Odisha news

କାକଟପୁର : ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ପ୍ରଥମ ପାଳିଯାତ୍ରା ଓ ନେତୋତ୍ସବ ଅନୁଷ୍ଠିତ.

0
କାକଟପୁର ତା ୨୨/୩,ଚୈତ୍ରମାସର ପ୍ରଥମ ମଙ୍ଗଳବାର ଠାରୁ ବୈଶାଖ ମାସର ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ. ପ୍ରଥମ ପାଳି ଯାତ୍ରା ସହିତ ମା’ଙ୍କର ନେତୋତ୍ସବ  ଆଜି ହଜାର ହଜାର ମାତୃଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଅଛି. ରାତ୍ର ୨ ଘଟିକା ଠାରୁ ମା’ଙ୍କର ସ୍ନାନ, ମାର୍ଜନା ଓ ବେଶ ପରେ ବଲ୍ଲବ ନୀତି ଅନୁଷ୍ଠିତ ହୋଇଥିଲା. ସକାଳ ଧୂପ ନୀତି ପରେ ସକାଳ ୫ ଘଟିକା ଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହାଣ ମେଲା କରାଯାଇଥିଲା.ମନ୍ଦିରର ପୂର୍ବ ଦ୍ୱାର ପାଖରୁ ବ୍ୟାରିକେଟ ମଧ୍ୟରେ ମନ୍ଦିର ଗର୍ଭଗୃହକୁ ଭକ୍ତ ମାନେ ଧାଡିରେ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ. ପୂର୍ବ ଦକ୍ଷିଣ କୋଣରେ ମାନସିକ ଧାରୀ ମହିଳା ମାନେ ପନ୍ଥେଇ ପୂଜା କରିଥିଲେ. ଅପରାହ୍ନ ୧ ଘଟିକା ବେଳକୁ ମା’ଙ୍କର ନେତକୁ ଏକ ଶୋଭାଯାତ୍ରାରେ ନିଆଯାଇ ମନ୍ଦିରର ଚତୁଃପାର୍ଶ୍ୱରେ ୩ ଥର ପରିକ୍ରମା କରାଯାଇ ମନ୍ଦିର ଚୁଡାରେ ନେତ ବନ୍ଧା ଯାଇଥିଲା. ଆଖପାଖ ଅଞ୍ଚଳର ଶତାଧିକ ଯାଦବ ମାନେ ମନ୍ଦିର ପରିସରରେ ଲଉଡ଼ି ଖେଳି ମା’ଙ୍କୁ ପ୍ରଦକ୍ଷିଣ କରିଥିଲେ. ଅପରାହ୍ନ ୨ ଘଟିକା ବେଳକୁ ଝଙ୍କଡ଼ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳତୋଳି ମନ୍ଦିର ଭିତରେ ଓ ବାହାରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ.ଅପରାହ୍ନ ୫ ଘଟିକା ବେଳକୁ ମା’ଙ୍କର ଦ୍ବିପହର ଭଅଣ୍ଡ ନୀତି କରାଯାଇ ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଇଥିଲା. ଆଜି ଦିନ ତମାମ ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଖାତିର ନକରି ଭକ୍ତ ମାନେ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ.  ମନ୍ଦିର ବେଢା ମଧ୍ୟରେ ଅସଂଖ୍ୟ ଦ୍ବୀପ ଲଗେଇବା ଯୋଗୁଁ ଅସହ୍ୟ ଧୂଆଁ ଭକ୍ତ ମାନଙ୍କୁ ଅଣନିଶ୍ୱାସୀ କରିପକେଇଥିଲା. ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଫ୍ୟାନ ଓ ଜଳସିଞ୍ଚନ ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ପ୍ରଚଣ୍ଡ ଖରାରେ ଛିଡ଼ାହୋଇ ଅସହ୍ୟ ନିର୍ଯାତନା ପାଇଥିଲେ. ପରେ ରାତ୍ର ୯ ଘଟିକା ବେଳକୁ ମା’ଙ୍କର ରାତ୍ର ଧୂପ ଓ ବଡ଼ସିଂହାର ବେଶ ପରେ ମା’ଙ୍କର ପହୁଡ଼ ପଡିଥିଲା. ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ତରଫରୁ ମନ୍ଦିର ବେଢା ବାହାରେ ଜଳଯୋଗ ବ୍ୟବସ୍ଥା କରାଯାଇଥିଲା.
Leave A Reply