ଯାଜ୍ଞସେନୀ ସାହୁ : ହଁ ମୁଁ ନଥିଲି କୌଣସି ସିନେତାରକା ନା ସମାଜର ପ୍ରତିପତ୍ତିଶାଳୀ ମଣିଷ।କୌଣସି ଖ୍ୟାତିସଂପନ୍ନ ପରିବାରରୁ ବି ଆସିନଥିଲି ମୁଁ । ଗର୍ବର କଥା ଏଇଆ ଯେ , ଉଦ୍ଦେଶ୍ୟ ଯାହା ବି ହେଉନା କାହିଁକି କିଛି ଦିନ ପାଇଁ ମୁଁ ଆକର୍ଷଣର କେନ୍ଦ୍ର ପାଲଟିଯାଇଥିଲି।ମୋର ଭାଗ୍ୟ ଏତେ କାହିଁ ଯେ କ୍ୟାମେରା, ଲାଇଟ୍,ମାଇକ୍ ର ସମ୍ମୁଖୀନ ହୋଇଥାନ୍ତି।ମୁଁ କଣ କେଉଁ ପରଦାର ନାୟିକା ନା ଗାୟିକା।ଭାରି ଅଜବ ରୂପେ ଗଢିଥିଲା ବିଧାତା।ନାୟିକାର ଅଭିନୟ ପାଇଁ ପାରିଶ୍ରମିକ ମିଳେ, କିନ୍ତୁ ମୋତେ !ମୋତେ ତ ସେମାନେ ପାରିଶ୍ରମିକ ଯାଚୁଥିଲେ ଅଭିନୟ ବନ୍ଦ କରିବା ପାଇଁ ।ବିଡାଏ ବିଡାଏ ଟଙ୍କା ଆସି ଅଜାଡି ହୋଇପଡୁଥିଲା ସେ ଅଭିନୟ ରୋକିବାକୁ।
ଫରକ୍ ଏତିକି ଯେ ସେ କୌଣସି ସଂଳାପକାରର ମନଗଢା କାହାଣୀ ନୁହେଁ , ସେ ଥିଲା ମୋ ନିଜସ୍ୱ କାହାଣୀ ।ଯାହା ଲୋକଙ୍କ ମାନସପଟରୁ ଆସ୍ତେ ଆସ୍ତେ ଲିଭିଗଲା।ଅନେକ ରାଜନୈତିକ ସାମାଜିକ ପ୍ରସଙ୍ଗ ମଧ୍ୟରେ କିଛି ଦିନ ଛନ୍ଦି ହୋଇ ଉଭେଇଗଲି। ଆଜି ବି ମୁଁ ଗଭୀରତାକୁ ଯାଇ ପ୍ରଶ୍ନ କରେ, କଣ ଭୁଲ ଥିଲା ମୋର ?କର୍ମ ଦ୍ଵାରା ଯଦି ଫଳ ନିର୍ଦ୍ଧାରିତ ହୁଏ , ଏ କେଉଁ କର୍ମର ଫଳ ଥିଲା ? ଯେଉଁଥିପାଇଁ ଖୋଲା ଆକାଶ ତଳେ ଧରଣୀ ମାଆ ଉପରେ ଲୋଟିବାକୁ ପଡିଲା ବସ୍ତ୍ରହୀନ ହୋଇ। କାହିଁକି ଏ ପାଣି,ପବନ ବଧିର ହୋଇଗଲେ ମୋ ଚିତ୍କାର ଶୁଣି ? କାହିଁ ଥିଲା ସେ ଦୁର୍ଗା କାଳୀ ପରି ଦେବୀଙ୍କ ଅଲୌକିକତା ଯିଏ ନାରୀ ରୂପେ ଯୁଗେ ଯୁଗେ ଧରି ପୂଜିତା ? ନାରୀ ସର୍ବସଂହା ବୋଲି କଣ ସେ ସହିପାରେ କାହା ଆଖିର ଲୋଲୁପ ଦୃଷ୍ଟି, ନଖର ରାମ୍ପୁଡା ଚିହ୍ନ,ଜୋର୍ ଦିଆ ହାତ ଗୋଡର ବନ୍ଧନ ? କେବଳ ମୁଁ କାହିଁ ସାଜିଗଲି ପୀଡିତା ? ପୁଣି ଉତ୍ତର ଖୋଜେ। ବୋଧହୁଏ ଭୁଲ ଏଇଆ ଯେ ମା ଗର୍ଭରୁ ମୋ ଭ୍ରୁଣଟିକୁ ମାରିଦିଆଯାଇନଥିଲା ।ମୋ ଶିକ୍ଷା ପ୍ରାପ୍ତିର ସ୍ୱାଧୀନତାକୁ କବଜା କରିଦିଆଯାଇନଥିଲା।ସ୍ୱାଧୀନମନା ହେବା ବୋଧେ ମୋ ଭୁଲ।
ବାସ କେଇ ଖଣ୍ଡ କାଗଜପତ୍ର ଓ ପାସ ଫଟୋ ପାଇଁ ତ ବାହାରି ଯାଇଥିଲି ଘରୁ।ମୁଁ କିବା ଜାଣେ ଏଇ ରକ୍ଷକ ବେଶ ପଛର ମଣିଷଟା ଏତେ ବିଷାକ୍ତ।କେତେ ବା ଥିଲା ମୋ ବୟସ।କେତେ ଜାଣିଥିଲି ଏ ଦେଶଦୁନିଆକୁ। ଆହାଃ ! ମୋର ଏଡ଼େ ବହପ। ଅପନ୍ତରା ଆଦିବାସୀ ଗାଁର ମଳିମୁଣ୍ଡିଆ ଦଳିତ ଝିଅ ପୁଣି ପାଠ ପଢିବ ? ବଡ ମଣିଷଟିଏ ହେବ ? ସହ୍ୟ କରି ପାରିବ ଏ ଉଚ୍ଚଜାତି ଏ ପୁରୁଷତାନ୍ତ୍ରିକ ସମାଜ ? ଏ ପୁଞ୍ଜିବାଦୀ ସରକାର।ମୁଁ ଜାଣି ନଥିଲି ମୁଁ ସମାଜ ଦୃଷ୍ଟିରେ କଣ। କିନ୍ତୁ ମନ୍ତ୍ରୀ ଏମ୍.ଏଲ.ଏ ଙ୍କ ବାରମ୍ବାର ମୋ ପାଖକୁ ଛୁଟି ଆସିବା ଓ ପ୍ରତିଦିନ ଖବରକାଗଜର ଗୋଟିଏ କୋଣରେ ଫିଙ୍ଗା ହେବା ପରେ ମୁଁ ସମାଜ ପାଇଁ ନିରର୍ଥକ ବୋଲି ମୁଁ ଭାବିନଥିଲି। ମୋତେ ନେଇ ଚାଲିଥିବା ଅନୁକୂଳ ତର୍କବିତର୍କ ଭିତରେ ମୁଁ ଭୁଲିଯାଉଥିଲି ମୋ ସାହିପଡିଶାଙ୍କ ଟାହିଟାପରା। ଯୁବକଯୁବତୀଙ୍କ କ୍ୟାଣ୍ଡେଲ ର୍ୟାଲି , ନାରିନେତ୍ରୀଙ୍କ ଆଶ୍ୱାସନାରେ ଉଦ୍ଜୀବିତ ହେଉଥିଲା ନୂଆ ଆଶା।ମୁଁ ଅଗୋଚର ଥିଲି ଏ ଅଢେଇ ଦିନିଆ ପ୍ରହସନର ।ଶେଷରେ ରାଜଧାନୀରୁ ଆଣି କୋରାପୁଟରେ ଛାଡି ଦେବାଟା ମକଦ୍ଦମା ବନ୍ଦର ଆରମ୍ଭ ବୋଲି କ୍ରମେ ଜାଣିଲି।
ହଁ ଠିକ୍ ଧରିଲେ ମୁଁ ସେଇ ହଜିଯାଇଥିବା ସ୍ୱର କୁନ୍ଦୁଲି ପୀଡିତାର । ଏବେ କିଞ୍ଚିତ୍ ମାତ୍ରାରେ ମନେ ପକେଇପାରୁଥିବେ ଓ ତାଚ୍ଛଲ୍ୟଭରା ଠାଣିରେ ଭାବୁଥିବେ ଏ ପୁଣି ଏତେ ଦିନ ପରେ କଣ ? କିନ୍ତୁ ନା ମୁଁ ହଜିଛି ନା ହଜିଛି ମୋ ଅସ୍ତିତ୍ୱ। ମୁଁ ପରା ସମସ୍ତ ପୀଡିତା , ଧର୍ଷିତା, କବଳିତା, ନିଷ୍ପେସିତା ଭିତରେ ଉଦୀୟମାନ। ମୁଁ ସେଇ ଇତିଶ୍ରୀ, ବେବିନା, ନିର୍ଭୟା, ପ୍ରିୟଙ୍କା, ଆସିଫା,ମନୀଷା, କବିତା, ବନିତା, ଲତା ଏମିତି କେତେ କଣ। ଯିଏ ରାତ୍ରି ଅନ୍ଧକାରରେ ଶୋଇଯିବା ପରେ ପୁଣି ଫେରେ ସକାଳର ଚା କପେ ସହ ଖବରକାଗଜ ପୃଷ୍ଠାରେ। ସମାଜକୁ କ୍ଷଣିଏ ଧିକ୍କାରୁଥିବା ଆପଣଙ୍କ ମାନସପଟରେ। ଘର ବାହାରେ ଖେଳୁଥିବା କଁଅଳ କଳିର ପିତାମାତାଙ୍କ ଚେତନାଠୁ ନେଇ ଛାତିରେ ଓଢଣୀ ଜାକି ଚାଲୁଥିବା ଯୁବତୀର ଅସୁରକ୍ଷିତ ଭାବନାରେ ସବୁଠି ମୁଁ ଚେଇଁ ଉଠେ। ହେଲେ ଶୋଇଇପଡୁଛି ଏ ସମାଜ ଏ ସରକାର। ଧୀରେ ଧୀରେ ସେ ପରାଧୀନତା ମୁଖକୁ ଟାଣି ହେଇ ଯାଉଛି।
ନା ଏକ ବର୍ଷର ଶିଶୁ ନା ଶହେ ବର୍ଷର ବୃଦ୍ଧା ଏଠି ସମଗ୍ର ନାରୀଜାତି ଆଜି ଅସୁରକ୍ଷିତ ।ପଙ୍ଗୁ ସାଜିଛି ସୁରକ୍ଷା ବ୍ୟବସ୍ଥା।ଶାସକ ସହ ପୋଲିସ୍ ,ଡାକ୍ତର ସଭିଙ୍କ ମୁହଁ ବନ୍ଦ।ଗଣମାଧ୍ୟମର ଡୋରୀ ଆଉ କାହା ହାତରେ। ସୁରକ୍ଷା ଓ ନ୍ୟାୟ ଦବ କିଏ ? ଭାରୀ ହସ ଲାଗେ ଅଦାଲତର କଳାପଟି ପିନ୍ଧା ନ୍ୟାୟ ଦେବୀଙ୍କ କଥା ଭାବିଲେ।ବାସ୍ତବରେ ତାହା କେତେ ନ୍ୟାୟିକ ଓ କାହାର ପ୍ରତୀକ କେଜାଣି ?ତାଛଡା ବଳାତ୍କାର ବି ଆଉ ଏବେ ଅସାଧାରଣ ଓ ଚିନ୍ତାଜନକ ଅପରାଧଟିଏ ହୋଇରହିନାହିଁ।
ଯୌନାଙ୍ଗର ପୀଡା ସହ ହାତ, ଗୋଡ, ବେକକଟା , ହାଡଭଙ୍ଗା ଓ ଅନ୍ୟାନ୍ୟ କ୍ଷତ ସମସ୍ତଙ୍କୁ ନିସ୍ତବ୍ଧ କରୁନାହିଁ ।କରୋନା ପରି ଏ ଧର୍ଷଣ ସମସ୍ୟା ଆଉ ଏକ ମହାମାରୀ ବୋଲି ହେୟ ହେଉନାହିଁ ।ରାଜନୀତିଆଙ୍କ ବଳିଷ୍ଠତା ପ୍ରଦର୍ଶନ ଓ ଜାତିବାଦୀଙ୍କ ଗଭୀର ଉଚ୍ଛ୍ୱାସରେ ପ୍ରକୃତ ସମସ୍ୟାର ମୂଲ୍ୟବୋଧ ଅପସରି ଯାଉଛି।ମାନବିକତା ଆଜି ଏତେ ହଜିଯାଉଛି ଯେ ଦୋଷୀକୁ ଦଣ୍ଡ ଦେବାପାଇଁ ଚାଲୁଛି ହଜାରେ କଳ୍ପନା ଜଳ୍ପନା।ସତ୍ତାର ଧମକରେ ପୀଡିତା ପରେ ପରେ ଅସୁରକ୍ଷିତ ହୋଇଉଠୁଛି ତା ପରିବାର ।
