Odisha news

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

0

କେନ୍ଦ୍ରାପଡା,୨୯ା୧୨(Rabindra Dash) : କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଆନୁକୁଲ୍ୟରେ କୃଷ୍ଣଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ୧୧ଦଫା ଦାବି ନେଇ ଶ୍ରମଉପାୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ନିର୍ମାଣ ଶ୍ରମିକମାନଙ୍କ ନିକଟରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କର ବିକାଶମୁଖି କାର୍ଯ୍ୟକ୍ରମ ପହଞ୍ଚୁନଥିବା କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅଭିଯୋଗ କରିଥିଲେ । ୧୧ଦଫା ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଶ୍ରମ ଆୟୁକ୍ତ ଭୂବନେଶ୍ୱର, ମୁଖ୍ୟ ସଚିବ ଶ୍ରମ ଓ ଇ.ଏସ୍.ଆଇ. ଭୂବନେଶ୍ୱର, ଓଡିଶା ଶ୍ରମ ମନ୍ତ୍ରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଆଗଲା ।

ଏହି ୧୧ଦଫା ଦାବି ଗୁଡିକ ହେଲା କରୋନା ମହାମାରୀ ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଆମ ଜିଲ୍ଲାର ୯୫,୪୦୦ରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆସିଥିବା ରିଲିଫ ବାବଦରେ ୧,୫୦୦ଟଙ୍କା ନିର୍ମାଣ ଶ୍ରମିକ ପାଇଲେନାହିଁ, ଅନ୍ୟ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ କ୍ରୟ ସହାୟତା ବାବଦରେ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ଆମ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଦିଆଯିବା ନିମନ୍ତେ, ଜିଲ୍ଲାର ଜଣେ ହେଲେ ନିର୍ମାଣ ଶ୍ରମିକ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ବାବଦକୁ ଟଙ୍କା ନ ମିଳିବା, ଗୃହ ନିର୍ମାଣ ପାଇଁ ଆବେଦନ ପତ୍ରକୁ ଶ୍ରମ କାର୍ଯ୍ୟାଳୟ ଗ୍ରହଣ କରିଥିଲେ ମଧ୍ୟ ଅନୁଦାନ ନ ମିଳିବା, ମାସ ମାସ ଧରି ନିର୍ମାଣ ଶ୍ରମିକମାନଙ୍କ ବାର୍ଷିକ ଦେୟ ଶ୍ରମ କାର୍ଯ୍ୟାଳୟରେ ପଡି ରହିବା, ୨୦୧୮ ମସିହାରେ ଜିଲ୍ଲାର ବହୁ ଶ୍ରମିକ ବିଭିନ୍ନ କମ୍ପାନୀ ନିକଟରୁ ଟ୍ରେନିଂ ନେଇଥିଲେ ମଧ୍ୟ ୬ହଜାର ନିର୍ମାଣ ଶ୍ରମିକଙ୍କୁ ଏଯାବତ୍ ୱେଜଲସ୍ ବାବଦକୁ ୩ହଜାର ଟଙ୍କା ନ ମିଳିବା, କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପ୍ରତିନିଧିମାନଙ୍କ ସହିତ ୬ମାସରୁ ଉଦ୍ଧ୍ୱର୍ ଜିଲ୍ଲାରେ ନିଯୁକ୍ତି ପାଇଥିଲେ ମଧ୍ୟ କୌଣସି ବୈଠକ ନ ହେବା, କରୋନା ସମୟରେ ଓଡିଶା ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟ ବାହାରୁ ଆସିଥିବା ନିର୍ମାଣ ଶ୍ରମିକମାନଙ୍କୁ ତୁରନ୍ତ ଜିଲ୍ଲାରେ ପରିଚୟ ପତ୍ର ଦେବାପାଇଁ ନିଦେ୍ର୍ଦଶ ଥିବା ସତ୍ୱେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କର୍ଣ୍ଣପାତ ନ କରିବା, ବେନିୟମ ଭାବେ ଗଢା ଯାଇଥିବା ୟୁନିୟନ ଗୁଡିକମାନଙ୍କର କାଗଜ ପତ୍ର ପ୍ରଦାନ ନ କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଜାଲ ପରିଚୟ ପତ୍ର ଓ ବାର୍ଷିକ ଦେୟ ଜାଲ ରସିଦ୍ ଆସିବା ସତ୍ୱେ ପୁଲିସକୁ ନ ଜଣାଇବା ପ୍ରଭୃତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିଆଇଟିୟୁର ଜଗତଜୀବନ ଦାସ, ଏଆଇଟିୟୁସିର ବାବାଜୀ ଧଳ, ଆଇଏନଟିୟୁସିର ମୁକ୍ତାର ଖାଁ, ବିଏମଏସ୍ର ପ୍ରଶାନ୍ତ କୁମାର ତ୍ରିପାଠୀ, ଏଆଇସିସିଟିୟୁର ବସନ୍ତ ମଳିକ, ଏଚ୍ଏମଏସ୍ର ପରମେଶ୍ୱର ପାତ୍ର, ଆଇଏନଟିୟୁସିର କୃର୍ଷ୍ଣଚନ୍ଦ୍ର ରାଉତ, ସିଆଇଟିୟୁର ମାଧବ ଦାସ, ଅଶୋକ ଲେଙ୍କା, ପ୍ରକାଶ ପରିଜା, ନୃସିଂହ ପରିଜା, ସୁବାଷ ମଲ୍ଲିକ, ମନୋଜ ମଲ୍ଲିକ, ଜସବିନ୍ ପରୱିନ ସମେତ ଜିଲ୍ଲାର ଏକ ହଜାରରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ଭାଗ ନେଇଥିଲେ । ଏହା ପରେ ଜିଲ୍ଲା ଶ୍ରମ ଆୟୁକ୍ତ ନେତା ଓ ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା ୧୫ଦିନ ଭିତରେ କରୋନା ସହାୟତା ରାଶି ପ୍ରଦାନ କରାଯିବ । ଏଥି ସହିତ ଦାବିପତ୍ର ଗୁଡିକ ତର୍ଜମା କରାଯାଇ ତୁରନ୍ତ ଏହାର ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ ।

IEC 2 years
Leave A Reply