ମାର୍କେଟ୍ ବିଲ୍ଡିଂରେ ଲାଗିରହିଥିବା ଅଚଳାବସ୍ଥା ଦୂର : ମାର୍କେଟ୍ ବିଲ୍ଡିଂ ଭିତରେ ଆଉ ବସିବେନି ଉଠା ଦୋକାନୀ
ଲିଖିତ ପ୍ରତିଶ୍ରୁତି ମିଳିଲେ ଖୋଲିବ ମାର୍କେଟ୍ ବିଲ୍ଡିଂ
ଭୁବନେଶ୍ବର: ମାର୍କେଟ୍ ବିଲ୍ଡିଂରେ ଲାଗିରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। ବୁଧବାର ଦିନ ବିଏମ୍ସି ଓ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ମଧ୍ୟରେ ବସିଥିବା ବୈଠକରେ ଉଠା ଦୋକାନୀଙ୍କୁ ଆଉ ଭିତରେ ନ ପୂରାଇବା ପାଇଁ ନିଷ୍ପତ୍ତି ହୋଇଛି। ମାର୍କେଟ୍ ବିଲ୍ଡିଂ ଭିତରେ ଉଭୟ ପାର୍ଶ୍ବରେ ଉଠାକୋଦାନୀମାନେ ବସିବେ ନାହିଁ। ବସିଲେ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ତେବେ ଏହା ମୌଖିକ ନୁହେଁ, ବରଂ ଲିଖିତ ଭାବେ ଦେବା ପରେ ଯାଇ ଦୋକାନ ଖୋଲାଯିବ ବୋଲି ସଂଘ କହିଛି। ରାତି ସୁଦ୍ଧା ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆସନ୍ତାକାଲି ମାର୍କେଟ୍ ଖୋଲିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପଟେ ଉଠାଦୋକାନୀମାନେ ଅଭିଯୋଗ କରିଛନ୍ତି କି, ଆମେ କାହା ଦୟାରେ ବସୁନଥିଲୁ କି ବିଏମ୍ସି ମଧ୍ୟ ଆମକୁ ସ୍ବୀକୃତି ଦେଇନଥିଲା। ବରଂ ଆମେ ଯାହା ଦୋକାନ ସାମ୍ନାରେ ବସୁଥିଲୁ ସେ ହିଁ ଆମ ଠାରୁ ପଇସା ନେଉଥିଲା, ତା’ ଠାରୁ ମୌଖିକ ସ୍ବୀକୃତି ପାଉଥିଲୁ। ଦୀର୍ଘ ଦିନ ହେବ ଆମେ ଏଠାରେ ବସି ପେଟ ପୋଷୁଥିଲୁ। ଏବେ ହଠାତ୍ କୁଆଡ଼େ ଯିବୁ? କାହାର କାହା ସହ ଗଣ୍ଡଗୋଳ ହେଲା ସେଥିପାଇଁ ସମସ୍ତେ କାହିଁକି ଭୋଗିବେ ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି।
ଏଣେ ବିଏମ୍ସି କହିଛି, ଉଠା ଦୋକାନୀ ସେଠାରେ ବସିବା ବେଆଇନ। କାହାରିକୁ ସେଠାରେ ସ୍ବୀକୃତି ଦିଆଯାଇ ନାହିଁ। ଯେଉଁମାନେ ବସିବେ ସେମାନଙ୍କୁ ଉଚ୍ଛେଦ କରାଯିବ। ଏକ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ ଏହି ଜାଗା ଉପରେ ନିୟମିତ ନଜର ରଖିବ। କୌଣସି ଦୋକାନୀ ମଧ୍ୟ ନିଜ ଜାଗା ଛଡ଼ା ଅଧିକ ଜାଗାରେ ଜିନିଷପତ୍ର ଗଦା କରିବେ ନାହିଁ। ଏ ସବୁ ମଧ୍ୟ ଉଚ୍ଛେଦ ହେବ।
ଉଲ୍ଲେଖଯୋଗ୍ୟ, ମାର୍କେଟ୍ ବିଲ୍ଡିଂ ଭିତରେ ଏକ ଡ୍ରେସ ସୋରୁମ୍ ଆଗରେ ଜଣେ ମହିଳା ଚପଲ ଦୋକାନ କରି ବସୁଥିଲେ। ସେଠାରେ ବସିବା ପାଇଁ ସମ୍ପୃକ୍ତ ଦୋକାନୀଙ୍କୁ ଉଠାଦୋକାନୀ ଜଣକ ୩ ଶହ ଟଙ୍କା ଦେଉଥିବା କହିଥିଲେ। ତେବେ ସେହି ଜାଗାରେ ବସିବା ପାଇଁ ସମ୍ପୃକ୍ତ ଡ୍ରେସ୍ ଦୋକାନୀ ଆଉ ଜଣକୁ ସ୍ବୀକୃତି ଦେଇଥିଲେ। ସପ୍ତାହେ ତଳେ ନୂଆ କରି ସ୍ବୀକୃତି ପାଇଥିବା ବ୍ୟବସାୟୀର ଜଣକ ଆସି ପୂର୍ବରୁ ବସୁଥିବା ମହିଳା ଚପଲ ଦୋକାନୀଙ୍କୁ ଉଠିଯିବାକୁ କହିଥିଲେ। ହେଲେ ସେ ନ ଉଠିବାରୁ ବିବାଦ ଉପୁଜିଥିଲା। ଯେଉଁ ଦୋକାନ ସାମ୍ନାରେ ଏହି ବିବାଦ ଚାଲିଥିଲା ସେ ବ୍ୟବସାୟୀ ଆସି ପୂର୍ବରୁ ବସିଥିବା ମହିଳା ଚପଲ ଦୋକାନୀଙ୍କୁ ଉଠି ଯିବା ପାଇଁ କହିଥିଲେ। କିନ୍ତୁ ମହିଳା ଜଣଙ୍କ ଉଠି ନଥିଲେ।
ସପ୍ତାହେ ହେବ ସେହି ଜାଗାକୁ ନେଇ ଏଭଳି ବିବାଦ ଲାଗି ରହିଥିଲା। କଥା କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଗତକାଲି ଚପଲ ଦୋକାନ କରିଥିବା ମହିଳା ଜଣଙ୍କ ନିଜ ପସରା ଖୋଲିବାକୁ ଯିବାବେଳେ ସେଠାରେ ସମ୍ପୃକ୍ତ ଡ୍ରେସ୍ ସୋରୁମ୍ ମାଲିକଙ୍କର ସ୍କୁଟି ରହିଥିଲା। ଏଣୁ ସେ ଯାଇ ସୋରୁମ୍ ମାଲିକଙ୍କୁ ସ୍କୁଟି ହଟାଇବା ପାଇଁ କହିଥିଲେ। କିନ୍ତୁ ମାଲିକ ମନା କରିବାରୁ ସମ୍ପୃକ୍ତ ଉଠାଦୋକାନୀ ଯାଇ ସ୍କୁଟିକୁ ଫିଙ୍ଗି ଦେଇ ଦୋକାନ ଖୋଲିଥିଲେ। ଫଳରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ସବୁ ଉଠାଦୋକାନୀ ଓ ଅନ୍ୟ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଥିଲେ।
ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସମାଧାନ ହୋଇନପାରିବାରୁ ବ୍ୟବସାୟୀ ସଂଘ ସମସ୍ତ ଦୋକାନ ବନ୍ଦ କରି ଦେଇଥିଲା। ପୁଲିସ, ବିଏମସି କିଛି ଶୁଣୁ ନ ଥିବା ଅଭିଯୋଗ କରି ବ୍ୟବସାୟୀ ସଂଘ ଆଜି ଅପରାହ୍ନ ୨ଟା ପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରି ଦେଇଥିଲେ। ଆଜି ଏଥିରେ ବିଏମ୍ସି ହସ୍ତକ୍ଷେପ କରି ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲା। ଦୀର୍ଘ ଦୁଇଘଣ୍ଟାର ଆଲୋଚନା ପରେ ଉଠାଦୋକାନୀଙ୍କୁ ହଟାଇବା ପାଇଁ ବ୍ୟବସାୟୀ ସଂଘ ଦାବି କରିଥିଲା। ଏହାପରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ବିଏମ୍ସି ନିଷ୍ପତ୍ତି ନେଇଥିଲା।