ପୀଡିତା ସହ ପୀଡିତାର ପରିବାର ନ୍ୟାୟ ଆଶାରେ ହେଉଛନ୍ତି ସର୍ବସ୍ୱାନ୍ତ। ତା ସହ ଭୟ, ଶଙ୍କାରେ କାଳାତିପାତ କରୁଛନ୍ତି ଦେଶର ପ୍ରତିଟି କୋଣ ଅନୁକୋଣରେ ଥିବା ନାରୀ।ଦାୟୀ କେବଳ ଶାସକ କି ଶାସନ ବ୍ୟବସ୍ଥା ନୁହଁ, ଦାୟୀ ଆମ ସାମାଜିକ ମାନସିକତା ଯାହା ବଳତ୍କାରୀ ସହ ବଳତ୍କାର ଶିକାର ହେଉଥିବା ଝିଅଟିକୁ ସମପରିମାଣରେ ଦୋଷୀ ଠଉରାଏ।ଝିଅର ଚାଲିଚଳନ, ଆଚାରବ୍ୟବହାର ଓ ପରିବାର ସଂସ୍କାରକୁ ବଳତ୍କାର ମାନସିକତାର ପ୍ରମୁଖ କାରଣ ବୋଲି ଅଙ୍ଗୁଳି ନିଦର୍ଶନ କରେ। ନାରୀ ସ୍ୱାଧୀନତା କ’ଣ ସତରେ ନର ଭିତରେ ଏ ରାକ୍ଷସ ପ୍ରବୃତ୍ତି ଜାତ କରେଇବାରେ ପ୍ରେରିତ କରାଏ ନା ନାରୀକୁ କଏଦ୍ କରିବାର ଏ ଏକ ବାହାନା। ଯଦି ଏହାହିଁ ଧେୟ ତେବେ କାହିଁ ଆମେ ଗର୍ବରେ ପାଳନ କରୁଛେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ।ରାମରାଜ୍ୟର ସ୍ବପ୍ନ କେବଳ ଧର୍ମସ୍ଥାପନା ପାଇଁ ନା ସମାନତା ପାଇଁ ବି ଉଦ୍ଦିଷ୍ଟ।
“ବେଟି ବଚାଓ ବେଟି ପଢ଼ାଓ” ଏକ ବିକାଶ ଯୋଜନା ନା ବଳତ୍କାର ପ୍ରବଣତାର ଶିକାର ହେବାରୁ ସୁରକ୍ଷା ଦେବା ପାଇଁ ପରୋକ୍ଷରେ ଏକ ସଂକେତ। ନାରୀଶିକ୍ଷା ପ୍ରସାରର ନାରାବାଜି ଖାଲି ସ୍ଲୋଗାନ ନା ନାରୀଜାତି ପତନକୁ ସୂଚାଇଦେବାର ଅନ୍ୟ ଦିଗ।ଗଣତନ୍ତ୍ର ସମାଜର ହିତରେ ନା କେବଳ ବୃଥା ଅପଚେଷ୍ଟା। ଯଦି ଯୋଜନା ଓ ବ୍ୟବସ୍ଥା ବିପରୀତମୁଖୀ ତେବେ ଆଉ ଏକ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହେବ। ନାରୀ ବି ବିପରିତମୁଖୀ ହୋଇ ଖଣ୍ଡା ହତିଆର ଧରିବା ଆରମ୍ଭ କରିବ ଓ ପୁଣି ଜନ୍ମ ନେବେ ଅସଂଖ୍ୟ ଝାନ୍ସିରାଣୀ ଓ ଫୁଲନ୍ ଦେବୀ।