Odisha news

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ : ମୋଦୀ ସରକାରଙ୍କୁ ଝଟକା

0

ନୂଆଦିଲ୍ଲୀ : କୃଷି ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଲାଗିଛି ଝଟକା। ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ ସରକାରଙ୍କୁ ବଡ ଝଟକା ଦେଇ କହିଥିଲେ ଯେ, ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଏବେ କୌର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି।

ହରସିମରତ କୌର ବାଦଲ ଟ୍ଵିଟ୍‌ରେ ଇସ୍ତଫାର ସୂଚନା ଦେଇ କହିଛନ୍ତି, ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛି। କୃଷକଙ୍କ ସହିତ ସେମାନଙ୍କର ଝିଅ ଓ ଭଉଣୀ ଭାବେ ଛିଡା ହୋଇଥିବାରୁ ଗର୍ବିତ।

ସୁଖବୀର ସିଂହ ବାଦଲ କହିଛନ୍ତି ଆମେ ଏହି ନିଷ୍ପତ୍ତି ବିଧେୟକ ବିରୋଧରେ ନେଇଛୁ। ଆମ ଦଳ ଏହି ବିଧେୟକକୁ ବିରୋଧ କରୁଛି। ବିଧେୟକରେ ଯେଉଁ ପ୍ରାବଧାନ ରହିଛି ସେଥିରେ ୨୦ ଲକ୍ଷ କୃଷକଙ୍କ ଉପରେ ପ୍ରଭାବ ପଡିବ। ସ୍ଵାଧୀନତା ପରେ ପ୍ରତିଟି ରାଜ୍ୟ ନିଜର ଯୋଜନା କରିଛନ୍ତି। ପଞ୍ଜାବ ସରକାର ଗତ ୫୦ ବର୍ଷ ଧରି ଚାଷ ପାଇଁ କାମ କରିଛି। ପଞ୍ଜାବରେ କୃଷକ ନିଜର ଖେତକୁ ନିଜର ପିଲା ଭାବିଥାଏ।

 

Leave A Reply