ଖୋର୍ଦ୍ଧା,୨୪ା୯ : ମହାମାରୀ କୋଭିଡ ଯୋଗୁଁ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅଫିସ କାର୍ଯ୍ୟ, ବଜାରରୁ ପନିପରିବା ଓ ବିଭିନ୍ନ ସାମଗ୍ରୀ କ୍ରୟ କରିବା ଆଦି କାର୍ଯ୍ୟ ଏବେ ପ୍ରାୟ ଅନଲାଇନରେ କରାଯାଉଛି । ୱାର୍କ ଫ୍ରମ ହୋମକୁ ଦୃଷ୍ଟିରେ ରଖି ଲୋକମାନେ ଡାଟା ପ୍ୟାକ ପକାଉଛନ୍ତି ହେଲେ ଠିକ ସମୟ ବେଳକୁ ତାହା କାମରେ ଆସୁନଥିବା ଅଭିଯୋଗ ହେଉଛି । ବିଭିନ୍ନ କମ୍ପାନୀର ଡାଟା ଓ ନେଟୱାର୍କ ର ଲୁଚକାଳି ଖେଳ ଏବେ ଛାତ୍ରଛାତ୍ରୀ ଅଭିଭାବକ ଓ କର୍ମଜିବୀଙ୍କ ପାଇଁ କାଳ ସାଜିଛି । କୈାଣସି ସଂସ୍ଥା ନୀରବଛିନ୍ନ ଭାବେ ଘୋଷଣା ମୁତାବକ ବେଗଗାମୀ ଇଂଟରନେଟ ସେବା ପ୍ରଦାନ କରୁନଥିବାରୁ ପାଠପଢାଠାରୁ ଆରମ୍ଭ କରି ଅଫିସ କାମ କରିବା ପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡୁଛି । ତେଣୁ ସରକାର ଟେଲିକମ କଂପାନୀଗୁଡିକ ତାଗିଦ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।
ପ୍ରକାଶ ଯେ, ସଂକ୍ରମଣ ଆଶଙ୍କାରରେ ସରକାର ସମସ୍ତ ସ୍କୁଲ କଲେଜର ଶିକ୍ଷାଦାନ ବନ୍ଦ ରହିଛି । ଅନଲାଇନ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । କରୋନା ବ୍ୟାପିବା ଆଶଙ୍କା କାରଣରୁ ରାଜ୍ୟର ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ଏବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢାଉଛନ୍ତି । ପିଲାଙ୍କ ପାଠପଡା ଲାଗି ବିଭିନ୍ନ ଶିକ୍ଷାଅନୁଷ୍ଠାନ ସୋସିଆଲ ମିଡିଆକୁ ମାଧ୍ୟମ କରିଛନ୍ତି । ଛାତ୍ରଛାତ୍ରୀମାନେ ମୋବାଇଲ, ଲାପଟପ ଓ ଡେସ୍କଟପ ଆଦି ମାଧ୍ୟମରେ ପାଠପଢୁଥିଲେ ବି ଏଥିପାଇଁ ଇଟଂରନେଟର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତେ ଏବେ ଡାଟା ପ୍ୟାକ ପକାଉଛନ୍ତି । ହେଲେ କେତେକ କ୍ଷେତ୍ରରେ ଏହା ଠିକ ସମୟରେ କାମରେ ଆସୁନଥିବା ଅଭିଯୋଗ ହେଉଛି । ଅନ ଲାଇନ ପାଠପଢା ପଢିବା ସମୟରେ ଇଂଟରନେଟର ବେଗ ଧିମା ହେଉଥିବାରୁ ଭିଡିଓ କନଫରେନସିଂରେ ଅସୁବିଧା ଦେଖାଦେଇଛି । ଶଦ୍ଦ ଆସୁଥିଲେ ମଧ୍ୟ ଧିମା ଇଂଟରେନେଟ ଯୋଗୁଁ ଚିତ୍ର ସ୍ପଷ୍ଟ ଆସୁନାହିଁ ଫଳରେ ପିଲାମାନେ ବିରକ୍ତ ହୋଇ ପାଠପଢିବାକୁ ରାଜି ହେଉନାହାନ୍ତି ।ତେବେ ଗା୍ରମାଚଂଳର ସ୍ଥିତି ଆହୁରି ଶୋଚନୀୟ ।
