କୋଦଳା (Susanta Kumar Pattnayak) : ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ।ମଂଗଳବାର ସକାଳ ପ୍ରାୟ ୮ ଟା ସମୟରେ ଲଚ୍ଛିପୁର ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ ପୁଅ ବାବୁ ପୋଲାଇ(୧୫) ଗ୍ରାମର ଏକ ପୋଖରୀକୁ ଅନ୍ୟ ଦୁଇଜଣ ପିଲାଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ପଡିଯାଇ ଗଭୀର ଖାଲ ଭିତରକୁ ଚାଲିଯାଇଥିଲେ।
ସେଠାରେ ଉପସ୍ଥିତ ଥିବା ଦୁଇଜଣ ପିଲା ଯାଇ ତାଙ୍କ ଘରେ ଖବର ଦେବାପରେ ତାଙ୍କ ମା ସୁମିତ୍ରା ଏବଂ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ଏ ଏସ୍ ଆଇ ମହେଶ୍ବର ବେହେରା ମେଡିକାଲ୍ ରେ ପହଞ୍ଚି ତଦନ୍ତ ଚଳାଇବା ସହ ଅପମୃତ୍ୟୁ ମାମଲା କେସ ନଂ- ୧୮/୨୦୨୦ ରୁଜୁ କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣାକୁ ନେଇ ପରିବାର ଓ ପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।