Odisha news

ଦେବୀନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ବାଉରିଆକଣ ନଦୀ ବନ୍ଧ ଅସୁରକ୍ଷିତ , ବନ୍ୟା ମୁକାବିଲା ଆଳରେ ଚାଲିଛି ହରିଲୁଟ               

0

କାକଟପୁର ତା ୧/୮   ଦେବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି l ଚଳିତ ବର୍ଷର ପ୍ରଥମ ବଢ଼ି ପାଣି ଦେଖିବାକୁ ନଦୀ ବନ୍ଧରେ ଲୋକଙ୍କ ଗହଳି ଲାଗି ରହିଥିବା ବେଳେ ବାଉରିଆକଣ ଠାରେ ଅସୁରକ୍ଷିତ ନଦୀ ବନ୍ଧକୁ ଦେଖି ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀ ଅତି ଆତଙ୍କିତ ଅବସ୍ଥାରେ ଅଛନ୍ତି l ଖବରରୁ ପ୍ରକାଶ  ଆଜକୁ ୧୭  ମାସ ଧରି ହେବ ବାଉରିଆକଣ  ନଦୀ ବନ୍ଧର ଆରଡି ୭୮ କିମି ୫୩0 ରୁ ଆରଡି ୭୮ କିମି ୯୮0 ମଧ୍ୟରେ ନଦୀ ବନ୍ଧ ମଝିରୁ ଫାଟି ଯାଇ ଅର୍ଦ୍ଧେକ ବନ୍ଧ ନଦୀ ପଟକୁ ୪ ଫୁଟ ଗଭୀରରୁ ଅଧିକ ଦଵି ଯାଇଥିବା ବେଳେ ଏଯାବତ ଏହାର ମରାମତି ଦିଗରେ କାକଟପୁର ଜଳସେଚନ ବିଭାଗ ତତ୍ପରତା ପ୍ରକାଶ କରିନି l

ଖରାଦିନ ଯାଇ ବର୍ଷା ଦିନ ଆସିଲା , ନଦୀରେ ବନ୍ୟା ଜଳଵି ପ୍ରବାହିତ ହେଲା , ତଥାପି ଅସଜଡ଼ା ନଦୀ ବନ୍ଧକୁ  ମରାମତି କରିବାକୁ ଜଳସେଚନ ବିଭାଗର ନିଦ ଭାଙ୍ଗିଲାନି l  ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଉତ୍ତରମିଳୁଛି ଟେଣ୍ଡରକୁ ଯାଇଛି l ବାଉରିଆକଣ  ଗ୍ରାମର କେତେକ ବୟୋଜ୍ୟେଷ୍ଠ ଗ୍ରାମବାସୀକୁହନ୍ତି ତାଙ୍କ ପିଲା ଦିନୁ ସେମାନେ ଦେଖି ଆସୁଛନ୍ତି କାକଟପୁର ଜଳସେଚନ ବିଭାଗ ପ୍ରତ୍ୟକ ବର୍ଷ ଏଠାରେ ନଦୀ ବନ୍ଧର ସୁରକ୍ଷା ପାଇଁ  କୋଟି କୋଟି ଟଙ୍କା  ଖର୍ଚ୍ଚ କରିଆସୁଛି l କିନ୍ତୁ ଏଯାବତ ନଦୀ ବନ୍ଧର ସ୍ଥାୟୀ ସୁରକ୍ଷା ହୋଇ ପାରିଲା ନାହିଁ l

