Odisha news

୨୦୧୯-୨୦ ଆର୍ଥିକ ବର୍ଷରେ ନାଲକୋର ରେକର୍ଡ଼ ଉତ୍ପାଦନ

0

– କୋଭିଡ୍ ୧୯ ଜନିତ ସମସ୍ୟାର ମଧ୍ୟରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ସହିତ ଖଣି ଏବଂ ପରିଶୋଧକର ଶତ ପ୍ରତିଶତ କ୍ଷମତା ଉପଯୋଗ
– କୋଇଲା ଯୋଗାଣର ସମସ୍ୟା ସତ୍ତ୍ୱେ ଆଲୁମିନିୟମ ସ୍ମେଲ୍ଟରର ୯୦ ପ୍ରତିଶତ କ୍ଷମତା ଉପଯୋଗ

ଭୁବନେଶ୍ୱର, ୦୧.୦୪.୨୦୨୦ : କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସ୍ନାଲ୍ ଆଲୁମିନିୟମ କମ୍ପାନୀ (ନାଲକୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା କ୍ଷେତ୍ରରେ ସର୍ବକାଳୀନ ଉତ୍ପାଦନ ରେକର୍ଡ଼ କରିଅଛି । ଶତକଡ଼ା ୧୦୦ ରୁ ଉଦ୍ଧ୍ୱର୍ କ୍ଷମତା ଉପଯୋଗ କରି ଏହାର ଦାମନଯୋଡ଼ିସ୍ଥିତ ପଂଚପଟ୍ଟମାଳି ବକ୍ସାଇଟ୍ ମାଇନ୍ସରେ ୭୩.୦୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଉତ୍ତୋଳନ ହୋଇ ପାରିଅଛି ଯାହା ଏକ ସର୍ବକାଳୀନ ରେକର୍ଡ଼ ଅଟେ । ସେହିପରି ଆଲୁମିନା ପରିଶୋଧନ ପ୍ରକଳ୍ପରେ ୨୧.୬୧ ଲକ୍ଷ ମେଟ୍ରିକ ଟନ୍ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ କରିଅଛି । ଆଲୁମିନା ରିଫାଇନାରୀର ଷ୍ଟିମ୍ ଆଣ୍ଡ ପାୱାର ପ୍ଲାଂଟ ମଧ୍ୟ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ କରିଅଛି ।

ସେହିପରି କୋଇଲା ଯୋଗାଣରେ ବିଭିନ୍ନ ସମସ୍ୟା ତଥା ସଂପ୍ରତି କରୋନା ଭାଇରସ୍ ଜନିତ ଜଟିଳ ପରିସ୍ଥିତି ସତ୍ୱେ ନାଲକୋର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ଲାଂଟ ମଧ୍ୟ ୯୦ ପ୍ରତିଶତ କ୍ଷମତା ଉପଯୋଗ କରି ୪.୧୮ ଲକ୍ଷ ମେଟ୍ରିକ୍ ଟନ୍ ଆଲୁମିନିୟମ ଉତ୍ପାଦନ କରିପାରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୧୯ ମସିହାରେ ଏହି ଉତ୍ପାଦନ ପାଇଁ ସର୍ବନିମ୍ନ ଡି.ସି. ଏନର୍ଜି ବିନିଯୋଗ କରାଯାଇଅଛି ।

ଏହି ସଫଳତା ପାଇଁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଶ୍ରୀଧର ପାତ୍ର କର୍ମଚାରୀମାନଙ୍କୁ ଶ୍ରେୟ ଦେବା ସହିତ ସେମାନଙ୍କର କର୍ତ୍ତବ୍ୟନଷ୍ଠା ଓ ଉତ୍ତରଦାୟୀତ୍ୱକୁ ପ୍ରଶଂସା କରି ପ୍ରକାଶ କରିଛନ୍ତି ଯେ ସାଂପ୍ରତିକ ମେଟାଲ ମାର୍କେଟ୍ ର ମାନ୍ଦାବସ୍ଥାକୁ ବିଚାରକୁ ନେଇ ଆମ୍ଭେମାନେ ବକ୍ସାଇଟ୍ ଉତ୍ତୋଳନ ଏବଂ ପରିଶୋଧନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ତଥା ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ।ବିଶେଷତଃ କୋଭିଡ୍ ୧୯ ର ସମସ୍ୟା ସତ୍ତ୍ୱେ ନାଲକୋ ଏହାର ସୀମିତ ମାନବ ସମ୍ବଳ ବିନିଯୋଗ କରି ଉତ୍ପାଦନ ଜାରି ରଖିବା ସହିତ ଜାତୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ଯୋଗଦାନ କରିପାରିଛି । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ କର୍ମଚାରୀମାନଙ୍କର ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଉଅଛି ।

Leave A Reply

Your email address will not be published.