ଭୁବନେଶ୍ୱର,୧୮/୮ : ରାଜ୍ୟର ୫ଟି ମହାନଗର ନିଗମ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଂଚଳରେ ‘ନଗର ବନ’ ଯୋଜନାରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦ୍କରଙ୍କୁ ଦେଇଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭେଦ୍କର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନଙ୍କ ସହ ଜଙ୍ଗଲ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ବିଷୟରେ ବ୍ୟାପକ ଆଲୋଚନା କରିଥିଲେ । ଚଳିତ ବର୍ଷ ପ୍ରୋଜେକଫ ଡଲ୍ଫିନ୍ ଓ ପ୍ରୋଜେକଫ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଡଲ୍ଫିନ୍ ଓ ସିଂହ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁଯାୟୀ ଓଡ଼ିଶାରେ ଶତକଡ଼ା ୩୩.୧୫ ଭାଗ ଜଙ୍ଗଲ ବୃଦ୍ଧି ଘଟିଛି । ବିଗତ ୨୦ ବର୍ଷ ମଧ୍ୟରେ ୪୫୮୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବାବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୯ ବର୍ଗ କିଲୋମିଟର ବଢ଼ିଛି । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସତ୍ୱେ ଓଡ଼ିଶାର ଏହି ଉପଲବ୍ଧି ବାସ୍ତବିକ ପ୍ରଶଂସନୀୟ । କେନ୍ଦ୍ର ସରକାର ଚଳିତ ଆର୍ôଥକ ବର୍ଷରେ ଓଡ଼ିଶା ପାଇଁ ୧ ଲକ୍ଷ ୧୦ ହଜାର ହେକଫର ପରିମିତ ଅଂଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ଏହି ଲକ୍ଷ୍ୟକୁ ଅତିକ୍ରମ କରି ଆମ ରାଜ୍ୟରେ ଚଳିତ ବର୍ଷ ୧ ଲକ୍ଷ ୩୦ ହଜାର ହେକ୍ଟରରେ ଚାରା ରୋପଣ କରାଯାଇପାରିଛି । ରାଜ୍ୟରେ ୧୩ କୋଟି ୭୦ ଲକ୍ଷ ଚାରା ଉତ୍ପାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି । ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ । ଯେଉଁ ବିଦ୍ୟାଳୟଗୁଡ଼ିକରେ ଇକୋ-କ୍ଲବ୍?ଗୁଡ଼ିକ ଉଚ୍ଚକୋଟୀର ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି, ସେସବୁ ବିଦ୍ୟାଳୟଗୁଡ଼ିକୁ ଏହି ବିଦ୍ୟାଳୟ ନର୍ସରୀ ଯୋଜନା ପାଇଁ ଚିହ୍ନଟ କରାଯାଇଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କଲେ ଏସବୁ ବିଦ୍ୟାଳୟ ନର୍ସରୀଗୁଡ଼ିକ ବୃକ୍ଷରୋପଣରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ । ରାଜ୍ୟଜଙ୍ଗଲ ବିଭାଗ ଅନ୍ଲାଇନ୍ ଟିମ୍ବର ଟ୍ରାନ୍ସପୋର୍ଟ ପରମିଟ୍ ପୋର୍ଟାଲ୍ ଲୋକାର୍ପିତ କରିସାରିଛି । ଜାତୀୟ ଟ୍ରାନ୍ଜିଟ୍ ପାସ୍ ସିଷ୍ଟମ୍ ପୋର୍ଟାଲ୍କୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ତା’ସହ ଆମର ପୋର୍ଟାଲ୍କୁ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ଏହା କାଟିବା ଓ ବିକ୍ରି କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ।