ଭୁବନେଶ୍ୱର,(ନି.ପ୍ର): ଗୋଟିଏ ଦିନରେ ଅର୍ଥାତ୍ ମଙ୍ଗଳବାର କମିଶନରେଟ୍ର ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଛଅଟି ଥାନାରୁ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ପୋଲିସ ୮ଟି ଲାପଟପ୍, ୫ଟି ମୋବାଇଲ, ଟିଭି, ଏଲିଡ଼ି ଟିଭି, ବାଇକ ଜବତ କରିଛି । ୭ ଅପରାଧୀହେଲେ, ଭରତପୁର ଥାନା ପୋଲିସର ଠକେଇ ଅଭିଯୁକ୍ତ ବୀରଞ୍ଚିନାରାୟଣ ଆଚାର୍ଯ୍ୟ । ଅଭିଯୁକ୍ତ ବୀରଞ୍ଚି ବିଭିନ୍ନ ଟାୱାର କମ୍ପାନୀ, ଅଫିସରେ ଚାକିରି କରାଇଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛି । ସେହିଭଳି ଖଣ୍ଡଗିରି ଥାନା ପୋଲିସ ଗତକାଲି ରାତିରେ ପଞ୍ଚଶଖାନଗରର ୨ଟି ଘରେ ପସି ଟିଭି, ଲାପଟପ୍, ମୋବାଇଲ ଚୋରି କରିଥିବା ଅଭିଯୋଗରେ ବରମୁଣ୍ଡା ଅଞ୍ଚଳର ମିଥୁନ୍ ପାଇକରାୟ ନାମକ ଲୁଟେରାକୁ ଗିରଫ କରିଛି । ତାଠାରୁ ୪ଟି ଲାପଟପ୍, ୨ଟି ମୋବାଇଲ, ଏକ ଏଲିଡ଼ି ଟିଭି ଜବତ କରାଯାଇଛି । ସେହିଭଳି ଲକ୍ଷ୍ମୀସାଗର ଥାନା ପୋଲିସ ମଧ୍ୟ ୨ ଜଣ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ଲାପଟପ୍, ଏକ ବାଇକ ଓ ୨ଟି ମୋବାଇଲ ଜବତ କରିଛି । ୨ ଅଭିଯୁକ୍ତହେଲେ, କାର୍ଗିଲ ବସ୍ତିର ଅଶୋକ ଦାସ ଓ ଲିଙ୍ଗରାଜ ବିହାରର ରଘୁନାଥ ନାୟକ । ବଡ଼ଗଡ଼ ଥାନା ପୋଲିସ ମଧ୍ୟ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିବା ସହ ତାଠାରୁ ଏକ ମୋବାଇଲ ଜବତ କରିଛି । ଅଭିଯୁକ୍ତ ହେଲେ, କେଦାରପଲ୍ଲୀ ବସ୍ତିର ବୁଲା ନାୟକ । କଳ୍ପନା ଛକରୁ ଜଣେ ଚିନ୍ମୟ ନାୟକ ନାମ୍ ବ୍ୟକ୍ତିଙ୍କଠାରୁ ମୋବାଇଲ ଝାମ୍ପିନେଇଥିଲା । ସେହିଭଳି ମଞ୍ଚେଶ୍ୱର ଥାନା ପୋଲିସ ମଧ୍ୟ ମଦ ପି ଏକ ନିର୍ମାଣଧିନ ଆପାର୍ଟମେଣ୍ଟକୁ ଯାଇ ଦାଦାବଟି ମାଗିବା ସହ ମାଲିକଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ସତ୍ୟବ୍ରତ ବେଜି ନାମକ ଅଭିଯୁକ୍ତକୁ ଗିରଫ କରିଛି ।
Comments are closed.