ନାଲକୋ – ଏନଏଲସି ଇଣ୍ଡିଆ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତିନାମା : ଅନୁଗୋଳରେ ପ୍ରତିଷ୍ଠା ହେବ ୧୦୮୦ ମେଗାୱାଟ ପାୱାର ପ୍ଲାଣ୍ଟ
ନୂଆ ଦିଲ୍ଲୀ /ଭୁବନେଶ୍ୱର, ୮ ଜୁଲାଇ ୨୦୨୬: ଓଡ଼ିଶାର ଅନୁଗୋଳ ଠାରେ ୧୦୮୦ ମେଗାୱାଟ ଥର୍ମାଲ୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଜି ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନଏଲସି ଇଣ୍ଡିଆ ଲିମିଟେଡ୍ ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ (ଅତିରିକ୍ତ ଦାୟିତ୍ୱ) ଶ୍ରୀ ସନୋଜ କୁମାର ଝା, ଭା.ପ୍ର.ସେ, ନାଲକୋ ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିବେକ କୁମାର ବାଜପେୟୀ, ନାଲକୋ ର ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ବିତ୍ତ) ଶ୍ରୀ ଅଭୟ କୁମାର ବେହୁରିଆ, ଏନଏଲସି ଇଣ୍ଡିଆ ଲିମିଟେଡ୍ ର ନିର୍ଦ୍ଦେଶକ (ବିତ୍ତ) ଡ଼. ପ୍ରସନ୍ନ କୁମାର ଆଚାର୍ୟ୍ୟ ଙ୍କ ସହ ଖଣି ତଥା କୋଇଲା ମନ୍ତ୍ରଣାଳୟ ଏବଂ ଉଭୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ମିଳିତ ଉଦ୍ୟମ କମ୍ପାନୀ ଆଇନ, ୨୦୧୩ ଅନୁଯାୟୀ ପଞ୍ଜିକୃତ ହେବ ଏବଂ ଏହାର ପଞ୍ଜିକୃତ କାର୍ୟ୍ୟାଳୟ ଚେନ୍ନାଇରେ ତଥା କର୍ପୋରେଟ୍ କାର୍ୟ୍ୟାଳୟ ଭୁବନେଶ୍ୱରରେ ରହିବ । ପ୍ରତ୍ୟେକ କମ୍ପାନୀର ୫୦% ଇକ୍ୱିଟି ରହିବା ସହ ବିଦ୍ୟୁତ ଆଇନ, ୨୦୦୩ ର ଧାରା ୬୨ ଅନୁଯାୟୀ ୧୦୦% ବିଦ୍ୟୁତ୍ ଯୋଗାଣ ନିମନ୍ତେ ନାଲକୋ ସହିତ ୨୫ ବର୍ଷର ବିଦ୍ୟୁତ୍ କ୍ରୟ ଚୁକ୍ତିନାମା ଏବଂ କୋଲ୍ ଇଣ୍ଡିଆ ଅଧିସୂଚିତ ମୂଲ୍ୟରେ କୋଇଲା ନିମନ୍ତେ ଏନଏଲସି ଇଣ୍ଡିଆ ଲିମିଟେଡ୍ ସହିତ ଏକ ଦୀର୍ଘକାଳୀନ ଇନ୍ଧନ ଯୋଗାଣ ଚୁକ୍ତିନାମାର ଅଂଶ ଅଟେ ।
ଏହି ଚୁକ୍ତିନାମା ଭାରତ ସରକାରଙ୍କ ଖଣି ଏବଂ କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଦୁଇଟି ନବରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ ମଧ୍ୟରେ ରଣନୈତିକ ସହଭାଗୀତା ଅଟେ । ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫେବୃଆରୀ ରେ ଚେନ୍ନାଇରେ ନାଲକୋ ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ତାପଜ ଏବଂ ନବୀକରଣୀୟ ଶକ୍ତି ପ୍ରକଳ୍ପ ବିକାଶ ଏବଂ ଦୀର୍ଘକାଳୀନ କୋଇଲା ଯୋଗାଣ ବ୍ୟବସ୍ଥାରେ ସହଯୋଗ ପାଇଁ ବ୍ୟାପକ ଢାଞ୍ଚା ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଦେଶର ଏକ ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ନିର୍ମାତା ଭାବେ ନାଲକୋ ଓଡ଼ିଶାର ଅନୁଗୋଳ ଠାରେ ବାର୍ଷିକ ୦.୫ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ସମ୍ପ୍ରସାରଣ କରୁଛି, ଯାହା ୨୦୩୦ – ୩୧ ରେ କାର୍ୟ୍ୟକ୍ଷମ ହେବା ନିମନ୍ତେ ସମୟ ଧାର୍ୟ୍ୟ କରାଯାଇଛି । ଏହି ପ୍ଲାଣ୍ଟ ନିମନ୍ତେ ଅତିରିକ୍ତ ୮୦୦ ମେଗାୱାଟ କ୍ୟାପ୍ଟିଭ୍ ପାୱାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୂରଣ କରିବା ପାଇଁ, ପ୍ରସ୍ତାବିତ ମିଳିତ ଉଦ୍ୟମକୁ ପର୍ୟ୍ୟାୟକ୍ରମେ ଅନୁଗୋଳ ସ୍ଥିତ ନାଲକୋ ସିପିପି ପରିସରରେ ସ୍ଥାପିତ କରାଯିବ । ଚୁକ୍ତିନାମା ମାଧ୍ୟମରେ ଏନଏଲସି ଇଣ୍ଡିଆ ଲିମିଟେଡ୍ ନାଲକୋକୁ ଆରସିଓ ମାନଦଣ୍ଡ ଅନୁଯାୟୀ ୨୦୦ – ୨୫୦ ମେଗାୱାଟ ନବୀକରଣୀୟ ଶକ୍ତି ଯୋଗାଇଦେବ ବୋଲି ଲକ୍ଷ ରଖାଯାଇଛି ।
କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ଏନଏଲସି ଇଣ୍ଡିଆ ଲିମିଟେଡ଼ ର ଲିଗନାଇଟ୍, କୋଇଲା ଖଣି ଏବଂ ତାପଜ/ନବୀକରଣଯୋଗ୍ୟ ବିଦ୍ୟୁତ୍ ଉତ୍ପାଦନରେ ଛଅ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ଏହା ସହିତ, କମ୍ପାନୀର ପ୍ରକଳ୍ପ କାର୍ୟ୍ୟକାରୀ କ୍ଷମତା ଏବଂ ଅନୁଗୋଳ ସ୍ଥିତ ମାଛକଟା ଖଣିରୁ ଦୀର୍ଘକାଳୀନ କୋଇଲା ଯୋଗାଣ ସୁନିଶ୍ଚିତ ଏହି ପ୍ରକଳ୍ପକୁ ସଫଳତା ଆଡକୁ ଆଗେଇନେବାରେ ସହାୟକ ହେବ ।
