Odisha news

ଲକ୍ଡ଼ାଉନ କଟକଣା ବଦଳାଇଦେଲା ଶ୍ରୀଜିଉଙ୍କ ରଥଯାତ୍ରାର ପରମ୍ପରା : ଶ୍ରୀମନ୍ଦିର ପରିସରକୁ ଗଲା ଧଉରା କାଠ, ଆଜି ଶ୍ରୀ ମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଓ ରଥ ଅନୁକୂଳ ନୀତି

0

ପୁରୀ,୨୫ା୪(suvendra pattanaik): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜିଉଙ୍କ ରଥଯାତ୍ରାର ଆଦ୍ୟପର୍ବ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ହେବ । ପ୍ରତିବର୍ଷ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ରଥ ଅନୁକୂଳ ବିଧି ସମ୍ପନ୍ନ ହୋଇ ଆସୁଥିଲେ ବେଢ଼ା ଭିତରେ ଏହି ପାରମ୍ପରିକ ନୀତି ସମ୍ପନ୍ନ ହେବ । ମନ୍ଦିର ବେଢ଼ାରେ ହିଁ ଦେଉଳ ପୁରୋହିତ ପାରମ୍ପରିକ ବିଧିବିଧାନ ଅନୁଯାୟୀ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିବେ । ମନ୍ଦିର ବେଢ଼ାରେ ଥିବା ଚାହାଁଣି ମଣ୍ଡପ ନିକଟରେ ଥିବା ଐଶାନ୍ୟକୋଣରେ ସମ୍ପନ୍ନ ହେବ ଏହି ନୀତି । ଏଥିପାଇଁ ତିନି ଖଣ୍ଡ ଧଉରାକାଠ ଆଜି ରଥଭୋଇମାନେ ମନ୍ଦିର ବେଢ଼ାକୁ ନେଇଛନ୍ତି । ଆଜ୍ଞାମାଳ ବିଜେ ହେବା ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ରଥ ଅନୁକୂଳ ବିଧି ହେବ । ଲକଡ଼ାଉନ କଟକଣାଯୋଗୁ ଚଳିତ ବର୍ଷ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରଣୀ ଠାରେ ପ୍ରସ୍ତୁତ ହେଉଥିବା ମାଣ୍ଡୁଅ ମଧ୍ୟ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ ହେବ । ମହାପ୍ରଭୁଙ୍କ ଜଳ କ୍ରୀଡ଼ା ପାଇଁ ପୂର୍ବରୁ ଭିତର ଚନ୍ଦନ ଲାଗି ଶ୍ରୀ ମନ୍ଦିର ପରିସରରେ ଏକ କୁଣ୍ଡ ରହିଛି । ଏଥର ବାହାର ଚନ୍ଦନ ନୀତି ମଧ୍ୟ ଶ୍ରୀମନ୍ଦିର ପରିସରରେ ହେବାକୁ ଥିବାରୁ ସେଥିଲାଗି ଅନ୍ୟ ଦୁଇଟି କୁଣ୍ଡ ରଖାଯିବ । ଗତ ରାତିରେ ଗୋବର୍ଦ୍ଧନ ପୀଠରେ ଜଗତ୍ଗୁରୁଙ୍କ ସହ ଗଜପତି, ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନଙ୍କ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀତି ସହିତ ସମ୍ପୃକ୍ତ ସେବାୟତମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାପାଳ ଶ୍ରୀ ସିଂ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ସଂସ୍କୃତି ଓ ଧାର୍ମିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଶୃଙ୍ଖଳିତ ଭାବେ ନୀତି ସମାପନ କରିବାକୁ ସେବାୟତମାନେ ସହମତ ହୋଇଥିଲେ । ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ କୁଣ୍ଡ କରାଯାଇ ମହାପ୍ରଭୁଙ୍କ ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ଓ ସମ୍ପନ୍ନ ହେବ ଜଳକ୍ରୀଡା ନୀତି । ଚାହାଣି ମଣ୍ଡପ ନିକଟରେ ଅକ୍ଷୟ ତୃତୀୟା ନୀତି କରାଯିବ ଓ ସମସ୍ତ ସେବାୟତ ଏଥିରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ବୈଠକ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପ୍ରଥମେ ଜନସ୍ୱାସ୍ଥ୍ୟ ଓ ପରେ ନୀତି ପାଳନ ବୋଲି ଜଗତ୍ଗୁରୁ ପରାମର୍ଶ ଦେଇଛନ୍ତି । ତଦନୁଯାୟୀ ମନ୍ଦିର ବେଢ଼ା ଭିତରେ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ । ମେ ୩ରେ ଲକଡାଉନ ଉଠିଲେ ଆଲୋଚନା କରାଯାଇ ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରାଯିବ । ସର୍ବନିମ୍ନ ସଂଖ୍ୟକ ସେବାୟତ ଉପସ୍ଥିତ ରହି ନୀତିକାନ୍ତି ସମ୍ପନ୍ନ କରିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ପଞ୍ଚ ମହାଦେବ କମିଟି ଏଥିରେ ସହମତି ପ୍ରକାଶ କରିଛି । ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପଞ୍ଚ ମହାଦେବ କମିଟିର ମାତ୍ର ୧୦ଜଣ ସେବାୟତ ଉପସ୍ଥିତ ରହିବେ । ମନ୍ଦିର ବେଢ଼ାର କେଉଁ ସ୍ଥାନରେ ସ୍ୱତନ୍ତ୍ର କୁଣ୍ଡ ତିଆରି କରାଯିବ ସେ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାପଚୁପ କରାଯାଇଛି । ରଥ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ ଓ ବନଜାଗ ନୀତି ଆଦି ମଧ୍ୟ ମନ୍ଦିର ଭିତରେ କରାଯିବା ନେଇ ଆଲୋଚନା କରଯାଇଛି ।

Leave A Reply