବାର (୨୦୨୦ ମେ’ ମାସ ୪ ତାରିଖ) ଠାରୁ ଲକଡାଉନ କଟକଣା ସହ କଣ୍ଟେନମେଣ୍ଟ ଜୋନ୍, ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ପାଇଁ ଅଲଗା ଅଲଗା ନିୟମ କରାଯାଇଛି।
କ୍ୟାବ ଓ ଟ୍ୟାକ୍ସି ଚାଲିବ । ଘରୋଇ କାରରେ ଡ୍ରାଇଭରଙ୍କ ସହ ୨ ଜଣ ପାସେଞ୍ଜର ଯାଇପାରିବେ । ଦୁଇ ଚକିଆ ଯାନରେ ପଛରେ ବସିବାକୁ କାହାରିକୁ ଅନୁମତି ମିଳିବ ନାହିଁ । ଓଲା ଓ ଉବେରରେ ମେଡିକାଲକୁ ରୋଗୀ ଯିବାଆସିବା କରିପାରିବେ । ସେହିପରି ଜିଲ୍ଲା ଭିତରେ ଅଥବା ବାହାରେ ବସ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ।
ସେହିପରି ବଜାର ଓ ବଜାର ପରିସରରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିପାରିବ । ସହରାଞ୍ଚଳରେ ଆବାସିକ ଅଞ୍ଚଳରେ ଥିବା ଗୋଟିକିଆ ଦୋକାନ ଓ ଧାଡ଼ିକିଆ ଦୋକାନ ଖୋଲିପାରିବ । ଗ୍ରାମାଞ୍ଚଳରେ ସପିଂ ମଲ ବ୍ୟତୀତ ଅନ୍ୟ ସବୁ ଦୋକାନଗୁଡ଼ିକ ଖୋଲିବ । ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥାକୁ ଅନୁମତି ମିଳିବ । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳକୁ ଅନୁମତି ମିଳିଛି । ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳର ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି ।
ରାଜ୍ୟ ସରକାର ରେଡ ଜୋନ୍ ପାଇଁ ଅଧିକ କଟକଣା ଲାଗୁ କରିଛନ୍ତି । ରେଡ ଜୋନରେ ଜରୁରୀ ସାମଗ୍ରୀ ପାଇଁ ଇ-କମର୍ସକୁ ଅନୁମତି ମିଳିଛି । ସପିଂ ମଲ, ମାର୍କେଟ କମ୍ପେ୍ଲକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ ଓ ଅଟୋ ରିକ୍ସା ସଂପୂର୍ଣ୍ଣ ରୂପେ ବନ୍ଦ ରହିବ । ରେଡ ଜୋନରେ ସେଲୁନ ଓ ସ୍ପା ଖୋଲିପାରିବ ନାହିଁ ।
ଆସନ୍ତାକାଲିଠାରୁ ବିମାନ, ଟ୍ରେନ ଓ ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହେଟେଲରେ ରହିବା କଟକଣା ଜାରି ରହିବ । ସିନେମା, ସପିଂମଲ, ଜିମ, ସ୍ପୋର୍ଟସ କମ୍ପେ୍ଲକ୍ସ, ସୁଇମିଂ ପୁଲ, ପାର୍କ, ଥିଏଟର, ବାର ବନ୍ଦ ରହିବ । ସେହିପରି ଭିଡ ଜମୁଥିବା କାର୍ଯ୍ୟକ୍ରମ ଉପରେ କଟକଣା ଜାରି ରହିବ ।