Odisha news

ନାବାଳିକା ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପିସିସି ସଭାପତି

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ବଡକାଳିମାଟି ଠାରେ ଗତ ୨୬.୦୮.୨୦୨୧ ଜଣେ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ନାବାଳିକାଟି ତାର ସାବତ ମା’ ସହିତ ରହୁଥିବା ବେଳେ ଘଟଣା ଦିନ ତାର ସାବତ ମା ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ତେବେ ପର ଦିନ ନାବାଳିକାଟିର ମୃତ ଦେହ ତାଙ୍କ ଘରେ ଝୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ନାବାଳିକାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ତାଙ୍କର ପାଦ ଦେଇ ରକ୍ତ ଝରୁଥିବା ଦେଖାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲାପରେ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରି ଆତ୍ମହତ୍ୟାର ରୁପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଖୁବ୍ ଆଲୋଡନ ସୃଷ୍ଟି କରିଥିବା ବେଳେ  ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ପରିବାର ସହ ଆଲୋଚନା କରି ଘଟଣାଟିର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ସେମାନଙ୍କ ସହ ଜିଲା କଂଗ୍ରେସ କମିଟିର ସଭାପତି ବିପ୍ଲବ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଚମ୍ପୁଆ ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାଏକ, ଯୋଡା ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ସେଠୀ, ପିସିସି ସଦସ୍ୟ ଅଶୋକ ଠକ୍କରଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ । ଏହାପରେ ପିସିସି ସଭାପତି ବାମେବାରୀ ଥାନା ତଦନ୍ତକାରୀ ଅଧିକାରିଣୀ ଜି. ଲାକରାଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏହା ଗଣଦୁଷ୍କର୍ମ ପରେ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସେ ଦାବି କରିବା ସହ ଏହି ମାମଲାଟିକୁ କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି । ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଏହା ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଯାଇଥିବା ବେଳେ ଥାନା ପକ୍ଷରୁ ଉକ୍ତ ଏତଲାଟିକୁ ପରବର୍ତ୍ତି ସମୟରେ ପୁଲିସ ମାଧ୍ୟମରେ ପରିବର୍ତ୍ତନ କରାଯାଇ ଏହାକୁ ଏକ ଅପମୃତ୍ୟୁ ମାମଲା ଋଜୁ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ମୃତା ନାବାଳିକାର ଖୁଡି ଏହା ଏକ ହତ୍ୟାକାଣ୍ଡ ବୋଲି ଦାବି କରିଥିବା ତେବେ ବାପ, ମା ଛେଉଣ୍ଡ ପୀଡିତାଙ୍କ ମୃତ୍ୟୁ ଘଟିଥିବା ସ୍ଥାନରୁ ଜଣେ ବ୍ୟକ୍ତିର ମନି ପର୍ସ ଏବଂ ପରିଚୟ ପତ୍ର ମିଳିଥିବା ବେଳେ ବାମେବାରୀ ପୁଲିସ ସମ୍ପୃକ ବ୍ୟକ୍ତିର ଟେର ପାଇନଥିବା ଜଣାପଡିଛି । ପୁଲିସର ଦୁର୍ବଳ ତଦନ୍ତ ପ୍ରକ୍ରିୟାରେ ଘଟଣାଟି ଉନ୍ମୋଚିତ ହୋଇପାରିନଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଯୋଜନା ଚାଲିଛି । ତେବେ ଏଠାରେ ସୂଚନା ଯୋଗ୍ୟ,ଏହି ଘଟଣା ପୂର୍ବରୁ ମୃତ ନାବାଳିକାର ମା ଏବଂ ଭଉଣୀଙ୍କର ମଧ୍ୟ ଏହିଭଳି ଅସ୍ୱଭାବିକ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଲୋକେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ପିସିସି ସଭାପତିଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାଟି ସମଗ୍ର ଅଞ୍ଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପୂର୍ବରୁ ବିଜେପି ଏବଂ ବିଜେଡି ଦଳ ପକ୍ଷରୁ ପୀଡିତାଙ୍କ ପରିବାର ନିକଟରେ ପହଞ୍ଚି ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇ ଫେରିଥିବା ଜଣାପଡିଛି ।

Comments are closed.