Odisha news

ସାବଧାନ ! ସାଇବର ଠକଙ୍କ ଆଖି କନ୍ଧମାଳ ଉପରେ : ଅଧ୍ୟକ୍ଷଙ୍କ ନାଁ ନେଇ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା

0
କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ‘ମୁଁ ଜୁନିୟର କଲେଜ ପ୍ରିନ୍ସପାଲ କହୁଛି, ଆଗକୁ ପୁଅର ପରୀକ୍ଷା ଅଛି। ପାଞ୍ଚ ହଜାର ଟଙ୍କା ଦେଲେ ପରୀକ୍ଷାରେ ମାର୍କ ମିଳିବା ପାଇଁ ବ୍ୟବସ୍ଥା କରାଯିବ।’ ଏଭଳି ଫୋନ ଆସୁଛି ଫୁଲବାଣୀ ସରକାରୀ ଜୁନିୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଖକୁ। ଟଙ୍କା ଆଦାୟର ଏଭଳି ଏକ ନୂଆ ପନ୍ଥା ଆପଣେଇଛନ୍ତି ସାଇବର ଠକ l ମହାବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଖକୁ ଏମିତି ଫୋନକଲ ଆସିଥିବା ଜଣାପଡିଛି। ସୂଚନା ଅନୁସାରେ, କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରତଙ୍ଗ ପଞ୍ଚାୟତ ଲଦା ଗ୍ରାମର ଛାତ୍ର କ୍ରିଷ୍ଣା ମାଝୀଙ୍କ ବାପା ସଞ୍ଜୟ ମାଝୀଙ୍କ ପାଖକୁ ୬୩୭୦୮୭୧୭୨୮ ନମ୍ବରରୁ ଏକ କଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ କଲେଜ ଅଧ୍ୟକ୍ଷ ବୋଲି ପରିଚୟ ଦେଇ ପୁଅର ପରୀକ୍ଷାରେ ସହାୟତା ପାଇଁ ପାଞ୍ଚ ହଜାର ଟଙ୍କା ମାଗିଥିଲା। ତେବେ ସଞ୍ଜୟ ଏଥିରେ ସନ୍ଦେହ କରି ପୁଅକୁ ଜଣାଇବାରେ ପୁଅ ଏହା ଅଧ୍ୟକ୍ଷଙ୍କ ନମ୍ବର ନୁହେଁ ବୋଲି ସ୍ପଷ୍ଟ କରିଥିଲା। ସେହିଭଳି ରାଇକିଆର କାମିନୀ ପ୍ରଧାନ ନାମକ ଜଣେ ଛାତ୍ରୀଙ୍କୁ ମଧ୍ୟ ଏହିଭଳି ଭାବେ ଫୋନ୍‌ ଆସିଥିବାର ଜଣାଯାଇଛି । ସମସ୍ତେ ବିଜ୍ଞାନ ଛାତ୍ରୀ ବୋଲି ଜଣାଯାଇଛି। କେବଳ ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁହେଁ, ଜିଲାର ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଭଳି ଫୋନ୍‌ ଆସୁଥିବା ଜଣାଯାଇଛି । ଏହାପରେ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥଙ୍କ ସହିତ ଯୋଗାଯୋଗ କରିବାରେ ଏହା ଏକ ଠକାମୀ ବୋଲି ସେ କହିଥିଲେ। ପରେ ଅଧ୍ୟକ୍ଷ ଏ ନେଇ କଲେଜର ହ୍ବାଟ୍‌ସଆପ ଗ୍ରୁପରେ ସୂଚନା ଦେଇଥିଲେ। ଏହାପରେ ଅନ୍ୟ ଜଣେ ଛାତ୍ରୀ ଫୁଲବାଣୀ ଉପକଣ୍ଠ ଲେଙ୍ଗେରୀ ସାହିର କିମି କାଞ୍ଚନଙ୍କ ବାପା ଚରଣ ବେହେରାଙ୍କ ପାଖକୁ ମଧ୍ୟ ଏଭଳି କଲ ଆସିଥିବା ଜଣାପଡିଥିଲା। ଉଭୟଙ୍କୁ ଏ ନେଇ ସାଇବର ଥାନାରେ ଏତଲା ଦେବା ସହ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଏହି ଠକାମିରେ ନପଡିବା ପାଇଁ ପରାମର୍ଶ ଦିଆଯାଇଥିବା ଅଧ୍ୟକ୍ଷ ଜଣାଇଛନ୍ତି। ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ଅଭିଭାବକ ସଞ୍ଜୟ ମାଝି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ନୂଆପଡା ଜିଲ୍ଲାର ମଧ୍ୟ ଏଭଳି ଏକ ସାଇବର ଠକାମି ନେଇ ଅଭିଯୋଗ ହୋଇଥିଲା।
IEC 2 years
Leave A Reply