କୋଣାର୍କ(sangram Keshari Mohapatra) : ମଙ୍ଗଳବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀନିବାସ ପରିସରରେ ଏକ ଗୁରତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ କୋଣାର୍କ ପାଇଁ ପ୍ରସ୍ତାବିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପାରିପାର୍ଶ୍ବିକ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସବୁସ୍ତରରେ ଉଦ୍ୟମ ଅବ୍ୟାହତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରସ୍ତାବିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପ୍ରାକ୍ ସ୍ଥିତି ସମୀକ୍ଷା ରିପୋର୍ଟ ଦେବାପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ କୋଣାର୍କର ପାରିପା୍ର୍ଶ୍ବିକ ବିକାଶ କଳ୍ପେ ପ୍ରସ୍ତୁତ ଯୋଜନାର ପ୍ରଥମ ସୋପାନ କୁହାଯାଉଥିବା ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ରିଙ୍ଗରୋଡ଼ କାର୍ଯ୍ୟ ଜବରଦଖଲ ପାଇଁ ସମ୍ଭବ ହୋଇପାରୁନାହିଁ ।
ଏସଂପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଅବଗତ ହେବାପରେ ଏହି ପ୍ରସ୍ତାବିତ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୁର୍ନବାର ଏହି କାର୍ଯ୍ୟରେ ବିଳମ୍ବତା ସୃଷ୍ଟି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁନର୍ବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଥିଲା ।
ଏହି ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ,ପୁରୀଜିଲ୍ଲା ଭୂ-ବନ୍ଦୋବସ୍ତ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ନିହାରିକା ନାୟକ,ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦ, ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବିକେ ଶତପଥି,କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ.ଶ୍ରୀନିବାସ କୋଣାର୍କ ରାଜସ୍ବ ନିରୀକ୍ଷକ ସତ୍ୟବାଦୀ ଚିନ୍ନରାଙ୍କ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ପ୍ରସ୍ତାବିତ ଏହି ପାରିପାର୍ଶ୍ବକ ବିକାଶକାର୍ଯ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁଥିବା ୬ଲାଇନି ରିଙ୍ଗରୋଡ଼ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବ ବୋଲି ସ୍ଥିତି ସମୀକ୍ଷା ବୈଠକରୁ ଜଣାପଡ଼ିଛି ।
ଜିଲ୍ଲାପାଳଙ୍କ ବୈଠକ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଅପରାହ୍ନ ୫ ଟାରୁ କାକଟପୁର- କୋଣାର୍କ ରାସ୍ତାରୁ ଲାବଣ୍ୟଛକ ପର୍ଯ୍ୟନ୍ତ ଥିବା ରିଙ୍ଗରୋଡ଼ର ମପାଚୁପା କାମ ଆରମ୍ଭ କରାଯାଇଛି। ତାହା ଛଡ଼ା କୋଣାର୍କ ଏନ ଏ ସି ଦ୍ଵାରା ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକ ଜମି ତୁରନ୍ତ ରାଜସ୍ବ ବିଭାଗ ଏନ ଏ ସି କୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।
।