କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ତ୍ରିନାଥ ଭୂୟାଁ, ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାରୋହରେ ଅତିଥିମାନେ ବିଜୁବାବୁଙ୍କ କାର୍ଯ୍ୟଦକ୍ଷତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଞ୍ଚାୟତିରାଜର ମୂଳ ଉଦ୍ଦେଶ୍ୟ, ନାରୀ ସଶକ୍ତୀକରଣ, ବିଜୁବାବୁଙ୍କ ଆଦର୍ଶ ଓ ନୀତି ଆଦି ବିଷୟରେ ଆଲୋକପାତ କରିଥିଲେ।ଗଣତନ୍ତ୍ରରେ ଲୋକମାନେ ହିଁ ଶ୍ରେଷ୍ଠ, ସେମାନେ ହିଁ ପ୍ରକୃତ ମାଲିକ।ବିଜୁ ବାବୁ ସବୁବେଳେ ସାଧାରଣ ଲୋକର ହକକୁ ଗୁରୁତ୍ଵ ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ମାର୍ଚ୍ଚ ୫ ତାରିଖକୁ ଲୋକସେବା ଓ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି ବୋଲି ବିଧାୟିକା କହିଥିଲେ। ଅତିଥି ମାନେ ବିଜୁ ବାବୁଙ୍କ ଆଦର୍ଶ ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକର ୪ ପଞ୍ଚାୟତର ସରପଞ୍ଚଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ଫାଶୀ ସରପଞ୍ଚ ନବୀନ ଦଳେଇ, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁ , ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁ ଓ ମର୍ଦମେଖ ସରପଞ୍ଚ ହୃଷୀକେଶ ମେହେଣାକୁଂ ବିଧାୟିକା ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ।