କଙ୍କଡ଼ାହାଡ଼ :-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ଚାରିଆଡେ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଅନ୍ତର୍ଗତ ବାମ ପଂଚାୟତର ପାକଟମୁଣ୍ଡା ଗ୍ରାମର ବୁଥ୍ ପରିସର ଖାଁ ଖାଁ ।
ଭୋଟର ଭୋଟ୍ ଦେଉନଥିବାରୁ ପୁଲିଂ କର୍ମଚାରୀମାନେ ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି ।ଏହି ପାକଟମୁଣ୍ଡା ଗ୍ରାମ ବଣ ଜଙ୍ଗଲ ଘେରା ଏକ ଆଦିବାସୀ ଅଂଚଳ । ଗ୍ରାମବାସୀ ଗାଁକୁ ଯିବା ଆସିବା କରିବା ପାଇଁ ୩ଟି ନାଳ ଦେଇ ଆସିବାକୁ ପଡିଥାଏ । ସେପଟେ ଗାଁରେ ମୋବାଇଲ ନେଟୱର୍କ ନାହିଁ ।
ମୋବାଇଲ ନେଟୱର୍କ ଓ ଗ୍ରାମରେ ପକ୍କା ରାସ୍ତା ଦାବିରେ ଏହି ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି । ଏପରିକି ପୂର୍ବରୁ ଏହି ଗ୍ରାମବାସୀ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଥିଲେ । ସେମାନଙ୍କ ସମସ୍ୟା ସମାଧାନ ନହେବାରୁ ବାଧ୍ୟ ହୋଇ ଭୋଟ୍ ବର୍ଜନ ଜିଦରେ ରହିଛନ୍ତି ଏହି ଗ୍ରାମବାସୀ ।