Odisha news

କୋଟିଆ ଆନ୍ଧ୍ରର ନୁହେଁ, କୋଟିଆ ଆମର

ଦୀର୍ଘ ୩୦\୪୦ କି.ମି.ବ୍ୟାସାର୍ଦ୍ଧ ବିଶିଷ୍ଟ କୋଟିଆ ଅଂଚଳର ସୀମାକୁ ନେଇ ଆନ୍ଧ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି ।ଆନ୍ଧ୍ରପ୍ରଦେଶର ବିସ୍ତାରବାଦୀ ନୀତି ତଥା କୋଟିଆ  ଅଧିବାସୀଙ୍କ ସୁବିଧାବାଦୀ ମାନସିକତା ଫଳରେ ଏହି ଅଂଚଳ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏକ ପାର୍ଶ୍ବରେ ଓଡିଶା ସରକାରଙ୍କର ସୀମାନ୍ତ ଅଂଚଳ ପ୍ରତି ବୈମାତୃକ ମନୋଭାବ ସହିତ ପ୍ରଶାସନିକ ଅବହେଳା ଓ ଅନ୍ୟପକ୍ଷରେ  ଆନ୍ଧ୍ରପ୍ରଦେଶ ସରକାରଙ୍କ କୋଟିଆ ଅଂଚଳର ଲୋକଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ କରିବାର ଚେଷ୍ଟା କାରଣରୁ ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ରୂପ ଧାରଣ କରିବା ସ୍ବାଭାବିକ ।
ସମସ୍ୟାର ସମାଧାନ ତଥା ବର୍ତ୍ତମାନର ସ୍ଥିତି ନିରୀକ୍ଷଣ ନିମନ୍ତେ ରାଜନେତା  ସମେତ ପ୍ରଶାସନିକ ଅଧିକାରୀମାନଙ୍କ ସୁଅ ଛୁଟୁଛି । ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗିଛି । ତରବରିଆ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସଂପୃକ୍ତ ଅଂଚଳର ସାମଗ୍ରିକ ବିକାଶ ନିମନ୍ତେ ୧୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ଏହାର ପ୍ରମାଣ ଅଟେ ।
 ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଂଚାୟତ ୨୮ ଟି ଗ୍ରାମକୁ ନେଇ ଗଠିତ । ସେଥିରୁ ୨୧ ଟି ଗ୍ରାମ ଆନ୍ଧ୍ର ଓ ଓଡିଶାର ସୀମା କୁ ଲାଗିରହିଛି । ଏହି ୨୧ ଟି ଗ୍ରାମ ଉପରେ ଆନ୍ଧ୍ର ସରକାରଙ୍କର ଲୋଲୁପ ଦୃଷ୍ଟି । ଏହି ସମସ୍ୟା ଏବେକାର ନୁହେଁ । ଦୀର୍ଘ ୫ ଦଶନ୍ଧି ଧରି ଏହି ସୀମା ବିବାଦ ଚାଲିରହିଛି ଓ ଆନ୍ଧ୍ର ସରକାର କଳେ ବଳେ କୌଶଳେ  ସଂପୃକ୍ତ ଅଂଚଳରେ ନିଜର ଆଧିପତ୍ଯ ଜାହିର କରିବା ପାଇଁ ପ୍ରୟାସ ଜାରି ରଖିବା ଏକ ନିନ୍ଦନୀୟ ଘଟଣା ନିଶ୍ଚୟ ।
୧୯୬୮ ରୁ ଏ ବିବାଦ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରଧିନ ଥିବାବେଳେ ପ୍ରକୃତ ସମସ୍ୟାର ସମାଧାନ ନିମନ୍ତେ ଉଭୟ ରାଜ୍ୟ ସରକାରଙ୍କ କୋଉଠି ନା କୋଉଠି ଆନ୍ତରିକତାର ଅଭାବ ପରିଲକ୍ଷିତ ଦେଖିବାକୁ ମିଳୁଛି । ସମସ୍ୟାର ସମାଧାନ ପରିବର୍ତ୍ତେ ସୀମାନ୍ତରେ ବିକାଶ ନାଆଁ ରେ ଡିଣ୍ଡିମ ପିଟିବା କିତେଦୂର ଯୁକ୍ତିଯୁକ୍ତ ତାହା ଅବଶ୍ୟ ବିଚାରଯୋଗ୍ୟ । ସୁନା,ରୂପା,ମାଙ୍ଗାନିଜ୍,ପ୍ଲାଟିନମ୍,ଗ୍ରାଫାଇଟ୍, ବକସାଇଟ ପ୍ରଭୃତି ପ୍ରାକୃତିକ ସମ୍ପଦରେ  ଭରପୁର ପାହାଡ ପର୍ବତ ଘେରା କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସରକାର  ନିଜର ଆଧିପତ୍ୟ ବିସ୍ତାର କରି ସଂପୃକ୍ତ ଅଂଚଳକୁ ନିଜର କରି ରଖିବାକୁ ସତେ ଯେପରି କସରତ ଆରମ୍ଭ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
କୋଟିଆର ଭୌଗୋଳିକସ୍ଥିତି ତଥା ଐତିହାସିକ ତଥ୍ୟ ଯଦି ବିଚାରକୁ ନିଆଯାଏ ତେବେ ଏହି ଅଂଚଳଟି ସଂପୂର୍ଣ୍ଣ ଭାବେ ଓଡିଶାର ବୋଲି କୁହାଯାଇପାରେ । ବର୍ତ୍ତମାନର ରାଜ୍ୟ ସରକାର କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେଉଥିବା ବେଳେ ପ୍ରଶାସନିକ ଅବହେଳା ଅବା ପ୍ରକୃତ ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ହୁଏତ କୋଟିଆ ଅଂଚଳର ଅଧିବାସୀମାନଙ୍କୁ ଆନ୍ଧ୍ରାଭିମୁଖୀ କରିବାରେ ଅନେକାଂଶରେ ଦାୟୀ ବୋଲି କୁହାଯାଇ ପାରେ ।  ରାସ୍ତା ଘାଟ,ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସରକାର ସେଠାକାର ବିକାଶ ପ୍ରକ୍ରିୟାରେ ହାତମିଳାଇଥିଲେ ମଧ୍ୟ କୋଟିଆର ଅଧିବାସୀ କାହିଁକି ଯେ ଆନ୍ଧ୍ର ମୁହାଁ ହେଉଛନ୍ତି ତାହାର କାରଣ ପ୍ରଥମେ ଖୋଜିବାକୁ ପଡିବ।
ପୂର୍ବରୁ କୋଟିଆ ଗୋଟିଏ ପଂଚାୟତରେ ଥିବାବେଳେ  ଆନ୍ଧ୍ର ସରକାର ନିଜର ଫାଇଦା ଉଦ୍ଦେଶ୍ୟରେ ଲୋକସଂଖ୍ଯାକୁ ଗୁରୁତ୍ୱ ନଦେଇ ଏତେ ଛୋଟ ପଂଚାୟାତକୁ ବର୍ତ୍ତମାନ  ୪ ଟି ପଂଚାୟତ ଯଥା- ତଳଗଂଜେଇପଦର,ଫଗୁଣସିନେରୀ,ଫାଟୁସିନେରୀ ଓ ରଣାସିଂ  ଆଦି ରେ ବିଭକ୍ତ କରି ନିଜର ସ୍ଥିତି ଜାହିର କରିଛି ।
ଏହାର ଅଧିବାସୀମାନେ ମଧ୍ୟ ଉଭୟ ରାଜ୍ୟ ଠାରୁ ସୁବିଧା ପାଉଛନ୍ତି  । ଉଭୟ ସରକାରଙ୍କ ଠାରୁ ରାସନ୍ କାର୍ଡ୍, ଆଧାର କାର୍ଡ, ବାର୍ଦ୍ଧକ୍ୟ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉଭୟ ରାଜ୍ୟର ସୁବିଧା ହାତେଇବାରେ ବ୍ୟସ୍ତ । ଉଦାହରଣ ସ୍ବରୂପ , ଓଡିଶାର ୫ କିଲୋ ଚାଉଳ ପରିବର୍ତ୍ତେ ଆନ୍ଧ୍ରର ୩୫ କିଲୋ ତଥା ଅନ୍ୟାନ ଅନେକ ସୁବିଧା ଉପଭୋଗ କରୁଛନ୍ତି  ।
ଆନ୍ଧ୍ର ସରକାର ସଂପୃକ୍ତ ଅଂଚଳରେ ବ୍ୟକ୍ତିଗତ ବିକାଶକୁ ଗୁରୁତ୍ୱ ଦେବା ଫଳରେ ସେଠାରେ ସାମୂହିକ ବିକାଶ ବାଧାପ୍ରାପ୍ତ ହେଉଛି । ପୁନଶ୍ଚ ସେଠାକାର ଲୋକମାନଙ୍କର ସୁବିଧାବାଦୀ ଚିନ୍ତାଧାରା କାରଣରୁ ସାମୂହିକ ବିକାଶ ବାଧାପ୍ରାପ୍ତ ହେବାର ଲକ୍ଷ୍ୟ କରାଯାଏ। କେଉଁ ସରକାର କେଉଁ ସୁବିଧା ଯୋଗାଉଛି ସେ ସମ୍ପର୍କରେ ଜାଣିବାର ସେମାନଙ୍କର କୌଣସି ଆଗ୍ରହ ନାହିଁ । ଯେଉଁଥିପାଇଁ ଆନ୍ଧ୍ର ସରକାର ସେଠାକାର ଲୋକମାନଙ୍କୁ ମୋହରା ବନେଇ ନିଜର ବିସ୍ତାରବାଦୀ ନୀତିକୁ ସଫଳ କରିବାରେ ସମର୍ଥ ହେଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
କୋଟିଆ ଅଧିବାସୀଙ୍କ କହିବା କଥା ହେଲା ସେମାନଙ୍କର ଜୀବନ ଜୀବିକା ପାଇଁ ବ୍ୟକ୍ତିଗତ ସୁବିଧା ହିଁ ମୂଳ । ସେଠାକାର ଲୋକମାନଙ୍କର ଏହିଭଳି ସୁବିଧାବାଦୀ ମନ୍ତବ୍ଯ ଆନ୍ଧ୍ର ସରକାରଙ୍କୁ ସଂପୃକ୍ତ ଅଂଚଳକୁ ନିଜ ହାତକୁ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଛି । ବହୁତ ଦିନ ଆଗରୁ ସେମାନେ ଉଭୟ ରାଜ୍ୟ କରୁଥିବା ନିର୍ବାଚନରେ ଭାଗ ନେଉଛନ୍ତି ଓ ଭୋଟ୍ ମଧ୍ୟ ଦେଉଛନ୍ତି । ଓଡିଶାର ସାଧାରଣ ଓ ପଂଚାୟାତ ନିର୍ବାଚନ ସମୟରେ ଓଡିଶାର ଅଧିବାସୀ ରୂପେ ଭାଗ ନେଉଥିବା ବେଳେ ଆନ୍ଧ୍ରପ୍ରଦେଶର ସାଧାରଣ ଓ ପଂଚାୟାତ ନିର୍ବାଚନ ସମୟରେ ଆନ୍ଧ୍ରର ଅଧିବାସୀ ରୂପେ ନିର୍ବାଚନରେ ଭାଗନିଅନ୍ତି । ଅବଶ୍ୟ ଏଠାର ପୂର୍ବରୁ ନିର୍ବାଚନ ଅପ୍ରତିଦ୍ଵନ୍ଦୀ ହେଉଥିବାରୁ ଏ ବିଷୟରେ କେହି ଜାଣିପାରୁ ନଥିଲେ । ମାତ୍ର ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ହେଉଥିବାରୁ କୋଟିଆର ବାସ୍ତବ ଚିତ୍ର ଦାଣ୍ଡରେ ପଡି ହାଟରେ ଗଡୁଛି ।
ଆନ୍ଧ୍ର ସରକାର ଏତେ ଛୋଟ ଅଂଚଳ କୋଟିଆକୁ ୪ ଟି ପଂଚାୟାତ ରେ ବିଭକ୍ତ କରି ବିକାଶର ଧାରା ହାତକୁ ନେଇଥିବା ବେଳେ ଓଡିଶା ସରକାର ନୀତିନିୟମ ଆଳରେ ସେଇ ଗୋଟିଏ ପଂଚାୟାତ ରେ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛନ୍ତି । ସେ ଯାହା ହେଉନା କାହିଁକି ବର୍ତ୍ତମାନ ପ୍ରଶ୍ନ ଉଠେ କୋଟିଆ ପ୍ରକୃତରେ କାହାର ? ଯଦି ଓଡିଶାର ତେବେ ସରକାର କାହିଁକି ଏ ଦିଗରେ ଯଥେଷ୍ଟ ପୂର୍ବରୁ ଯତ୍ନବାନ ହେଲେନି ? ଦୁଇ ରାଜ୍ୟର ସାଧାରଣ ଓ ପଂଚାୟାତ ନିର୍ବାଚନରେ ଭାଗ ନେବା ସେଠାକାର ଅଧିବାସୀଙ୍କ ପାଇଁ ଆଦୌ ନୁଆ ନୁହେଁ। ଏ ବିଷୟରେ ସରକାର ଆଗରୁ ଜାଣିପାରିଲେନି  କିପରି ? ପ୍ରକୃତରେ ଯଦି ସରକାରଙ୍କର ଅଜ୍ଞତା ତେବେ ଏ ଦୋଷ କାହାର ?
ସେଠାକାର ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ଅବହେଳା କୁହାଯାଇପାରେ । ନେଡି ଗୁଡ କହୁଣିକୁ ବୋହିଗଲା ପରେ ନିଦ୍ରା ଭଙ୍ଗ ହେବା ବାସ୍ତବିକ ଏକ ଗଣତାନ୍ତ୍ରିକ  ତଥା ଉତ୍ତରଦାୟୀ ସରକାରଙ୍କ ପାଇଁ ହାସ୍ୟାସ୍ପଦ ଘଟଣା ନୁହେଁ କି ? ନିକଟରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବି.ଜେ.ପି ର ଏକ ଟିମ୍ ରାଜ୍ୟ ସଭାପତିଙ୍କ ନେତୃତ୍ଵରେ କୋଟିଆକୁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟର ଜିଲ୍ଲାପାଳ ଓ ଏସ୍ .ପି ପ୍ରଭୃତିଙ୍କୁ ଦେଖି ବିସ୍ମିତ ହୋଇଛନ୍ତି । ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରି ଆସିବା ସହିତ କୋଟିଆର ସାମ୍ପ୍ରତିକ ପରିସ୍ଥିତି ପାଇଁ  ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । କେବଳ ଲୋକମାନଙ୍କୁ କିଛି ଶସ୍ତା ସୁବିଧା ଯୋଗାଇଦେଲେ ଚଳିବ ନାହିଁ, ପ୍ରକୃତ ବିକାଶ ପାଇଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦରକାର ବୋଲି ବିଭିନ୍ନ ମହଲରେ ଯୁକ୍ତି ଉପସ୍ଥାପନ କରାଯାଉଛି ।
 ବର୍ତ୍ତମାନର ଘଡିସଂଧି ମୁହୂର୍ତ୍ତରେ ସମସ୍ୟାଟିକୁ ଚତୁରତା ତଥା ବୁଦ୍ଧିମତ୍ତାର ସହିତ ସମାଧାନ କରାଯିବା ଆବଶ୍ୟକ । ରାଜନୈତିକ  ଫାଇଦା ପାଇବା ଆଶାରେ ବିବାଦଟିକୁ ଚାଲୁରଖିଲେ କାହାର ଏଥିରେ ଲାଭ ହେବନି ।ବର୍ତ୍ତମାନ ପରସ୍ପର ଉପରେ କାଦୁଅ ଫିଙ୍ଗିବା ବା ଆରୋପ ପ୍ରତ୍ୟାରୋପ କରିବାର ସମୟ ନୁହେଁ ।ବାସ୍ତବତାକୁ ଅନୁଧ୍ୟାନ କରିବା ପୂର୍ବକ ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ଅଛି । ଗୋଟିଏ ରାଜ୍ୟର ସୀମା ସୁରକ୍ଷା  ସେହି ରାଜ୍ୟର ସରକାର ତଥା ସଂପୃକ୍ତ  ଅଧିବାସୀଙ୍କ ପାଇଁ ସ୍ବାଭିମାନ ତଥା ଅସ୍ମିତାର ପ୍ରଶ୍ନ। ଓଡିଶା ମାଟିରେ ଆନ୍ଧ୍ର ଯେଉଁଭଳି ଭାବେ ପଂଚାୟାତ ନିର୍ବାଚନ କଲା ତାହା ବାସ୍ତବିକ ଓଡିଶା ପାଇଁ ଲଜ୍ଜା ତଥା କଳଙ୍କିତ ଅଧ୍ୟାୟ ବୋଲି କୁହାଯାଇପାରେ ।
ଏପର୍ଯ୍ୟନ୍ତ ସଢେଇକଳା ଓ ଖରସୁଆଁ ଭଳି ଦୁଇଟି ଅଂଚଳକୁ ହରାଇବାର ଦୁଃଖଦ ଅନୁଭୂତି ଆମ ସମସ୍ତ ସ୍ବାଭିମାନୀ ଓଡିଆଙ୍କ ମାନସପଟରେ ତାଜା ହୋଇରହିଥିବାବେଳେ କୋଟିଆର ସୀମା ସୁରକ୍ଷା  ପ୍ରସଙ୍ଗ ଆଲୋଚନା ଗୁରୁତ୍ୱ ବହନ କରିବା ସ୍ବାଭାବିକ ।  ଆଶା କରାଯାଏ ନିଜ ମାଟିର ସୁରକ୍ଷା ପାଇଁ ଆମ ରାଜ୍ୟ ସରକାର  ଆବଶ୍ୟକ କଠୋର ପଦକ୍ଷେପ ଗ୍ରହଣ କରିବା ସହିତ ନିଜ ରାଜ୍ୟର ଗୌରବ ତଥା ଅଖଣ୍ଡତା ରକ୍ଷାକରିବାରେ ସମର୍ଥ ହେବେ । ତେବେ ଗୋଟିଏ ସତ୍ୟ ହେଉଛି ଯେ କୋଟିଆ କେବେ ବି ଆନ୍ଧ୍ର ର ନୁହେଁ, ଏହା ଆମର ଥିଲା,ଅଛି ଓ ରହିବ ମଧ୍ୟ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Comments are closed.