Odisha news

କିରୋସିନି ବଣ୍ଟନରେ ରିଟେଲରଙ୍କ ହେରାଫେରିକୁ ବିରୋଧ

0

ତିହିଡି,୨୬ ।୦୫:ତିହିଡିରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହୋଇଛି । ବଣ୍ଟନ ସାମଗ୍ରୀର ଦାମକୁ ନେଇ ଲୋକେ ଦ୍ୱନ୍ଦରେ ରହୁଥିବା ବେଳେ କେତେକ ରିଟେଲର ଏହାରି ସୁଯୋଗରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ସାଧାରଣ ପ୍ରଶାସନ ଠାରୁ ପୁଣି ଖାଉଟି କଲ୍ୟାଣ ବିଭାଗର ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଥିବାରୁ ତିହିଡିରେ ରିଟେଲର ମାନେ ମନମୁଖି କାର୍ଯ୍ୟ ଚଳାଇ ଆସୁଛନ୍ତି ।

ନିୟମ ଅନୁସାରେ ଖାଉଟିମାନେ ଯେଉଁ ରିଟେଲର ପାଖରୁ ସାମଗ୍ରୀ ନେବେ ସେଠାରେ ଦ୍ରବ୍ୟ ସଂପର୍କିତ ତଥ୍ୟ ପ୍ରଦର୍ଶିତ ହେବା ଆବଶ୍ୟକ । ବିଶେଷକରି ଦ୍ରବ୍ୟର ପରିମାଣ ଓ ଦାମ୍ ଉଲ୍ଳେଖ ଥିବା ସୂଚନାଫଳକ ଲଗାଯିବା ଜରୁରୀ ଅଟେ । ତେବେ ଏଠାରେ ଏହି ନିୟମକୁ ରିଟେଲର ମାନେ ନମାନି ମନଇଚ୍ଛା କାରବାର ଚଳାଇ ଚାଲିଛନ୍ତି । ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଶାସକ ନେତାଙ୍କୁ ହାତକରି ଏଠାରେ ରିଟେଲରମାନେ ଖାଉଟି ମାନଙ୍କୁ ଶୋଷଣ କରିଚାଲିଛନ୍ତି ।

ତିହିଡିର ବିଭିନ୍ନ ପଞ୍ଚାୟତରେ ଥିବା ରିଟେଲର ମାନେ ଚାଉଳ, ଗହମ ଓ କିରୋସିନି ବଣ୍ଟନରେ ଅନିୟମିତତା କରୁଥିବା ନେଇ ସବୁବେଳେ ଅଭିଯୋଗ ହେଉଥିଲେ ମଧ୍ୟ ଶାସକ ନେତାଙ୍କ ଚାପରେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନି । ନିର୍ଦ୍ଧାରିତ ପରିମାଣ ଠାରୁ କମ୍ ଓଜନର ଦ୍ରବ୍ୟ ଓ ନିର୍ଦ୍ଧାରିତ ଦାମ୍ ଠାରୁ ଅଧିକ ଦାମ ନେଇ ଏମାନେ ସର୍ବଦା ଖାଉଟିଙ୍କୁ ଠକି ଆସୁଥିବା ବେଳେ ଏବେ କରୋନା ଜନିତ ପରିସ୍ଥିତି ଏମାନଙ୍କୁ ଲୁଟିବା ଲାଗି ଆହୁରି ଅପୂର୍ବ ସୁଯୋଗ ସୃଷ୍ଟି କରିଛି । ଗତ ମାର୍ଚ୍ଚ ୨୫ରୁ ରାଜ୍ୟରେ ଲକ୍ଡାଉନ ବଳବତ୍ତର ରହିଥିବା ବେଳେ ସରକାର ଖାଉଟିଙ୍କ ଲାଗି ଅଗ୍ରୀମ ୩ ମାସର ଚାଉଳ ଓ କିରୋସିନି ସାଙ୍ଗକୁ ପୁଣି ରିଲିଫ ଆକାରରେ ଚାଉଳ ଓ ଡାଲି ଯୋଗାଇ ଦେଇଛନ୍ତି ।

ତେବେ ସଂପୃକ୍ତ ରିଟେଲର ମାନେ ରିଲିଫ ଚାଉଳ ବଣ୍ଟନ ବେଳେ ଓଜନରେ କମ୍ ଦେଇଥିବା ବେଳେ କିରୋସିନି ବଣ୍ଟନରେ ବି ଅନିୟମିତତା କରିଛନ୍ତି । ଏମାନେ ନିର୍ଦ୍ଧାରିତ ପରିମାଣ ଠାରୁ କମ୍ ପରିମାଣରେ କିରୋସିନି ବଣ୍ଟନ କରିଥିବା ବେଳେ ନିର୍ଦ୍ଧାରିତ ଦାମ ଠାରୁ ଅଧିକ ଦାମ୍ ନେଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଉଜ୍ଜ୍ୱଳା ଗ୍ୟାସ ବଣ୍ଟନରେ ତିହିଡିର କେତେକ ଦଲାଲ ଲୋକଙ୍କୁ ଶୋଷଣ କରୁଥିବା ବେଳେ ଆଳୁ, ପିଆଜ ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ବି ମନଇଚ୍ଛା ଦାମ ନେଉଥିବା ଅଭିଯୋଗ ହେଉଛି । ତୁରନ୍ତ ବ୍ଲକ ଯୋଗାଣ ନିରୀକ୍ଷକ ଏଥିନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply