ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକ ଅଦାଲତ : ୯୮୨ ଗୋଟି ମାମଲା ମଧ୍ୟରୁ ୭୯୧ଟି ମାମଲା ସମାଧାନ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରା ଜଜ୍ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କୋର୍ଟ ଏବଂ ଅନ୍ୟାନ୍ୟ ତାଲୁକ କୋର୍ଟ ମାନଙ୍କରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୯୮୨ ଗୋଟି ମାମଲା ମଧ୍ୟରୁ ୭୯୧ଟି ମାମଲାର ଆପୋଷ ବିଚାର ହୋଇ ୪୩ଲକ୍ଷ ୦୨ହଜାର ୨୫୩ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ବିଭିନ୍ନ ଶ୍ରେଣୀ ଭୁକ୍ତ ମାମଲା ମଧ୍ୟରୁ ମୋଟରଯାନ ଦୁର୍ଘଟଣା ସମ୍ବନ୍ଧୀୟ ୨୭ଗୋଟି ମାମଲା ମଧ୍ୟରୁ ୦୨ଟି, ପାରିବାରିକ ସମ୍ବନ୍ଧୀୟ ୪୯ଗୋଟି ମାମଲାରୁ ୦୪ଟି, ରାଜସ୍ୱ ସମ୍ବନ୍ଧୀୟ ୮୨୧ଗୋଟି ମାମଲା ମଧ୍ୟରୁ ୭୩୩ ଗୋଟି ମାମଲା ଓ ଅନ୍ୟାନ୍ୟ ୬୯ଗୋଟି ମାମଲା ମଧ୍ୟରୁ ୫୨ଟି ମାମଲା ଫଇସଲା କରାଯାଇ ମୋଟ୍ ୪୩ଲକ୍ଷ ୦୨ହଜାର ୨୫୩ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ପ୍ରାଧିକରଣ ସଚିବ ଶିବାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଫାମିଲି କୋର୍ଟ ଜଜ୍ ବିରଞ୍ଚି ନାରାୟଣ ମହାନ୍ତି, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ, ଏସଡିଜେଏମ ସୁଭାଷିନୀ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ଜଜ ଓ ମାଜିଷ୍ଟ୍ରେଟ, ଆଇନଜିବୀ, ବିଭିନ୍ନ ବୀମା କମ୍ପାନୀ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କୋର୍ଟର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଜିଲ୍ଲା କୋର୍ଟର ରେଜିଷ୍ଟ୍ରାର ଆଶିଷ କୁମାର ପରିଛା ଉକ୍ତ ଅଦାଲତକୁ ପରିଚାଳନା କରିଥିଲେ ।