କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ସରପଂଚଙ୍କ ବିରୋଧରେ ୧୬ଜଣ ୱାର୍ଡସଭ୍ୟସଭ୍ୟା ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ସେହି ଅନସ୍ଥା ପ୍ରସ୍ତାବ ଭୋଟ ଆଜି କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କୁ ସ୍ୱିକୃତୀପ୍ରାପ୍ତ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତି ପ୍ରଦାନ କରି ଭୋଟ ପରିଚାଳନା କରିବାକୁ ଦାୟୀତ୍ୱ ପ୍ରଦାନ କରିଥିଲେ । ବାରୋ ପଂଚାୟତର ମୋଟ ୨୧ଜଣ ୱାର୍ଡସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୯ଜଣଙ୍କ ସମେତ ସରପଂଚ ସୁଶିଳା ରାଉତ ମଧ୍ୟ ଅନାସ୍ଥା ପ୍ରସ୍ତାବ ଭୋଟରେ ଉପସ୍ଥିତ ରହି ଭୋଟ ଦେଇଥିଲେ । ଅନ୍ୟ ୨ଜଣ ୱାର୍ଡସଭ୍ୟ ନିର୍ଦ୍ଧାରିତ ସମୟ ପରେ ବିଳମ୍ବରେ ପହଁଚିବାରୁ ସେମାନେ ଭୋଟଦେବାରୁ ବଂଚିତ ହୋଇଥିଲେ ।
କିନ୍ତୁ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଡବ୍ଲୁପିସି ନମ୍ବର ୩୦୯୪୮/୨୦୨୦ର ଆଇଏ ନମ୍ବର ୧୩୪୩୪/୨୦୨୦ରେ ଗତ ତା ୧୭.୧୧.୨୦୨୦ର ନିର୍ଦେଶ ଅନୁଯାଇ ବାରୋ ପଂଚାୟତର ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ଆଇନ ଅନୁଯାଇ ଅନୁଷ୍ଠିତ ହେବ । କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ଅନୁମତି ବିନା ଭୋଟର ଫଳାଫଳ ପ୍ରକାଶ କରାଯିବ ନାହିଁ । ତିନି ସପ୍ତାହ ପରେ ପରବର୍ତ୍ତୀ ତାରିଖରେ ଏହି ମାମଲାର ଶୁଣାଣି କରାଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ସରିବା ପରେ ସ୍ୱିକୃତୀପ୍ରାପ୍ତ ପ୍ରିଜାଇଡିଂ ଅଫିସର ତଥା ତହସିଲଦାର ଶ୍ରୀମତୀ ବାହାଲିଆ ଭୋଟ ବାଲାଟ ଗୁଡିକୁ ଏକ ମୁଦା ଲଫାପାରେ ଭର୍ତ୍ତି କରି ତାହାକୁ ସିଲ କରିବା ପରେ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟରେ ଜିମା ଦେଇଥିବା ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ବାହାଲିଆ କହିଛନ୍ତି ।