ବିଶେଷ କରି ଦେବୀ  ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ମାତ୍ରକେ କାକଟପୁର ଜଳସେଚନ ବିଭାଗ ଏଠାରେ ବନ୍ୟା ମୁକାବିଲା ପାଇଁ ତତ୍ପର ହୋଇଉଠେ l ନଦୀ ବନ୍ଧରେ ସନ୍ଧ୍ୟା ହେଲେ ଲାଇଟ ଲାଗେ, ଅସ୍ଥାୟୀ କ୍ୟାମ୍ପ ଵି ପଡେ , ବନ୍ଧ ଜଗିବାକୁ କର୍ମଚାରୀ ନିୟୋଜିତ ହୁଅନ୍ତି ଆଉ ବିଭାଗୀୟ ଅଧିକାରୀମାନେ ଏଠାକୁ ଘନ ଘନ ଗସ୍ତ ଵି କରନ୍ତି l  କିନ୍ତୁ ନଦୀରେ ବଡ଼ ବନ୍ୟା ଆସୁକି ନଆସୁ ସାମାନ୍ୟ ( କିମ୍ୱା )ମଧ୍ୟମ ଧରଣର  ବନ୍ୟାରେ ଵି  ଏହି ନଦୀ ବନ୍ଧରେ  ବଲ୍ଲା ବାଡେଇବା ଓ ବାଲି ବସ୍ତା ପକାଇବା ଆଳରେ ବିଭାଗ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ବିଲ କରେ ବୋଲି କେତେକ ଠିକାଦାର  ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି l

ଏମିତିକି ବିଗତ ୩  ବର୍ଷ ମଧ୍ୟରେ ଦେବୀ ନଦୀରେ ବଡ଼ ଧରଣର ବନ୍ୟା ହୋଇ ନଥିଲେ ମଧ୍ୟ ବିଭାଗ ଦେବୀ ନଦୀରେ ବନ୍ୟା ମୁକାବିଲା ଆଳରେ ଏକ କୋଟିରୁ ଉର୍ଦ୍ଧ  ଟଙ୍କାର ବିଲ କରିଛି ବୋଲି ଠିକାଦାର ମହଲରେ ଚର୍ଚ୍ଚା ହେଉଛି l ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କେବଳ ଏହି କାକଟପୁର ଜଳସେଚନ ବିଭାଗ ସବଡିଭିଜନ ଅଧିନରେ ପ୍ରବାହିତ  ଦେବୀ ନଦୀ ନୁହେଁ ନିମାପଡା  ଜଳସେଚନ ବିଭାଗ  ଡିଭିଜନ ଅଧିନସ୍ଥ  ଗୋପ , ବଳଙ୍ଗା , ନିମାପଡା , ବାଲିପାଟଣା ଆଦି ଅନ୍ୟ ୪ ଗୋଟି  ଜଳସେଚନ ବିଭାଗ ସବଡ଼ିଭିଜନ ଗୁଡିକ ଅଧୀନରେ ପ୍ରବାହିତ କୁଶଭଦ୍ରା ,  କୁଆଖିଆ , ଭାର୍ଗବୀ , ଦୟା ଆଦି   ନଦୀରେ ବଡ଼ ବନ୍ୟା ନଥାଇ ସାମାନ୍ୟ ଓ ମଧ୍ୟମ ଧରଣର  ବନ୍ୟାରେ ବନ୍ୟା  ମୁକାବିଲା ଆଳରେ ବିଗତ ୩ ବର୍ଷରେ କୋଟି କୋଟି ଟଙ୍କାର ବିଲ ହୋଇଛି ବୋଲି ଜନୈକ ସୂଚନା ଅଧିକାର କର୍ମୀ ମାଗିଥିବା ସୂଚନାରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି l

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବାଉରିଆକଣ ନଦୀ ବନ୍ଧକୁ ତୁରନ୍ତ ମରାମତି କରିବାକୁ ନଦୀ ତଟବର୍ତ୍ତୀ ଗ୍ରାମର ଜନସାଧାରଣ ଦାବୀ କରିବା ସହିତ ବିଗତ ୩ ବର୍ଷ ମଧ୍ୟରେ ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ ଉପରୋକ୍ତ ୫ ଟି ଜଳସେଚନ ବିଭାଗ ସବଡ଼ିଭିଜନରେ ବନ୍ୟା ମୁକାବିଲା ଆଳରେ କେତେ ଟଙ୍କାର  ବିଲ ହୋଇଛି     ତାହାର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି l ଅଭିଯୋଗ ସଂପର୍କରେ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ପରେ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ l

Leave A Reply