ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ମହାମାରୀ କରୋନା ଭୂତାଣୁ ପ୍ରଭାବରେ ଦୀର୍ଘ ୪ ମାସର ଲକଡାଉନ ଯୋଗୁଁ ଦେଶରେ ଶିକ୍ଷା ଶିଳ୍ପଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଠପ୍ ହୋଇଯାଇଥିବା ବେଳେ କୃଷିକ୍ଷେତ୍ର ଅର୍ଥନୀତି ପାଇଁ ବରଦାନ ସଦୃଶ ହୋଇଛି । ଦେଶରେ ଜିଡିପି ଅଭିବୃଦ୍ଧି ୨୩.୯ ପ୍ରତିଶତ ହୋଇଥିବା ବେଳେ କୃଷି କ୍ଷେତ୍ରରେ ଏପ୍ରିଲରୁ ଜୁନ୍ ତ୍ରୟମାସିକରେ ଅଭିବୃଦ୍ଧି ୩.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତବର୍ଷ କୃଷିକ୍ଷେତ୍ରରେ ଅଭିବୃଦ୍ଧି ୩ ପ୍ରତିଶତ ରହିଥିଲା । ତେବେ ଏହା ସମ୍ଭବ ହୋଇଛି କେବଳ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦ୍ୱାରା ବୋଲି ବିନାଦ୍ୱିଧାରେ କୁହାଯାଇପାରିବ । ବର୍ତମାନ ସୁଦ୍ଧା ଦେଶରେ ୬.୬ ପ୍ରତିଶତ ବଳକା ବର୍ଷା ହୋଇଛି । ଅତ୍ୟଧିକ ବର୍ଷା ଯୋଗୁଁ ଦେଶର ବହୁ ଅଂଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଫସଲ ହାନୀ ମଧ୍ୟ ଘଟିଛି ।
ଏହା ସତ୍ୱେ ସମୟୋପଯୋଗୀ ମୌସୁମୀ ବର୍ଷା ଯୋଗୁଁ ଗତ ବର୍ଷ ତୁଳନାରେ ୬.୩ ପ୍ରତିଶତ ଅଧିକ ଜମିରେ ଖରିଫ ଚାଷ ହୋଇଛି । ସେହିପରି ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଗତବର୍ଷ ଏହି ସମୟ ତୁଳନାରେ ଖୁଚୁରା ବଜାରରେ ବିଭିନ୍ନ ସାର ବିକ୍ରି ୩୩.୬ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ଦେଶର ବିଭିନ୍ନ ଅଂଚଳରେ ସାରର ଚାହିଦା ବୃଦ୍ଧି ଯୋଗୁଁ କଳା ବଜାରରେ ଚଢା ଦରରେ ବିକ୍ରୀ ହୋଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ପଙ୍ଗପାଳ ଆକ୍ରମଣ ମଧ୍ୟ ଅତି ସମ୍ବେଦନଶୀଳ ଘଟଣା ଥିଲା । ପଙ୍ଗପାଳ ଆକ୍ରମଣ ଜନିତ ଶସ୍ୟ ହାନି ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା । ସେପରି କିଛି ହୋଇନାହିଁ । ବନ୍ୟାରେ ଖରିଫ ଶସ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ କୃଷି ବିଶାରଦମାନଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷ ଖରିଫ ଶସ୍ୟ ଅମଳ ଆଶାଠାରୁ ଅଧିକ ହେବ ବୋଲି କୁହାଯାଇଛି । ଦେଶରେ ରବି ଶସ୍ୟ ଉତ୍ପାଦନ ମଧ୍ୟ ଉସôାହଜନକ ରହିଛି । ଯେଉଁଥିପାଇଁ କି କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି ।
ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଦେଶର ବିଭିନ୍ନ ସ୍ଥାନରେ ପ୍ରାୟତଃ ସମାନ ରହିଛି । କେଉଁଠି ଅତିବୃଷ୍ଟି ହୋଇ ନାହିଁ କି କେଉଁଠି ଅନାବୃଷ୍ଟି ହୋଇନାହିଁ । ତେବେ ଦେଶର ୩୬ଟି ଆଂଚଳିକ ପାଣିପାଗ ଉପଖଣ୍ଡ ମଧ୍ୟରୁ ୩୩ଟିରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୩ଟିରେ ନିଅଟିଂଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଛୁଇଁବା ଆଉ ଏକ ଉଲ୍ଲେଖନୀୟ ଘଟଣା । ଯାହାକି ଚାଷକାର୍ଯ୍ୟ ଆଗେଇ ନେବା ପାଇଁ କୃଷକଙ୍କୁ ସହାୟକ ହୋଇଥିଲା । ଜୁନ ମାସରେ ମୌସୁମୀ ବର୍ଷା ସ୍ୱାଭାବିକ ବର୍ଷା ଠାରୁ ୧୭.୬ ପ୍ରତିଶତ ଅଧିକି ରହିଥିଲା । ମାତ୍ର ଜୁଲାଇ ମାସରେ ୯.୭ ପ୍ରତିଶତ ନିଅଟିଂଆ ବର୍ଷା ହୋଇଥିଲା । ଯେଉଁଥିପାଇଁ ଦେଶର କିଛି ଅଂଚଳରେ ମରୁଡି ଜନିତ ପରିସ୍ଥିତି ସୃଷ୍ଟି ଆଶଙ୍କା କରାଯାଉଥିଲା । ଅଗଷ୍ଟ ପ୍ରଥମ ସପ୍ତାହରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟରେ ବର୍ଷାଭାବରୁ ମରୁଠି ପରିସ୍ଥିତି ଆଶଙ୍କା କରାଯାଉଥିଲା ।
ମାତ୍ର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଗୁଡିକରେ ସ୍ୱାଭାବିକଠାରୁ ଅଧିକି ବର୍ଷା ହୋଇଥିଲା । ଅନ୍ୟପକ୍ଷରେ ଅଗଷ୍ଟ ଶେଷ ସପ୍ତାହରେ ଅତ୍ୟଧିକ ବର୍ଷା ଯୋଗୁଁ ମଧ୍ୟପ୍ରଦେଶରେ ସୋୟାବିନ୍, ହରଡ, ଚିଲି, କଦଳୀ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଉତର କର୍ଣ୍ଣାଟକରେ ଅତ୍ୟଧିକ ବର୍ଷା ଯୋଗୁଁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଅମଳ ସମୟରେ ପିଆଜ କ୍ଷତିଗ୍ରସ୍ତ ହୋଇଥିଲା । ସାଧାରଣତଃ ସେପ୍ଟେମ୍ବର ମାସରେ ପିଆଜ ବଜାରକୁ ଆସିଥାଏ । ଏବେ ମହାରାଷ୍ଟ୍ର ପିଆଜ ଉପରେ ଆଶା ରହିଛି । ଯାହାକି ଅକ୍ଟୋବର ଶେଷ ଆଡକୁ ବଜାରକୁ ଆସିଥାଏ । ବର୍ଷାରେ ପିଆଜ ଚାଷ କ୍ଷତିଗ୍ରସ୍ତ ଯୋଗୁଁ ଦେଶରେ ପିଆଜ ଓ ଆଳୁର ଦର ବଢିବାରେ ଲାଗିଛି । ନିକଟରେ କେନ୍ଦ୍ର ସରକାର ପିଆଜ ରତ୍ପାନୀକୁ ନିଷିଦ୍ଧ କରିବାକୁ ବାଧ୍ୟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଉତମ ବର୍ଷା ଯୋଗୁଁ ଦେଶରେ ଖରିଫ ଫସଲ ଅମଳ ଆଶାଠାରୁ ଅଧିକ ହେବା ଆଶା ରହିଛି । ପ୍ରଥମ ପର୍ଯ୍ୟାୟରେ ଅନିୟମିତ ବର୍ଷା ଯୋଗୁଁ ଚାଷ ବାଧାପ୍ରାପ୍ତ ହୋଇଥିବା ବେଳେ ପରବର୍ତୀ ସମୟରେ ଉତମ ବର୍ଷା ଯୋଗୁଁ ଶସ୍ୟ ଆଶାଜନକ ହୋଇଛି । ଚଳିତ ବର୍ଷ ଲା ନିନା ଜଳବାୟୁ ଯୋଗୁଁ ରବି ଶସ୍ୟ ଅମଳ ଭଲ ହେବ ବୋଲି ଆଶା କରାଯାଏ । କିନ୍ତୁ ଏହା ନିଶ୍ଚିତ ଯେ, ଅତ୍ୟଧିକ ବର୍ଷା ଯୋଗୁଁ ପିଆଜ ଓ ହରଡ ଚାଷ କ୍ଷତି ଗ୍ରସ୍ତ ହେବା ଫଳରେ ଆଗକୁ ପାର୍ବଣ ସମୟ ଆସୁଥିବାରୁ ଦରଦାମ ବୃଦ୍ଧି ପାଇବା ନିଶ୍ଚିତ । ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ବେଳହୁଁ ସାବଧାନ ହେବା ଉଚିତ୍ ।