ଗାଁରେ ଯଦିଓ ମୋବାଇଲ ଫୋନରେ କଥାବାର୍ତା କରାଯାଇପାରୁଛି କିନ୍ତୁ ଡାଟାର ବେଗ ଅତ୍ୟନ୍ତ ଧିମା । ପାଠ ପଢିବା ତ ଦୂରର କଥା ଭିଡିଓ କଲିଂ ମଧ୍ୟ ହୋଇପାରୁନାହିଁ । ଗାଁ ଗହଳରେ ପ୍ରାୟ ସମସ୍ତ ଟେଲିକମ କମ୍ପାନୀ ସେବାରେ ଏହି ଅବ୍ୟବସ୍ଥା ଦେଖାଯାଇଛି । ଦୂରଦୂରାନ୍ତରେ ମୋବାଇଲ ଟାୱାର ଯୋଗୁଁ ଏଭଳି ଘଟୁଥିବା କୁହାଯାଉଥିବାବେଳେ ଅଧିକାଂଶ ସ୍ଥାନରେ କିନ୍ତୁ କମ୍ପାନୀଗୁଡିକ ସେମାନଙ୍କ ଯନ୍ତ୍ରପାତିରେ ଉନ୍ନତିବିଧାନ କରୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଜଣାଯାଇଛି ।
ଏପରିକି କେତେକ ଟେଲିକମ କମ୍ପାନୀ ସେମାନଙ୍କ ମୋବାଇଲ ଟାୱାରରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିନଥିବାରୁ ଲାଇନ କଟିଲା ମାତ୍ରେ ଇଂଟରନେଟ ସେବାରେ ପୂର୍ଣ୍ଣଛେଦ ପଡୁଛି । ତେଣୁ ସରକାର ଏଭଳି ସ୍ଥିତିରେ ରାଜ୍ୟରେ ଟେଲିକମ ସେବା ଯୋଗାଉଥିବା ସଂସ୍ଥାଗୁଡିକୁ ଡାକି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଆବଶ୍ୟକ ହୋଇପଡିଛି ବୋଲି ଶିକ୍ଷାବିତ ପ୍ରଫୁଲ୍ଲ ସାମନ୍ତରାୟ, ସତ୍ୟବାଦୀ ବଳିୟାରସିଂହ, ସ୍ତମ୍ବକାର ଉମାଶଙ୍କର ପ୍ରସାଦ, ଐତିହ୍ୟ ଗବେଷକ ତଥା ପ୍ରାଧାପକ ଗୋପାଳକୃଷ୍ଣ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ତେବେ ପିଲାମାନଙ୍କୁ ଅନଲାଇନରେ ପାଠପଢାଇବା ପାଇଁ ସରକାର ଯେତେ ପ୍ରକାର ଆପ ଓ ଭିଡିଓ ପ୍ରସ୍ତୁତ କଲେ ବି ଯଦି ଇଂଟରନେଟ ସ୍ଥିତି ଏଭଳି ହୁଏ ତେବେ ପାଠପଢା ହୋଇପାରିବ ନାହିଁ ବୋଲି କେତେକ ଅଭିଭାବକ ମଧ୍ୟ ମତ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ରାଜ୍ୟରେ ଥିବା ଟେଲିକମ କଂପାନୀଗୁଡିକ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସରକାରଙ୍କୁ ନିୟମିତ ରିପୋର୍ଟ ଦେବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ରୂପ ନେଇପାରିନାହିଁ